ଛତିଶଗଡ଼ କ୍ରିକେଟ ମ୍ୟାଚରୁ ଓଡ଼ିଶା ଆସିଲା କି କରୋନା ? ରାୟପୁରରୁ ମ୍ୟାଚ୍ ଦେଖି ଫେରିଥିବା ଦର୍ଶକ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବଢୁଛି ଏବଂ ନୂଆ ନୂଆ ଜିଲ୍ଲାରେ କାୟା ବିସ୍ତାର କରୁଛି କରୋନା । ବିଶେଷ କରି ପଶ୍ଚିମ ଓଡ଼ିଶାକୁ ଘାରିଛି କରୋନା ଭୟ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ସର୍ବାଧିକ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଡ଼ୋଶୀ ଛତିଶଗଡ ପାଇଁ ନୂଆପଡାରେ ବିପଦ ବଢୁଛି ବୋଲି ଆକଳନ କରାଯାଇଛି। ଛତିଶଗଡ ରାଜଧାନୀ ରାୟପୁରରେ ଭାରତ-ଶ୍ରୀଲଙ୍କା ଭେଟେରାନ୍ ଦଳ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ଦେଖିବାକୁ ନୂଆପଡାରୁ ବହୁ କ୍ରିକେଟପ୍ରେମୀ ଯାଇଥିଲେ ଓ ସେମାନଙ୍କ ଭିତରୁ କିଛି ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ତେଣୁ ସେଠାରୁ ଫେରିଥିବା ଲୋକେ କରୋନା ସଂକ୍ରମଣକୁ ବଢାଇ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ, ମହାରାଷ୍ଟ୍ର. କେରଳ ଓ ରାଜସ୍ଥାନରୁ ଫେରିଥିବା ଲୋକମାନଙ୍କୁ ୭ଦିନ ଗୃହ ସଙ୍ଗରୋଧରେ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ।

ସେପଟେ ରାଉରକେଲା ଏନଆଇଟିର ୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୧୦ରେ ଜଣେ , ୧୫ ଓ ୨୨ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କ୍ୟାମ୍ପସ ପରିସରରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ଏନେଇ ପ୍ରତିଷ୍ଠାନର ଡିନଙ୍କ ପାଖରେ କୌଣସି ଖବର ନାହିଁ । ତେବେ ଛାତ୍ରଛାତ୍ରୀ କରୋନା ପଜିଟିଭ ଥିବା ଖବରକୁ ସ୍ୱୀକାର କରିଛନ୍ତି ଚିଫ୍ ୱାଡେନ୍ ।

ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ଟି ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ଏହା ମଧ୍ୟରେ ରହିଛି ୭୩୬ଟି ୟୁକେ ଷ୍ଟ୍ରେନ, ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ । ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ (ଏନସିଡିସି) ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂହ ଏହି ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଓଡିଶାରେ ୩ଟି ୟୁକେ ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହାରି ଭିତରେ ପଶ୍ଚିମ ଓଡିଶାର କରୋନା ଟ୍ରେଣ୍ଡ ଚିନ୍ତା ବଢାଇଛି ।

ସମ୍ବନ୍ଧିତ ଖବର