ଭିଟାମାଟିରେ ପଞ୍ଚଭୂତରେ ଲୀନ ହେଲେ ଯବାନ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କବିସୂର୍ଯ୍ୟନଗର: ସିକିମ୍ ରାଜ୍ୟ ଭାରତ-ଚୀନ୍ ସୀମାନ୍ତ ନାଥୁଲାରେ ରବିବାର ସକାଳେ ସେନାବାହିନୀର ଏକ ଜିପ୍ ବରଫାବୃତ୍ତ ପାହାଡ଼ିଆ ଇଲାକାରୁ ଖାତକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣ ସେନା ଯବାନ ସହିଦ୍ ହୋଇଥିଲେ। ମୃତକ ଯବାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଆଠଗଡ଼ପାଟଣା ବଣିଆସାହିର ଯଜ୍ଞନାରାୟଣ କର (୨୭) ଥିଲେ। ଆଜି ରାତି ପ୍ରାୟ ୮ଟାରେ ସାମରିକ ବିଭାଗ ଜିପ୍‌ ଯୋ‌ଗେ ଯଜ୍ଞଙ୍କ ଶବ ଆଠଗଡ଼ପାଟଣାରେ ପହଞ୍ଚିଥିଲା। ଆଉ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ଗାଁ ପରିବେଶ। ବାପା ପ୍ରଫୁଲ୍ଲ ଓ କବିତା ଗୋଟିଏ ମାତ୍ର ରୋଜଗାରିଆ ପୁଅକୁ ହରାଇ କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ।

ଏକ ବିରାଟ ଶୋଭାଯାତ୍ରାରେ ଶବକୁ ଗ୍ରାମରେ ପରିକ୍ରମା କରାଯାଇଥିଲା। ଶତାଧିକ ସଂଖ୍ୟାରେ ଗ୍ରାମବାସୀ ଓ ଯୁବକ ମାନେ ହାତରେ ଜାତୀୟ ପତାକା ଧରି ଏଥିରେ ସାମିଲ ହୋଇଥିଲେ। ‘ଯଜ୍ଞ ଅମର୍ ରହେ…’ ଧ୍ବନିରେ ଗାଁ ପ୍ରକମ୍ପିତ ହୋଇ ଉଠିଥିଲା। ପରେ ବ୍ରାହ୍ମଣଶାସନରେ ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇ ଶବକୁ ସଂସ୍କାର କରାଯାଇଥିଲା।

ଗଞ୍ଜାମ ଏସ.ପି.ବ୍ରିଜେଶ କୁମାର ରାଏ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯଜ୍ଞଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏସ୍‌.ପି ଓ ଜିଲ୍ଲାପାଳ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। କବିସୂର୍ଯ୍ୟନଗର ବିଡିଓ ବାସୁଦେବ ନାୟକ, ତହସିଲଦାର ପ୍ରକାଶ ମିଶ୍ର, ଥାନାଧିକାରୀ ପ୍ରଭାତ କୁମାର ସାହୁ, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଓ ସେନାର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି, ଯଜ୍ଞ ଗତବର୍ଷ ଆରତୀ ପଣ୍ଡାଙ୍କୁ ବିବାହ କରିଥିଲେ। ଆରତୀ ବର୍ତ୍ତମାନ ୭ ମାସର ଗର୍ଭବତୀ ଥିବା ବେଳ‌େ ସ୍ବାମୀଙ୍କ ମୃତ୍ୟୁ ତାଙ୍କ ଉପରେ ଦୁଃଖର ପାହାଡ଼ ଲଦି ଦେଇଛି।

ସମ୍ବନ୍ଧିତ ଖବର