ଭଂଜନଗର: କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ | କାଲି ଯେଉଁ ଗାଁ ଦାଣ୍ଡରେ ବାଜା-ମହୁରୀର ଶବ୍ଦ ଶୁଭୁଥିଲା, କାଳ ରାତିର ଦୁର୍ଘଟଣା ସବୁକିଛି ବଦଳାଇଦେଇଛି | କାଲି ସମସ୍ତେ ଗାଁର ଝିଅକୁ ଶାଶୂଘରକୁ ବିଦାୟ ଦେଇ କାନ୍ଦୁଥିଲେ ଆଉ ଆଜି ସମ୍ପର୍କୀୟଙ୍କୁ ସବୁଦିନ ପାଇଁ ହରାଇ କାନ୍ଦୁଛନ୍ତି | ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଗାଁ ଦାଣ୍ଡ ଦୁଇଟି ଦୃଶ୍ୟ ଦେଖିଛି | ଗଂଜାମ ଜିଲ୍ଲା ଦିଗପହଣ୍ଡିର ସାନଖେମୁଣ୍ଡି ବ୍ଲକ୍ ଖଣ୍ଡଦେଉଳି ଗାଁ ଆଜି ଯେମିତି ସ୍ତବ୍ଧ ପାଲଟିଯାଇଛି | ଗ୍ରାମବାସୀଙ୍କ ମୁହଁରେ କେବଳ ଗୋଟିଏ କଥା କେଡେ କଥା କଲୁରେ ଦଇବ | ବ୍ରହ୍ମପୁର ବଡ଼ ମେଡିକାଲରେ ସମସ୍ତ ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।
ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମରେ ଶ୍ମଶାନ ଘାଟରେ ୫ଜଣଙ୍କୁ ପୁଷ୍ପମାଲ୍ୟ ଦେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି | ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଖେମୁଣ୍ଡି କଲେଜ୍ ଛକ ମଳଭଞ୍ଜା ନିକଟରେ ଦୁର୍ଘଟଣାରେ ୧୧ଜଣ ପ୍ରାଣ ହରାଇଥିବାବେଳେ ଆଜି ଉଭୟ ଖଣ୍ଡଦେଉଳି ଓ ମୁଜାଗଡ଼ ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ୧୧ ଜଣ ମୃତକଙ୍କ ମଧ୍ୟରେ ଭଞ୍ଜନଗର ତହସିଲ ଅଧିନ ମୁଜାଗଡ ଗ୍ରାମର ୨ ନିଷ୍ପାପ ଶିଶୁ ସମେତ ୫ ଜଣ ରହିଛନ୍ତି। ମୃତକ ମାନେ ହେଲେ ଶରତ ପ୍ରଧାନଙ୍କ ବୋହୂ ଶିବାନୀ ପ୍ରଧାନ(୨୭) ଓ ତାଙ୍କ ଏକ ବର୍ଷର ପୁଅ ଆଦ୍ଭିକ୍ | ସେହିପରି ଗୋପାଳ ପ୍ରଧାନଙ୍କ ବୋହୂ ସୁଜ୍ଞାନୀ ପ୍ରଧାନ(୨୭) ଓ ତାଙ୍କ ୩ ବର୍ଷର ପୁଅ ଦେବାଂଶ ପ୍ରଧାନ | ସେହିପରି ଗ୍ରାମର ଶିବାନୀଙ୍କ ପିଉସା ସଞ୍ଜୟ ମେଦିନରାୟ ମଧ୍ୟ ମୃତ୍ୟୁ ବରଣ ହୋଇଥିଲା। ୫ ଜଣ ମୃତକଙ୍କ ମରଶରୀର ଅପରାହ୍ନରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୂଳ ପରିବେଶରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା