କରୋନାର ଅଲଗା ଦିଗ : ଅପରାଧ ଓ ଦୁର୍ଘଟଣାରେ ବି ଲକ୍‌ଡାଉନ୍‌

ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ନଗଣ୍ୟ, ପ୍ରଦୂଷଣ କମିଛି ପ୍ରାୟ ୪୦ %

ରାଉରକେଲା, (ଅଶିଷ କୁମାର ଗଡ଼ନାୟକ): ଗତ ଫେବ୍ରୁଆରି ମାସରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅଧୀନସ୍ଥ ଅଞ୍ଚଳରେ ୪ଟି ଡକାୟତି ମାମଲା, ୧୧ଟି ଦୁର୍ଘଟଣାଜନିତ ମୃତ୍ୟୁ ଓ ୩ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ପୁଲିସ ରେକର୍ଡ ଅନୁସାରେ ମାର୍ଚ୍ଚ ମାସରେ ୩ଟି ଡକାୟତି ମାମଲା, ୫ ଦୁଷ୍କର୍ମ, ୩ଟି ହତ୍ୟାକାଣ୍ଡ ଓ ୧ ଚୋରିର ଅଭିଯୋଗ ଆସିଥିଲା। ତେବେ ମାର୍ଚ୍ଚ ୨୯ ତାରିଖ ପରେ ଏପ୍ରିଲ୍ ମାସରେ ଗତକାଲି ପର୍ଯ୍ୟନ୍ତ, ଏଭଳି ଅପରାଧ ଓ ଦୁର୍ଘଟଣାଜନିତ ମୃତ୍ୟୁ ମାମଲାର ସଂଖ୍ୟା ଶୂନ୍ୟ। ଏହି ସମୟରେ କେବଳ ତାଲାବନ୍ଦ ବା ଲକ୍‌ଡାଉନ୍ ନିୟମ ଉଲଂଘନ ସମ୍ବନ୍ଧୀୟ ୭୩ଟି ମାମଲା ହିଁ ରୁଜୁ ହୋଇଛି। ରାଉରକେଲା ଜିଲ୍ଲା ପୁଲିସ ଅଧୀନସ୍ଥ ଅଞ୍ଚଳର ପରିସଂଖ୍ୟାନ ମଧ୍ୟ ପ୍ରାୟ ସେମିତି। କେବଳ ଏତିକି ନୁହେଁ, ସରକାରୀ ତଥ୍ୟ ଅନୁସାରେ, ବାୟୁ ପ୍ରଦୂଷଣ ମାମଲାରେ ଦେଶର ଅଗ୍ରଣୀ ସହରମାନଙ୍କ ତାଲିକାରେ ଥିବା ରାଉରକେଲାରେ ବାୟୁ ପ୍ରଦୂଷଣର ମାତ୍ରା ପାଖାପାଖି ୪୦ ପ୍ରତିଶତ କମି ଯାଇଛି। ସାଧାରଣ ମନେ ହେଉଥିଲେ ହେଁ ଏସବୁ ଏକ ସକାରାତ୍ମକ ପରିବର୍ତ୍ତନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ରାସ୍ତାରେ ଗାଡ଼ିମୋଟର ଯାଉ ନଥିବାରୁ ଦୁର୍ଘଟଣା ନଘଟିବା ବା ତା’ର ସଂଖ୍ୟା କମିଯିବା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ନହେବା ସ୍ବଭାବିକ। ସେହିପରି କଳକାରଖାନା ବନ୍ଦ ଥିବାରୁ ପ୍ରଦୂଷଣର ମାତ୍ରା କମିବା ମଧ୍ୟ ସ୍ବଭାବିକ କଥା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ କରୋନାର ଆତଙ୍କ ସମୟରେ ଚୋରି ଡକାୟତି, ହତ୍ୟାକାଣ୍ଡ ଓ ଦୁଷ୍କର୍ମ ଆଦି ନ ଘଟିବା ଆଶ୍ଚର୍ଯ୍ୟ କଲାଭଳି। ଏହା ପଛରେ ଆତଙ୍କ ସହିତ ମଦ ଦୋକାନ ବନ୍ଦ ରହିବା ଅନ୍ୟ ଗୋଟିଏ କାରଣ କି?

ପୁଣି ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଅନେକ କାରଖାନା ଓ ଖଣି ଖାଦାନ ଲକ୍‌ଡାଉନ୍ ଭିତରେ ମଧ୍ୟ କିଛି ପରିମାଣରେ ଚାଲୁ ରହିଛି। ମାଲ ପରିବହନ ମଧ୍ୟ ସଂପୂର୍ଣ୍ଣ ବନ୍ଦ ହୋଇନାହିଁ। ତେବେ ଦୁର୍ଘଟଣାର ସଂଖ୍ୟା ପ୍ରାୟତଃ ଶୂନ୍ୟ ହୋଇଯିବା ପଛରେ ମଧ୍ୟ ମଦ ନମିଳିବା ଏକ କାରଣ କି? ଏସବୁ ଚିନ୍ତା କରିବାର ଏବଂ ଭବିଷ୍ୟତର ପନ୍ଥା ନିର୍ଣୟ କରିବାର ସମୟ ଆସିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।

ଆଉ ଗୋଟିଏ ବିଚିତ୍ର କଥା ହେଉଛି, ଏହି ସମୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବେଶ୍ କମି ଯାଇଛି। ରାଉରକେଲା ସରକାରୀ ହସ୍‌ପିଟାଲ ସମେତ ସୁନ୍ଦରଗଡ଼ ସହରକାରୀ ହସ୍‌ପିଟାଲ ଆଦି ଜିଲ୍ଲାର ବଡ଼ ଡାକ୍ତରଖାନାଗୁଡ଼ିକ ଏବେ ଖାଁ ଖାଁ। ଏହି ସରକାରୀ ଡାକ୍ତରଖାନା ସମେତ ବିଭିନ୍ନ ବେସରକାରୀ ଡାକ୍ତରଖାନାରେ ଆଉ ବିଶେଷ ଅଧିକ ନୂଆ ରୋଗୀ ଭର୍ତ୍ତି ହେଉ ନାହାନ୍ତି। ସେଠାରେ ଯେଉଁମାନେ ଏବେ ଅଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଆଗରୁ ଥିଲେ। ସେହିଭଳି ଭାବେ ଔଷଧ ଦୋକାନଗୁଡ଼ିକରୁ ମଧ୍ୟ ବିକ୍ରି ଆଶ୍ଚର୍ଯ୍ୟଜନକ ଭାବେ କମି ଯାଇଛି। ଦୋକାନକୁ ଆସୁଥିବା ଅଧିକାଂଶ ଲୋକ ହ୍ୟାଣ୍ଡ୍ ସାନିଟାନିଜର୍ ଓ ମାସ୍କ ଆଦି କରୋନା ସମ୍ବନ୍ଧୀୟ ଜିନିଷ ହିଁ ଖୋଜୁଛନ୍ତି।

ଏକଥା ସତ ଯେ ଗାଡ଼ି ମୋଟର ଚାଲୁ ନଥିବାରୁ ଦୂରରୁ ଆସୁଥିବା ରୋଗୀମାନେ ଆସିପାରୁ ନାହାନ୍ତି। ସେଥିପାଇଁ ଡାକ୍ତରଖାନା ବା ଔଷଧ ଦୋକାନରେ ଗହଳି କମିଛି। କିନ୍ତୁ ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମି ଯାଇଛି। ରାଉରକେଲାରେ ଥିବା ବେସରକାରୀ କ୍ଲିନିକ୍‌ ଓ ନାମକରା ଡାକ୍ତରମାନଙ୍କ ପାଖରେ ସବୁଦିନ ରୋଗୀଙ୍କର ଲମ୍ବା ଲାଇନ୍ ଦେଖିବାକୁ ମିଳୁଥିଲା। ରୋଗୀଙ୍କ ଭିତରେ ବୟସ୍କ, ମହିଳା ଓ ପିଲାମାନେ ରହୁଥିଲେ। କିନ୍ତୁ ବର୍ତ୍ତମାନ ଆଶ୍ଚର୍ଯ୍ୟଜନକ ଭାବେ ସେ ଲମ୍ବା ଲାଇନ୍ ଦେଖା ଯାଉନାହିଁ। ମନେ ହେଉଛି, ସତେ ଯେମିତି କରୋନା ଅନ୍ୟ ରୋଗମାନଙ୍କୁ ଗିଳି ଦେଇଛି। ଅଥବା ଲୋକେ କରୋନା ପ୍ରକୋପ ଶେଷହେବା ପରେ ହିଁ ଅନ୍ୟ ରୋଗଙ୍କ ଚିକିତ୍ସା କରିବାଲାଗି ଅପେକ୍ଷା କରିଛନ୍ତି। କେହି କେହି କିନ୍ତୁ ମତ ଦିଅନ୍ତି ଯେ ସ୍ବାସ୍ଥ୍ୟସେବାର ବ୍ୟବସାୟୀକରଣ ଫଳରେ ସାଧାରଣ ସମୟରେ ଲୋକେ ବିନା କାରଣରେ ଡାକ୍ତରଙ୍କ ପାଖକୁ ଯାଆନ୍ତି, ଅନାବଶ୍ୟକ ଔଷଧ ଗିଳନ୍ତି। ଏମିତିକି କ୍ଲିନିକ୍‌ରେ ବି ରହନ୍ତି; ଯଦିଓ ସେମାନଙ୍କଠାରେ ସେମିତି କିଛି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ନଥାଏ ଏବଂ କିଛିଦିନ ଅପେକ୍ଷା କରିଥିଲେ କଷ୍ଟ ଆପେ ଉପଶମ ହୋଇ ଯାଇଥାଆନ୍ତା!

ବିଶେଷଜ୍ଞମାନଙ୍କ କହିବା କଥା ହେଲା; ଲକ୍‌ଡାଉନ୍‌ ଯୋଗୁ ଏବେ ଲୋକେ ଘର ଖାଦ୍ୟ ଖାଉଛନ୍ତି। ବଜାର ଖାଦ୍ୟ, ବାହାର ଚା ଜଳଖିଆ ଏବେ ବନ୍ଦ ହୋଇ ଯାଇଛି କହିଲେ ଚଳେ। ବଜାରରେ ପୂର୍ବଭଳି ମଦ, ଗୁଟଖା, ଖଇନି ଆଦି ମଧ୍ୟ ଖୋଲାଖୋଲି ଭାବେ ମିଳୁନାହିଁ। ଫଳରେ ନିଶାଖୋରମାନେ ମଧ୍ୟ ସେ ସବୁରୁ ଦୂରେଇ ରହିବାଲାଗି ବାଧ୍ୟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବା ରୋଗର ଅଭିଯୋଗର ପରିମାଣ କମି ଯିବାର ଅନ୍ୟତମ କାରଣ ଏହା ହୋଇପାରେ। ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ସୂଚୀତ କରୁଛି: ଲୋକେ ଯଦି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ ଓ ଶୁଦ୍ଧ ପାନୀୟଜଳ ଯୋଗାଣ ଓ ମାଦକ ଦ୍ରବ୍ୟ ନିଷେଧ ମାମଲାରେ ସରକାର ଓ ପ୍ରଶାସନ ଉଚିତ ପଦକ୍ଷେପ ନେବେ, ତେବେ ରୋଗର ପରିମାଣ ମଧ୍ୟ ଆଖିଦୃଶିଆ ଭାବେ କମିଯିବ। ସେହି ଅନୁସାରେ ସ୍ବାସ୍ଥ୍ୟ ମାମଲାରେ ଲୋକ ଓ ସରକାରଙ୍କ ଖର୍ଚ୍ଚ ମଧ୍ୟ ଢେର୍ ହ୍ରାସ ପାଇବ।

ଏକ ତଥ୍ୟ ଅନୁସାରେ, ଏକଦା କାନାଡ଼ାରେ ଡାକ୍ତରମାନେ ଦୀର୍ଘ ସମୟ ପାଇଁ କାମ ବନ୍ଦ ଆନ୍ଦୋଳନ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ସମୟରେ ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ କମି ଯାଇଥିଲା। କାରଣ କୁହାଯାଏ ଯେ ଡାକ୍ତରଙ୍କ ଅନୁପସ୍ଥିତିରେ ଲୋକେ ନିଜେ ନିଜ ସ୍ବାସ୍ଥ୍ୟର ଉଚିତ ଯତ୍ନ ନେବାକୁ ବାଧ୍ୟ ହୋଇଥିଲେ, ସ୍ବାସ୍ଥ୍ୟକର ଖାଦ୍ୟ ଓ ବ୍ୟାୟାମକୁ ଗୁରୁତ୍ବ ଦେଇଥିଲେ। ଏମିତି ଦେଖିଲେ ସ୍ବାସ୍ଥ୍ୟ କେବଳ ଡାକ୍ତରଙ୍କ ଉପରେ ନିର୍ଭରଶୀଳ ମାମଲା ନୁହେଁ,ଏହା ଆମ ଜୀବନଶୈଳୀର ଏକ ଦିଗ। ତେଣୁ କେବଳ ରାଉରକେଲା ବା ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ଲକ୍‌ଡାଉନ୍‌ର ଏ ଅନୁଭୂତି ଅନ୍ୟ ସବୁଠାରେ ସାଧାରଣ ଲୋକଙ୍କୁ ନିଜ ଜୀବନଶୈଳୀକୁ ସଜାଡ଼ିବାରେ ଏବଂ ସରକାରଙ୍କୁ ତାଙ୍କ ନୀତି ନିର୍ଦ୍ଧାରଣ କରିବାବେଳେ କାମରେ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର