ସର୍ଭିସ ରେକର୍ଡ ଅପ୍‌ଡେଟ୍‌ ପାଇଁ ୨୦ ହଜାର ଲାଞ୍ଚ ନେଉଥିଲେ ସିଆରସିସି, ମାଡ଼ବସିଲା ଭିଜିଲାନ୍ସ

ନାରାୟଣପାଟଣା: ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନ୍ତର୍ଗତ ବିଜାଘାଟି ଏବଂ ତଳଗୁମାଣ୍ଡିର ସେକ୍‌ସନ୍‌ର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି)ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ ସର୍ଭିସ ରେକର୍ଡ ଓ ବୈପାରିଗୁଡ଼ା ବ୍ଲକ ବିଇଓ ଅନ୍ତର୍ଗତ ବର୍ତ୍ତମାନ କାର୍ଯ୍ୟରତ ପଦୋନ୍ନତିର ଦରମା ଅପ୍‌ଡେଟ୍‌ କରିବା ପାଇଁ ସିଂସେଠି କିଶାନ କୁମାରଙ୍କୁ ଗିରଫ କରିଛି।ତାଙ୍କ ପୈତୃକ ଘର, ସରକାରୀ କାର୍ଯ୍ୟାଳୟ, ରାୟଗଡ଼ା ଜିଲ୍ଲା ଗୁଡ଼ାରୀସ୍ଥିତ ଶଶୁର ଘରେ ଭିଜିଲାନ୍ସର ଟିମ୍ ଚଢାଉ ଜାରି ରଖିଥିବା ଜୟପୁର ଭିଜିଲାନ୍ସ ଡିଏସପି ସୂଚନା ଦେଇଛନ୍ତି।

ଦରମା ସଂପର୍କିତ ରେକର୍ଡ ଅପଡେଟ ତଥା ସର୍ଭିସ୍ ବୁକ୍ ଅପଡେଟ ପାଇଁ ସିଆରସିସି ପୂର୍ବରୁ ସହକାରୀ ଶିକ୍ଷକ(ପ୍ରକାଶ କୁମ୍ଭାର, ବୈପାରିଗୁଡା ବ୍ଲକରେ ଶିକ୍ଷକତା କରନ୍ତି)ଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏବାବଦରେ ସଂପୃକ୍ତ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

ତେବେ ଯୋଜନା ଅନୁସାରେ ଆଜି ସିଆରସିସି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ସିଂ ଜେଠୱାଙ୍କ ନିର୍ଦ୍ଦେଶ ଅନୁସାରେ ଜୟପୁର ଭିଜିଲାନ୍‌ସର ଜଣେ ଡିଏସପି, ୨ ଜଣ ଇନ୍‌ସପେକ୍ଟର, ଜଣେ ଏଏସାଇଙ୍କ ସମେତ ୯ଜଣିଆ ଟିମ୍‌ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ସିଆରସିସିଙ୍କ ପାଖରୁ ରଂଗବୋଳା କୋଡ଼ିଏ ହଜାର ଟଙ୍କା ଜବତ ହୋଇଥିଲା। ତେବେ ରିପୋର୍ଟ ଲେଖାଯିବା ବେଳକୁ ଭିଜିଲାନ୍‌ସ ଟିମ୍‌ ସିଆରସିସିଙ୍କ ପୈତୃକ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାୟଗଡ଼ା ଜିଲ୍ଲା ଗୁଡ଼ାରୀର ଶଶୁର ଘରେ ଏକକାଳୀନ ଚଢ଼ଉ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ନାରାୟଣପାଟଣା ବ୍ଲକରେ ସିଆରସିସି ଏସ୍ କିଶାନ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିଲେ। ଦୀଘ କୋଡ଼ିଏ ବର୍ଷରୁ ଅଧିକ ସମୟ ଧରି ନାରାୟଣପାଟଣା ବ୍ଲକର ଶିକ୍ଷା ବିଭାଗରେ ଶିକ୍ଷକତା କରିବା ସମୟରେ ଶିକ୍ଷକଙ୍କ ଦରମା ବନ୍ଦ, ଶିକ୍ଷକମାନଙ୍କୁ ନିଲମ୍ବିତ କରି ବିଇଓଙ୍କ ନାମରେ ବହୁ ଟଂକା ଆଦାୟ କରାଉଥିଲେ। ଏପରି କି ପୂରା ଶିକ୍ଷା ବିଭାଗକୁ ନିଜ ଅଧିନରେ ରଖି ଦୁର୍ନିତି ଉପରେ ଦୁର୍ନୀତି କରିଆସୁଥିଲେ। ଖାସ କରି କି ଉପକୂଳର୍ତ୍ତୀ ଅଂଚଳର ଶିକ୍ଷକମାନଙ୍କୁ ନାନା ହୋଇରାଣ କରିଆସୁଥିଲେ। ସ୍କୁଲ ମାନଙ୍କର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଶିକ୍ଷକ ମାନଙ୍କ ଦରମା କରିବା ଯାଏଁ ସବୁ କାମ ନିଜେ କରୁଥିଲେ । ଏପରିକି କେହି ବି ସିଙ୍ଗିସେଠି କିଶାନ ଙ୍କ‌ବିରୋଧରେ ସ୍ବର ଉତୋଳନ କରିପାରୁଥିଲେ।

ସମ୍ବନ୍ଧିତ ଖବର