ବାରବାଟୀରେ କ୍ରିକେଟ ମ୍ୟାଚ୍ ବାତିଲ୍‌ ମାମଲା ଖାରଜ

ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ବାରବାଟୀ ଷ୍ଟାଡିୟମରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବା ଦର୍ଶାଇ ଦାୟର ଜନସ୍ବାର୍ଥ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଆଜି ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଏ ସମ୍ପର୍କିତ ମାମଲାର ଶୁଣାଣି କରିବା ସହିତ ମାମଲାକୁ ଖାରଜ କରିଛନ୍ତି। ଫଳରେ, ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ ଆୟୋଜନ ନେଇ ରହିଥିବା ପ୍ରତିବନ୍ଧକ ଦୂର ହୋଇଛି।

ଷ୍ଟାଡିୟମରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ଓ ନିର୍ମାଣଗତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ ବୋଲି ଆବେଦନକାରୀ ସଂଜୟ କୁମାର ନାୟକଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ, ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଦର୍ଶାଇଥିଲେ ଯେ ବ୍ୟବସ୍ଥିତ ଢଙ୍ଗରେ ସଫଳ ମ୍ୟାଚ୍ ଆୟୋଜନ ପାଇଁ ଓସିଏ ରାଜ୍ୟ ସରକାରଙ୍କ ସହିତ ମିଶି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ପୁଲିସ ଓ ଅନ୍ୟ ଅଂଶୀଦାରମାନେ ଅଗ୍ନିଶମ ସେବା ବିଭାଗ ସହଯୋଗରେ ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି। ଦର୍ଶକଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଦର୍ଶକଙ୍କ ପାଇଁ କୌଣସି ଅସୁବିଧା ହେବନାହିଁ। ଏହି ପ୍ରସଙ୍ଗରେ କୌଣସି ନିର୍ଦ୍ଦେଶ ଯଦି ପ୍ରଦାନ କରାଯାଏ, ତେବେ ଭବିଷ୍ୟତରେ ବାରବାଟୀ ଷ୍ଟାଡିୟମରେ ଏଭଳି କ୍ରୀଡ଼ା ଆୟୋଜନ ଉପରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ। ଏହା ଏକ ଆନ୍ତର୍ଜାତିକ ମ୍ୟାଚ୍ ହୋଇଥିବାରୁ କୌଣସି ନିର୍ଦ୍ଦେଶ ଏହି ପ୍ରସଙ୍ଗରେ ପ୍ରଦାନ କରା ନ ଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ ପାଇଁ ରହିଥିବା ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ଓ ଦର୍ଶକଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପ୍ରସଙ୍ଗକୁ ବିଚାରକୁ ନେଇ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ ବୋଲି ଦର୍ଶାଇ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଓ ପ୍ରମାଣପତ୍ର ନଥିବାରୁ ଦର୍ଶକଙ୍କ ସୁରକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ ପାଇଁ ଅନୁମତି ଦିଆ ନ ଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏପରି ପ୍ରମାଣପତ୍ର ନମିଳିବା ପର୍ଯ୍ୟନ୍ତ ବାରବାଟୀରେ କୌଣସି ଆନ୍ତର୍ଜାତିକ ମ୍ୟାଚ ନକରିବାକୁ ଓସିଏ ଓ ଓଡ଼ିଶା ଅଲିମ୍ପିକ ଆସୋସିଏସନକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧିତ ଖବର