କଟକ: ଏସ୍ସିବି ମେଡିକାଲ କଲେଜ ପରିସରରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କ୍ରେନ୍ ୧୨୦ ଫୁଟ୍ ଉଚ୍ଚରୁ ଭାଙ୍ଗିଯିବା ଫଳରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଓଭରଲୋଡ୍ ଯୋଗୁଁ ଏହା ଭାଙ୍ଗିଥିବା ଅନୁମାନ କରାଯାଉଛି। ବ୍ଲକ୍-୨ର ୧୩ ମହଲାକୁ କ୍ରେନ ଉଠୁ ଥିବାବେଳେ ଏହା ଭାଙ୍ଗିଥିବା କୁହାଯାଉଛି। ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଶ୍ରମିକ ହେଉଛନ୍ତି ବଂଶୀରାଜ ମଲ୍ଲିକ, ଦୀନବନ୍ଧୁ ବେହେରା ଓ ମୁବାରକ୍ ଅନ୍ସାରୀ। ଦୁର୍ଘଟଣା ଖବର ପାଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚିକିତ୍ସାଧୀନ ୩ ଶ୍ରମିକଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରୀ ଦଳ ସହିତ ଆଲୋଚନା କରିଥିଲେ। ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, କୁଳସଚିବ ଡକ୍ଟର ଅବିନାଶ ରାଉତ୍ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଅନ୍ୟପଟେ ଓବିସିସିକୁ ଏହି ଦୁର୍ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆହତ ଶ୍ରମିକମାନଙ୍କୁ ସହାୟତା ନେଇ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଶ୍ବସ୍ତରୀୟ ଏସ୍ସିବି ଏମ୍ସ ପ୍ଲସ୍ ନିର୍ମାଣ କାର୍ଯ୍ୟ ୫ ହଜାର କୋଟି ଟଙ୍କା ବ୍ୟୟରେ ଚାଲିଛି। ଆଜି ସନ୍ଧ୍ୟାରେ କାମ ଚାଲିଥିବାବେଳେ ଆବାସିକ କୋଠା ଅର୍ଥାତ୍ ବ୍ଲକ୍-୨ର ୧୩ ମହଲାକୁ ସଂଯୋଗ କରୁଥିବା ଟାୱାର କ୍ରେନ୍ ହଠାତ୍ ଭାଙ୍ଗିଯିବା ଫଳରେ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଏହି ଅଘଟଣ ଖବର ପାଇ ମେୟର ସୁବାସ ସିଂହ, ଚୌଦ୍ବାର- କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିର୍ଦୋସ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ସିକନ୍ଦର ଅଲ୍ଲୀଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ।