ମଦ ପାଇଁ ଡହଳବିକଳ!

ଦିନକରେ ପିଇଦେଲେ ଦେଢ଼ କୋଟି, ଖୋର୍ଧା ଜିଲ୍ଲାରେ ସର୍ବାଧିକ ବିକ୍ରି

କଟକ: ମଦ ପାଇଁ ସତେ ଯେମିତି ଡହଳବିକଳ ହେଉଛନ୍ତି ଗ୍ରାହକ। ଗଲାକାଲି ଠାରୁ ମଦ ଦୋକାନ ଖୋଲିବା ପରେ ମଦ ଯୋଗାଇବା ମୁସ୍କିଲ ହୋଇପଡ଼ିଛି। ୨୫ ତାରିଖ ଅର୍ଥାତ୍‌ ଗୋଟିଏ ଦିନରେ ରାଜ୍ୟରେ ୮ ହଜାର ୯୪୯ ଅର୍ଡର ରଖିଥିଲେ ମଦ ଦୋକାନୀ। ସନ୍ଧ୍ୟା ୬ଟା ଭିତରେ ୮ ହଜାର ୭୬୮ ମଦ ହୋମ୍ ଡେଲିଭରି ହୋଇଥିଲା। ପାଖାପାଖି ୧ କୋଟି ୪୯ ଲକ୍ଷ ୮୮ ହଜାର ଟଙ୍କାର ମଦ ଗୋଟିଏ ଦିନରେ ବିକ୍ରି ହୋଇଯାଇଥିଲା। ଏଥିରୁ ବିଦେଶୀ ମଦ ବିକ୍ରି ପରିମାଣ ରହିଛି ୧ କୋଟି ୨୧ ଲକ୍ଷ ୪୪ ହଜାର ଟଙ୍କା। ସେହିଭଳି ୨୮ ଲକ୍ଷ ୪୪ ହଜାର ଟଙ୍କାର ବିକ୍ରି ହୋଇଛି। ରାଜ୍ୟରେ ସର୍ବାଧିକ ଖୋର୍ଧା ଜିଲ୍ଲାରେ ମଦ ବିକ୍ରି ହୋଇଥିବା ଅବକାରୀ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଅବକାରୀ ବିଭାଗ ଯଦିଓ ୨୪ ତାରିଖରୁ ଉଭୟ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋଟ ୨ ହଜାର ୮୨ ଦୋକାନରେ କାରବାର ଆରମ୍ଭ ହୋଇ ପାରିନାହିଁ। ସରକାରୀ ରିପୋର୍ଟ ଅନୁଯାୟୀ, ୨୫ ତାରିଖ ସୁଦ୍ଧା ୨୭୮ଟି ଠିପି ବନ୍ଦ ଦୋକାନ ଏବଂ ୧୧୬ଟି ଠିପି ଖୋଲା ଦୋକାନ ବ୍ୟବସାୟ କରିଥିଲେ। ୮୦୦ ପାଖାପାଖି ଦୋକାନ ଖୋଲିଥିଲେ ବି ଅନଲାଇନ୍ ବ୍ୟବସ୍ଥା ସହିତ ଅଭ୍ୟସ୍ତ ନଥିବାରୁ ଅନ୍ୟ ଦୋକାନ ଗୁଡିକ ବ୍ୟବସାୟ କରି ପାରି ନଥିଲେ। ଆଉ କେତେ ଦୋକାନରେ ମଦ ଷ୍ଟକ୍ ନଥିବାରୁ ବିକ୍ରି ଆରମ୍ଭ ହୋଇପାରି ନଥିଲା। ରାଜ୍ୟର ୯ଟି ଓଏସବିସି(ମଦ ନିଗମ)ରେ ଏବେ ସାମାଜିକ ଦୂରତା ରକ୍ଷା କରି ପର୍ଯ୍ୟାୟକ୍ରମେ ଜିଲ୍ଲା ଓ୍ବାରି ମଦ ଦୋକାନୀଙ୍କୁ ମଦ ବିକ୍ରି କରାଯାଉଥିବାରୁ ସମସ୍ତ କାଉଣ୍ଟରରେ ମଦ ପହଞ୍ଚିପାରି ନାହିଁ। ଆଉ କିଛି ଦୋକାନ ଗ୍ରାମାଞ୍ଚଳରେ ଥିବାରୁ ଆଦୌ ଦୋକାନର ତାଲା ଖୋଲିବା ସମ୍ଭବପର ହୋଇପାର ନାହିଁ। ଗ୍ରାହକ ଓଏସବିସି(ମଦ ନିଗମ) ୱେବସାଇଟରୁ ଦୋକାନୀଙ୍କ ଯୋଗାଯୋଗ ନମ୍ବର କାଢ଼ି ମଦ ଅର୍ଡର କରିବା ସହଜ ହେଉନଥିବାରୁ ଗ୍ରାମାଞ୍ଚଳଗୁଡ଼ିକରେ ଥିବା ଦୋକାନ ଖୋଲି ପାରିନାହିଁ। ତେବେ ଗଲାକାଲି ୨୫ ତାରିଖରେ ଗୋଟିଏ ଦିନରେ ଠିପି ବନ୍ଦ ମଦ ଦୋକାନୀ ମୋଟ ୬ ହଜାର ୪୨୬ ଅର୍ଡର ପାଇଥିଲେ। ସେଥିରୁ ୬ ହଜାର ୨୮୪ ଅର୍ଡର ହୋମ ଡେଲିଭରି କରିବାରେ ସଫଳ ହୋଇଥିଲେ। ଏହି ଠିପି ବନ୍ଦ ଦୋକାନୀ ୮ହଜାର ୨୮୦.୪୯ ଡେସିଲିଟର(ଡିଏଲ୍) ବିଅର୍ ବିକ୍ରି କରିଛନ୍ତି। ବିକ୍ରି ହୋଇଥିବା ବିଅରର ଆନୁମାନିକ ମୂଲ୍ୟ ପ୍ରାୟ ୨୧ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ସେହିପରି ୭ହଜାର ୧୮୬.୧୧ ଲଣ୍ଡନ ପ୍ରୁଫ୍ ଲିଟର(ଏଲପିଏଲ) ବିଦେଶୀ ମଦ ବିକ୍ରି କରିଥିଲେ। ବିକ୍ରି ବିଦେଶୀ ମଦର ମୂଲ୍ୟ ପାଖାପାଖି ୮୮ ଲକ୍ଷ ୭୨ ହଜାର ଟଙ୍କା। ଅନ୍ୟପଟେ ଠିପି ଖୋଲା ଦୋକାନୀ ୨ ହଜାର ୫୨୩ ଅର୍ଡର ପାଇଥିବା ବେଳେ ସେଥିରୁ ୨ ହଜାର ୪୮୪ ଅର୍ଡର ଡେଲିଭରି କରିପାରିଥିଲେ। ୨ ହଜାର ୭୩୮.୨୯୯ ଡେସିଲିଟର(ଡିଏଲ୍) ବିଅର ବିକ୍ରି କରିଛନ୍ତି। ବିକ୍ରି ହୋଇଥିବା ବିଅରର ମୂଲ୍ୟ ୭ ଲକ୍ଷ ୨୧ ହଜାର ଟଙ୍କା। ସେହିପରି ୨ ହଜାର ୬୫୦.୪୮୧ ଲଣ୍ଡନ ପ୍ରୁଫ୍ ଲିଟର(ଏଲପିଏଲ) ବିଦେଶୀ ମଦ ବିକ୍ରି ହୋଇଥିଲା। ବିକ୍ରି ହୋଇଥିବା ବିଦେଶୀ ମଦର ମୂଲ୍ୟ ପାଖାପାଖି ୩୨ ଲକ୍ଷ ୭୨ ହଜାର ଟଙ୍କା। ତେବେ ଠିପି ବନ୍ଦ ତୁଳନାରେ ଠିପି ଖୋଲା ସେଭଳି ବ୍ୟବସାୟ କରିପାରି ନାହାନ୍ତି। ଅନ୍ୟପଟେ ଖାଦ୍ୟ ଯୋଗାଣକାରୀ ସଂସ୍ଥା ସ୍ବିଗି ଓ ଜୋମାଟୋ ଏବେ ଭୁବନେଶ୍ବର ସମେତ କଟକ, ରାଉରକେଲା, ବାଲେଶ୍ବର, ବଲାଙ୍ଗୀର, ସମ୍ବଲପୁର ଏବଂ ବ୍ରହ୍ମପୁରରେ ମଦ ଯୋଗାଇବା ପାଇଁ ମଦ ଦୋକାନ ମାଲିକଙ୍କ ସହିତ ଆଲୋଚନା ଆରମ୍ଭ କରି ଦେଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର