ପୁରୀ: ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟାକାଣ୍ଡ ମାମଲାର ଅନୁଧ୍ୟାନ ପାଇଁ ପୁରୀରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା। ଘଟଣା ନେଇ ପୁରୀ ଏସପିଙ୍କ ସହ କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଛନ୍ତି। ଏହାପରେ ଏଡିଜି ସଂଜୀବ ପଣ୍ଡା ଆଜି ଘଟଣାସ୍ଥଳକୁ ଯାଇଛନ୍ତି। ଏହା ସହ ଜଗନ୍ନାଥର ଭଡ଼ାଘରକୁ ଯାଇ ଅନୁଧ୍ୟାନ କରିପାରନ୍ତି। ଏବେ ଜଗନ୍ନାଥ ଉପରେ କ୍ରାଇମବ୍ରାଞ୍ଚର ତଦନ୍ତ କେନ୍ଦ୍ରୀଭୂତ ହୋଇଛି। ୫ ଜଣଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ଛାଡ଼ି ଦେଇଥିବା ସୂଚନା ମିଳିଛି। ହେଲେ ଏବେ ବି ଜଗନ୍ନାଥ ଅଟକ ଥିବା ଜଣାପଡ଼ିଛି।
ଆଜି କ୍ରାଇମବ୍ରାଞ୍ଚ ୪ ଜଣିଆ ଟିମ୍ ଜଗନ୍ନାଥ ଗାଁକୁ ଯାଇ ତଦନ୍ତ କରିଛି। ଗତକାଲି କ୍ରାଇମବ୍ରାଞ୍ଚ ଟିମ୍ ଜଗନ୍ନାଥର ଭଡ଼ା ଘରକୁ ଯାଇ ତଦନ୍ତ କରିଥିଲା । ୨ ଦିନ ତଦନ୍ତ ପରେ ବି ଏପର୍ଯ୍ୟନ୍ତ ହୋଇପାରିନି ରହସ୍ୟ ଉନ୍ମୋଚନ। କିଏ ଏବଂ କାହିଁକି କଲା ହତ୍ୟା ବିଭିନ୍ନ ଦିଗକୁ ନେଇ ଚାଲିଛି ଅନୁଧ୍ୟାନ। ଦୁଇ ତିନିଟି ପ୍ରଶ୍ନ ତଦନ୍ତକାରୀ ଅଧିକାରୀଙ୍କ ମନକୁ ଘାରିଛି। ଘଟଣା ଦିନ ରାତିରେ ମଦ କିଣିବା ପାଇଁ ଜଗା ଓ ଚିତ୍ତରଞ୍ଜନ ଦୁହେଁ ବାହାରିଥିଲେ। ପୁରୀ ସହର ଅଠରନଳା କିମ୍ବା ବ୍ରହ୍ମଗିରି ରାସ୍ତାରେ ମଦ ମିଳୁଥିବା ବେଳେ ସେମାନେ ଜମାରସୁଆଁ ଆଡେ କାହିଁକି ଯାଇଥିଲେ? ସେହିପରି ଜଗାର ବୟାନ ଅନୁଯାୟୀ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହୋଇଥିଲା। ପରେ ଜଗନ୍ନାଥ ମତ ବଦଳାଇ କିଛି ଜାଣି ନଥିବା କହିଥିଲା। ଦୁର୍ଘଟଣାସ୍ଥଳଠାରୁ ନୂଆ ନଈ ପ୍ରାୟ ୩୦ରୁ ୪୦ ମିଟର ଦୂରରେ ରହିଛି। ସେଠାରୁ ସେ ପାଣି ଭିତରକୁ କିପରି ଗଲେ? ଏପରି ଅନେକ ପ୍ରଶ୍ନକୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ୍।
ଏନେଇ ତଦନ୍ତ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଏନେଇ ପ୍ରଶ୍ନ କରାଯିବାରୁ କହିଥିଲେ, ତଦନ୍ତ ଚାଲିଛି ଆହୁରି ଅନେକ ଯାଞ୍ଚ ବାକି ରହିଛି, ତେଣୁ ଏବେ କିଛି ସଠିକ୍ କଥା କହିହେବ ନାହିଁ। ସବୁ ଦିଗରୁ ତଦନ୍ତ ଚାଲିଛି। ସାକ୍ଷୀଙ୍କ କଥାକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଆବଶ୍ୟକ ପଡ଼ିଲେ ସାକ୍ଷୀଙ୍କର ଲାଏ ଡିଟେକ୍ସନ କରାଯିବ। ତଦନ୍ତରେ ଭଲ ପ୍ରୋଗ୍ରେସ୍ ହୋଇଛି। ଏବେ କିଛି କହିହେବ ନାହିଁ । ତଦନ୍ତ ସମ୍ପୂର୍ଣ୍ଣ ପରେ ଯାହା କହିହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।