ରାୟଗଡ଼ା/କଲ୍ୟାଣସିଂହପୁର: ଲଗାଣ ବର୍ଷା ଯୋଗୁଁ କୋରାପୁଟ-ରାୟଗଡ଼ା (କେଆର) ଲାଇନ୍ରେ ଆଜି ସକାଳେ ମାଟି ଅତଡ଼ା ଧସିବାରୁ ପ୍ରାୟ ୩ ଘଣ୍ଟା ଧରି ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା। ଗତକାଲି ରାତିରୁ ବର୍ଷା ଆରମ୍ଭ ହୋଇଥିଲା ବେଳେ ଆଜି ସକାଳେ ପରିମାଣ ବଢ଼ିଥିଲା। ସକାଳ ପ୍ରାୟ ୯ଟାରେ ରାୟଗଡ଼ା ଜିଲ୍ଲା ଶିକରପାଇ-କେଉଟଗୁଡ଼ା ମଝିରେ ୩୫ ନମ୍ବର ଟନେଲ ନିକଟରେ ମାଟି ସହ ପଥର ଖଣ୍ଡ ରେଳଧାରଣା ଉପରେ ପଡ଼ିଥିଲା। ରାୟଗଡ଼ାରୁ ରେଳ ବିଭାଗ ଅଧିକାରୀ ଏବଂ ଉଦ୍ଧାରକରୀ ଦଳ ପହଞ୍ଚି ପ୍ରାୟ ୩ଘଣ୍ଟା କସରତ ପରେ ମାଟି, ପଥର ସଫା ହୋଇଥିଲା।
ଅତଡ଼ା ଧସିବାରୁ ଶିକରପାଇ ଷ୍ଟେସନରେ ଜଗଦଲପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍ ଟ୍ରେନ୍ ୨ଘଣ୍ଟା ଧରି ଅଟକି ରହିଥିଲା। ଷ୍ଟେସନରେ ସର୍ବନିମ୍ନ ସୁବିଧା ନଥିବାରୁ ଯାତ୍ରୀ ନାହିଁ ନଥିବା ଅସୁବିଧାରୁ ସମ୍ମୁଖୀନ ହୋଇଥିଲେ। ଏପରିକି ଯାତ୍ରୀଙ୍କୁ ବିଶୁଦ୍ଧ ପାନୀୟଜଳ ମଧ୍ୟ ଷ୍ଟେସନରେ ମିଳିନଥିଲା। ଶିକରପାଇ ଅଞ୍ଚଳର କିଛି ଯୁବକ ପାଣି ବୋତଲ ସହ ବିସ୍କୁଟ ଆଦି ଯାତ୍ରୀଙ୍କୁ ଦେଇଥିଲେ। ସେହିପରି ବିଶାଖାପାଟଣା-କୋରାପୁଟ ଓ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ୩୦ ମିନିଟ୍ ବିଳମ୍ବରେ ଚଳାଚଳ କରିଥିବା ସୂଚନା ମିଳିଛି। ତିନିଟି ମାଲବାହୀ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ସ୍ଥିତି ସ୍ବାଭାବିକ ହେବାପରେ ସମସ୍ତ ଟ୍ରେନ୍ ବିଳମ୍ବରେ ଗନ୍ତବ୍ୟ ପଥରେ ବାହାରିଥିଲେ।