ଖୋର୍ଦ୍ଧା: ମହାନଦୀରେ ଉଦବୃତ୍ତ ବନ୍ୟାଜଳ ପ୍ରବାହିତ ହେବା ସହ ଲଗାଣ ବର୍ଷା ଯୋଗୁଁ ଖୋର୍ଦ୍ଧା ତହସିଲର ୪ଟି ପଂଚାୟତ ପାଇଁ ସର୍ବଦା ବଢ଼ି ସୃଷ୍ଟି ହୋଇଥାଏ । ଗତବର୍ଷ ସେପ୍ଟମ୍ବର ୧୬ ତାରିଖରେ ଖୋର୍ଦ୍ଧା ବ୍ଲକର ନରଣଗଡ଼, ବ୍ରଜମୋହନପୁର ଓ ଓରବରସିଂହ ପଂଚାୟତରେ ମହାନଦୀର ପଛୁଆ ପାଣି ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ମଧ୍ୟ ଅନୁରୂପ ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ତହସିଲ ଓ ବ୍ଲକର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଖୋର୍ଦ୍ଧା ତହସିଲଦାର ଇପସିତ ସାହୁଙ୍କ ସୂଚନାନୁସାରେ, ଆଜି ସେ ନିଜେ ଓ ଖୋର୍ଦ୍ଧା ବିଡିଓଙ୍କୁ ନେଇ ଏକ ଟିମ୍ ଖୋର୍ଦ୍ଧା ବ୍ଲକର ବନ୍ୟା ଆଶଙ୍କା ଥିବା ଓରବରସିଂହ, ବ୍ରଜମୋହନପୁର, ନରଣଗଡ଼ ପଂଚାୟତର ସ୍ଥିତି ପରଖି ଆସିଛନ୍ତି । ବର୍ତମାନ ବଢ଼ି ପରିସ୍ଥିତି ସୃଷ୍ଟି ହୋଇନାହିଁ, କିନ୍ତୁ ଲଗାଣ ବର୍ଷାରେ ତିନିଜଣଙ୍କ ଛଣଛପର ଘର ନଷ୍ଟ ହୋଇଥିବାରୁ ସେମାନଙ୍କୁ ତାର୍ପୁଲିନ୍ ଦିଆଯାଇଛି । ଆପତକାଳୀନ ବ୍ୟବହାର
ପାଇଁ ୩୨ଟି ତାର୍ପୁଲିନ୍ ଗୋଳବାଇ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ମହଜୁଦ ରଖାଯାଇଛି । ଏହା ସହ ଦୁଇଟି ଡଙ୍ଗା ପ୍ରସ୍ତୁତ ରଖାଯାଇଛି । ଓଡ୍ରାଫ୍ ଟିମକୁ ସତର୍କ କରିଦିଆଯାଇଛି । ମାନପୁର ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି । ରବିବାର ରାତିରେ ମଧ୍ୟ ଏକ ଟିମ୍ ଯାଇ ସ୍ଥିତି ଅନୁଧ୍ୟାନ କରିବେ ଓ ସକାଳେ ପୁଣି ସେ ନିଜେ ସମ୍ଭାବ୍ୟ ବଢ଼ି ଅଂଚଳ ଯିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ତହସିଲ ଓ ବ୍ଲକର କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ, ପ୍ରତିବର୍ଷ ଲଗାଣ ବର୍ଷା ଓ ମହାନଦୀରେ ପଛୁଆ ପାଣି ଯୋଗୁଁ ରାଜୁଆ, ଦୟା ଓ ମଲାଗୁଣି ନଦୀରେ ବଢ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ । ଏଥିରେ ବ୍ରଜମୋହନପୁର, ନରଣଗଡ଼, ଓରବରସିଂହ ପଂଚାୟତର ୧୨-୧୩ଟି ଗାଁ- ହିରିମୂଳ, ଡିହଖଳା, ଓରବରସିଂହ, ମଶାଣିଆ, କୃଷ୍ଣପୁର, ରାୟପୁର, ତେନ୍ତୁଳିମୁହଁ, ଲେଖନପୁର, ମାନପୁର, ଓରମୀ, ଧବଳପୁର, ବଳପୁର, ବ୍ରଜମୋହନପୁର ଆଦି ସର୍ବାଧିକ ପ୍ରଭାବିତ ହୋଇଥାନ୍ତି ।