ସ୍ୱର୍ଗଦ୍ୱାରରୁ ହଟିଲା କଟକଣା, ବାହାର ଜିଲ୍ଲା ଲୋକଙ୍କୁ ଶବଦାହ ଅନୁମତି

ଅଣକୋଭିଡ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ

ପୁରୀ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବାହାର ଜିଲ୍ଲା ଲୋକଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ କ୍ଷେତ୍ରରେ ଲାଗିଥିବା କଟକଣାକୁ ପୁରୀ ଜିଲ୍ଲା ପ୍ରଶାସନ ହଟାଇ ଦେଇଛି। ଏଥର ଜିଲ୍ଲା ଓ ଜିଲ୍ଲା ବାହାରର ଲୋକେ ସେମାନଙ୍କ ଆତ୍ମୀୟସ୍ବଜନଙ୍କ ମୃତଦେହ ପୁରୀ ସ୍ବର୍ଗଦ୍ବାରରେ ଦାହ କରିପାରିବେ। ଏଥିପାଇଁ ନିର୍ଦ୍ଦିଷ୍ଟ କଟକଣା ଜାରି କରାଯାଇଛି। ତେବେ ମୃତକଙ୍କ ଅଣକୋଭିଡ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଏ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।

ଜାରି ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ତଥା ଜିଲ୍ଲା ବାହାର ଭକ୍ତମାନେ ଶବଦାହ ପୂର୍ବରୁ ସ୍ବର୍ଗଦ୍ବାର ସେବା ସମିତି ଅଭ୍ୟର୍ଥନା କେନ୍ଦ୍ରରେ ଅଣକୋଭିଡ୍‌ର ଆବଶ୍ୟକ କାଗଜପତ୍ର ଦେଖାଇବେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲେ ମୃତକଙ୍କ ପରିବାର ତଥା ଆତ୍ମୀୟସ୍ବଜନମାନେ ମୃତ୍ୟୁ ପୂର୍ବରୁ ଡାକ୍ତରୀ ରିପୋର୍ଟ ଦେଖାଇ ପାରିବେ। ଘରେ ମୃତ୍ୟୁ ହୋଇଥିଲେ, ସ୍ଥାନୀୟ ସରପଞ୍ଚ ଅବା ମୁରବୀଙ୍କ ଦସ୍ତଖତ ଥିବା କାଗଜପତ୍ର ଦେଖାଇପାରିବେ। ଶବଦାହ ବେଳେ ସ୍ବର୍ଗଦ୍ବାରରେ ଅତିବେଶିରେ ୧୦ଜଣ ପରିବାର ସଦସ୍ୟ ତଥା ଆତ୍ମୀୟସ୍ବଜନ ଉପସ୍ଥିତ ରହିପାରିବେ। ଶବଦାହ ବେଳେ ତଥା ସ୍ବର୍ଗଦ୍ବାରରେ ପ୍ରବେଶ ପୂର୍ବରୁ କୋଭିଡ୍‌ ନିୟମ ଅନୁପାଳନ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। କୋଭିଡ୍‌ କଟକଣା ଅନୁପାଳନ ହେଉଛି କି ନାହିଁ, ସେ ଉପରେ ନଜର ରଖିବାକୁ ସ୍ବର୍ଗଦ୍ବାର ସେବା ସମିତିର ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର