ସୁନ୍ଦରଗଡ଼: କୁତ୍ରା ନିକଟ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡ଼ାକଟା ୟୁନିଟ-୨ ଚତୁର୍ଥ ଫର୍ନେସରେ ୨୧ ତାରିଖ ସକାଳ ୯ଟାରେ ଘଟିଥିବାଥ ଭୟଙ୍କର ବିସ୍ଫୋରଣରେ ୩ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ)ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ କ୍ରେନ୍ ଚାଳକ ବାଳମକୁନ୍ଦ ସିଂଙ୍କ ମୃତ୍ୟୁ ହୋଇଯାଇଛି।
ବିସ୍ଫୋରଣ ନିଆଁ ଲାଗି ତାଙ୍କ ସର୍ବାଙ୍ଗ ଜଳି ଯାଇଥିଲା। ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି। ସେପଟେ ବାଳମକୁନ୍ଦଙ୍କ ମୃତ୍ୟୁ ଖବର ପାଇ ବିହାରସ୍ଥିତ ଭାଗଲପୁରରୁ ତାଙ୍କ ପତ୍ନୀ ଓ ୨ ପୁଅ ସମେତ ପରିବାରର ୮ ଜଣ ସଦସ୍ୟ ଅପରାହ୍ନରେ ରାଉରକେଲା ଆଇଜିଏଚରେ ପହଞ୍ଚିଛନ୍ତି। ତେବେ ବିଳମ୍ବ ହୋଇଯାଇଥିବାରୁ ରବିବାର ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଏହା ପରେ ଶବ ପରିବାରକୁ ହସ୍ତାନ୍ତର କରାଯିବ। ଏପଟେ କାରଖାନା କର୍ତ୍ତୃପକ୍ଷ କି ପୁଲିସ ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତି ଓ ଆହତଙ୍କ ସମ୍ପର୍କରେ କୌଣସି ସୂଚନା ଦେବାକୁ ଚାହୁ ନଥିବା ବେଳେ ଏଯାଏ ତୃତୀୟ ଆହତଙ୍କ ପରିଚୟକୁ ଗୋପନ ରଖିଛନ୍ତି। ମୃତକଙ୍କ ପରିବାରକୁ କିଛି କ୍ଷତିପୂରଣ ଦେଇ ଘଟଣାକୁ କୌଣସି ମତେ ରଫାଦଫା କରିଦେବାକୁ କାରଖାନା କର୍ତ୍ତୃପକ୍ଷ ଯୋଜନା କରୁଥିବା ସୂଚନା ମିଳିଛି।
ମୃତ ବାଳମକୁନ୍ଦ ସିଂ କାରଖାନାରେ ୪ ବର୍ଷ ହେଲା କ୍ରେନ ଚାଳକ ଭାବେ କାମ କରୁଥିଲେ। ୨୧ ତାରିଖ ସକାଳେ ସେ କ୍ରେନ ଉପରେ ବସିଥିବା ବେଳେ ବିସ୍ଫୋରଣର ନିଆଁ ଝୁଲ ତାଙ୍କ ଉପରେ ଖସି ପଡ଼ିଥିଲା। କିଛି ବୁଝିବା ପୂର୍ବରୁ ତାଙ୍କ ଶରୀର ଜଳି ଯାଇଥିଲା। ବିସ୍ଫୋରଣରେ ଅନ୍ୟ କର୍ମଚାରୀ ଓ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଥିଲେ ମଧ୍ୟ ଆହୁରି ଅନେକ ଆହତ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ, ଏ ଘଟଣା ପରେ ବିସ୍ଫୋରଣ ଓ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାରଖାନାରେ ଥିବା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଅନୁସନ୍ଧାନରୁ ଜଣାଯାଏ, କାରଖାନାରରେ କ୍ଷୁଦ୍ର ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟତୀତ ଆଉ କିଛି ନାହିଁ। ଏପରି ଆକସ୍ମିକ ଅଘଟଣ ବା ଦୁର୍ଘଟଣାର ମୁକାବିଲା ପାଇଁ କାରଖାନାରେ କୌଣସି ବ୍ୟବସ୍ଥା ନାହିଁ। ଏସ୍ଥିତିରେ ରାଜ୍ୟ ଅଗ୍ନିଶମ ବାହିନୀ ଉପରେ ହିଁ ଭରସା।
ସୂଚନାଯୋଗ୍ୟ, ସ୍କାନ ଷ୍ଟିଲ ବୁଡ଼ାକଟା ୟୁନିଟ-୨ ରେ ରହିଛି ସମୁଦାୟ ୪ଟି ଫର୍ନେସ । ୨୧ ତାରିଖ ସକାଳେ ଚତୁର୍ଥ ଫର୍ନେସରେ ଲାଗିଥିବା କଏଲ ଅଚାନକ ଫାଟି ଯାଇଥିଲା। ପରେ ନିକଟରେ ଥିବା ପାଣି ପାଇପ ଫାଟି ଫର୍ନେସରେ ପାଣି ପଶିଯିବା ପରେ ବିସ୍ଫୋରଣ ହୋଇଥିବା କୁହାଯାଉଛି। ସେ ସମୟରେ ଫର୍ନେସ ନିକଟରେ ୧୦ରୁ ଅଧିକ କର୍ମଚାରୀ, ଶ୍ରମିକ କାମ କରୁଥିଲେ। ବିସ୍ଫୋରଣରେ ୩ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି। କିନ୍ତୁ ଅନ୍ୟ ୭ କର୍ମଚାରୀଙ୍କ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିଛି କହୁ ନାହିଁ। ଘଟଣା ପରେ କାରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଥିବା କୁତ୍ରା ପୁଲିସ ମଧ୍ୟ ମୁହଁ ଖୋଲୁ ନାହିଁ। କାରଖାନାରେ ଏହା ପୂର୍ବରୁ ମଧ୍ୟ ଏକାଧିକ ଥର ବିସ୍ଫୋରଣ ହୋଇଛି। କିନ୍ତୁ କର୍ତ୍ତୃପକ୍ଷ ପୁରୁଣା ପାଇପ, ଫର୍ନେସ ବଦଳ ବା ଯନ୍ତ୍ରପାତିରେ ଥିବା ତ୍ରୁଟିବିଚ୍ୟୁଟିକୁ ଅଣଦେଖା କରୁଥିବାରୁ ଏପରି ବିସ୍ଫୋରଣ ଘଟି ଅନେକ ନିରୀହ ଶ୍ରମିକ, କର୍ମଚାରୀଙ୍କ ଜୀବନ ନେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ, ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/f61b9f9c-77da-4156-89fb-328d05a2b0eb.jpg)