ଖୋର୍ଦ୍ଧା ବରୁଣେଇଠାରେ ଖୋଲିବ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ, ମାର୍ଗଦର୍ଶନ ଦେବେ ଆଝାରୁଦ୍ଦିନ୍
ଓଡ଼ିଶାର ଗାଁ ଗଣ୍ଡାରେ କ୍ରିକେଟ୍ ପ୍ରତିଭା ଅଛନ୍ତି: ଆଝାରୁଦ୍ଦିନ୍
ଭୁବନେଶ୍ବର : ଓଡ଼ିଶା କ୍ରିକେଟ୍ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଖୋର୍ଦ୍ଧାର ବରୁଣେଇଠାରେ ଖୋଲିବ ବିଶ୍ବସ୍ତରୀୟ କ୍ରିକେଟ୍ ଏକାଡେମୀ। କେଟି ଗ୍ଲୋବାଲ ସ୍କୁଲ ଦ୍ବାରା ଆଇଆଇଜି କ୍ରିକେଟ୍ ଏକାଡେମୀ ନାମରେ ଏହା ଆରମ୍ଭ ହେବ। ଜୁନ୍ ଦ୍ବିତୀୟ ସପ୍ତାହରେ ଏହା ଖୋଲିବାର ସମ୍ଭାବନା ଅଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ରହିବା ସହ ଆବାସିକ ସୁବିଧା ରହିବ। ଏହି ଏକାଡେମୀ କ୍ରିକେଟ୍ କିଂବଦନ୍ତି ତଥା ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ନେତୃତ୍ବ ଏବଂ ପରାମର୍ଶରେ ଚାଲିବ। ରବିବାର ଆଝାରୁଦ୍ଦିନ୍ ବରୁଣେଇ ନିକଟରେ ଥିବା କେଟି ଗ୍ଲୋବାଲ ସ୍କୁଲଠାରେ ନିର୍ମାଣ ହେଉଥିବା ଏହି ଏକାଡେମୀର ଭିତ୍ତିଭୂମି ଦେଖିବା ସହ ସ୍କୁଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ବର୍ଷ ଏହା ଆରମ୍ଭ ହେବାର ଥିଲା, କିନ୍ତୁ କୋଭିଡ ଯୋଗୁଁ ଏହା ସ୍ଥଗିତ ରହିଥିଲା। ଆସନ୍ତା ମାସ ଦ୍ବିତୀୟ ସପ୍ତାହରେ ଏକାଡେମୀ ଆରମ୍ଭ କରିବାକୁ ଯୋଜନା ଥିବା ନେଇ ରବିବାର ଅପରାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଝାରୁଦ୍ଦିନ କହିଛନ୍ତି।
‘‘ମୁଁ ବହୁତ ଖୁସି ଏହି ଏକାଡେମୀ ମାଧ୍ୟମରେ ଓଡ଼ିଶାରୁ କିଛି ସୁପ୍ତ ପ୍ରତିଭା ସନ୍ଧାନ କରିପାରିବି। ଯେଉଁମାନେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖେଳିବାକୁ ସକ୍ଷମ ହେବେ। ପୂର୍ବରୁ ଓଡ଼ିଶାରୁ ଦୁଇ ଜଣ ଦେବାଶିଷ ମହାନ୍ତି ଓ ଶିବ ସୁନ୍ଦର ଦାସ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ପାରିଛନ୍ତି। ତାଙ୍କ ଭଳି ଅନେକ ପ୍ରତିଭା ଓଡ଼ିଶାର ଗାଁ ଗଣ୍ଡାରେ ରହିଛନ୍ତି। ହେଲେ ଗାଁରେ ଖେଳୁଥିବା ଏହି ଖେଳାଳିମାନେ ସହରକୁ ଆସି ପାରୁନାହାନ୍ତି କି ଆଗକୁ ବଢ଼ିବାର ବାଟ ପାଉନାହାଁନ୍ତି। ଫଳରେ ସେମାନେ ଆଗକୁ ବଢ଼ିବା ବଦଳରେ ସେହିଠାରେ ରହି ଯାଉଛନ୍ତି। ମୋର ଈଚ୍ଛା ଏହି ପରି ସୁପ୍ତ ପ୍ରତିଭାକୁ ଚିହ୍ନଟ କରି ଆଗକୁ ବଢ଼ାଇବା। ଏହି ଏକାଡେମୀ ମାଧ୍ୟମରେ ଏହା କରିପାରିବି ବୋଲି ଆଶା ରଖିଛି। ଏକାଡେମୀ ପାଇଁ ସବୁବେଳେ ମୋର ଓଡ଼ିଶା ଯିବାଆସିବା ଲାଗି ରହିବ। ଓଡ଼ିଶା ମୋ ପାଇଁ ଭାଗ୍ୟବାନ। ଏହି ଏକାଡେମି ନିଶ୍ଚିତ ଭବିଷ୍ୟତରେ ଭଲ କରିବ ବୋଲି ଆଶା ରଖିଛି’’ ବୋଲି ଆଝାରୁଦ୍ଦିନ କହିଛନ୍ତି। ହକିରେ ଓଡ଼ିଶା ଖେଳାଳି ଅଲିମ୍ପିକ୍ ପଦକ ଜିତିଛନ୍ତି। ଓଡ଼ିଶା ସରକାର ବି ସବୁ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଆଜାର୍। ‘‘ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ସାରା ରାଜ୍ୟରେ ସର୍ବଦା ଚାଲିବ। ଓଡ଼ିଶା କ୍ରିକେଟ୍ ସଂଘର ସହଯୋଗରେ ଓଡ଼ିଶା କ୍ରିକେଟ୍ ଲିଗ୍ ନାମରେ ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜନ କରିବାର ଯୋଜନା ରଖିଛୁ। ବିଶେଷ କରି ଆଦିବାସୀ ପିଲାମାନେ କିଭଳି କ୍ରିକେଟ୍ ସହ ଯୋଡ଼ି ହେବେ ଏହି ଏକାଡେମୀର ପ୍ରମୁଖ ଲକ୍ଷ୍ୟ ରହିବ’’ ବୋଲି କେଟି ଗ୍ଲୋବାଲ ସ୍କୁଲର ମାନେଜିଂ ଟ୍ରଷ୍ଟି ସୋମଦତ୍ତ ବେଉରା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କେଟି ଗ୍ଲୋବାଲ ସ୍କୁଲ୍ର ପରାମର୍ଶଦାତା ତଥା ଡେରାଡୁନ୍ ଡୁନ୍ ସ୍କୁଲ୍ର ପୂର୍ବତନ ଅଧ୍ୟକ୍ଷ ଅରୁଣ ଦାସ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଆଝାରୁଦ୍ଦିନ ଖୋର୍ଦ୍ଧା ଗସ୍ତ ସମୟରେ ଏକାଡେମୀରେ ଯୋଗ ଦେବାକୁ ଆସିଥିବା ୫୦ ଜଣ ପ୍ରତିଭା ଅସିଥିଲେ। ଏମାନଙ୍କ ମଧ୍ୟରୁ ଆଝାରୁଦ୍ଦିନ୍ ୧୫ ଜଣଙ୍କୁ ଏକାଡେମୀ ପାଇଁ ଚୟନ କରିଥିଲେ।