ଭୁବନେଶ୍ବର : ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଜନଭାଗୀଦାରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ବିଭିନ୍ନ ସାଂସ୍କୃତିକ, ବୌଦ୍ଧିକ ଓ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ ବୈଠକ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି।

Advertisment

ଏହି କ୍ରମରେ ଆଜି ଜଗତ୍‌ସିଂହପୁର ଜିଲ୍ଲାର କାନ୍ତବଲ୍ଲଭପୁର ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟଠାରେ ବସୁଧୈବ କୁଟୁମ୍ବକମ୍ ବିଷୟବସ୍ତକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟଗୀତ ମାଧ୍ୟମରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ସହାୟତାରେ ଜଗତ୍‌ସିଂହପୁର ଜିଲ୍ଲାରେ ‘କାର୍ଯ୍ୟର ଭବିଷ୍ୟତ’ ବିଷୟବସ୍ତୁ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସ୍କୁଲ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ସେମିନାରରେ ଅଂଶଗ୍ରହଣ କରିଥିଲେ।
ଅନ୍ୟପଟେ ଭୁବନେଶ୍ୱରସ୍ଥିତ ପଦାର୍ଥବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁରୂପ ଭାବେ ବୌଦ୍ଧ ସରକାରୀ ପଲିଟେକ୍‌ନିକ୍‌ ପକ୍ଷରୁ ଏକ ଯୋଗ ଶିବିର ଓ ଅନ୍‌ଲାଇନ୍ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏନ୍‌ଆଇଟି ରାଉରକେଲା ପକ୍ଷରୁ ‘ଡିଜିଟାଲ କାରବାରର ଭବିଷ୍ୟତ’ ବିଷୟବସ୍ତୁକୁ ନେଇ ଏକ ୱେବିନାର ଆୟୋଜନ କରାଯାଇଥିଲା।