ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ସାଇବର ଟିମ୍ ଏକ ଅନ୍ତଃରାଜ୍ୟ ସାଇବର ଠକେଇ ରୢାକେଟର ପର୍ଦ୍ଦାଫାସ କରିଛି। ଟ୍ରେଡିଂ ଆପ୍‌ ନାଁରେ ଓଡ଼ିଶାରୁ ୨କୋଟି ଟଙ୍କା ଠକି ନେଇଥିବା ୧୩ଜଣିଆ ସାଇବର ଠକ ଗ୍ୟାଙ୍ଗ୍‌କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ସାଇବର ଟିମ୍ ଗିରଫ କରିଛି। ଓଡ଼ିଶାରୁ ତିନୋଟି ରାଜ୍ୟକୁ ଲମ୍ବିଛି ଏହି ଠକେଇ ନେଟଵର୍କ। ଗିରଫ ଠକମାନେ କେରଳ, ତାମିଲନାଡ଼ୁ ଓ କୋଲକାତାର ବୋଲି ଜଣାପଡ଼ିଛି। ୭ ଅଭିଯୁକ୍ତ ଓଡ଼ିଶା ପହଞ୍ଚିସାରିଥିବା ବେଳେ ଆଉ ୬ଜଣଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଉଛି। ଏହି ଗ୍ୟାଙ୍ଗ୍‌ର ଆହୁରି କିଛି ସଦସ୍ୟ ଅଟକ ଥିବାରୁ ଗିରଫଦାରୀ ବଢ଼ିପାରେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।
ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ରେ ୨୦ରୁ ଅଧିକ ସଦସ୍ୟ ଅଛନ୍ତି।

Advertisment

ଓଡ଼ିଶାରୁ କେରଳ, ତାମିଲନାଡ଼ୁ ଓ କୋଲକାତାକୁ ଲମ୍ବିଛି ଚେର

ସେମାନେ ସାରା ଦେଶରେ ନେଟ୍‌ୱର୍କ ବିଛାଇ ଲୁଟ୍‌ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କ କହିବା କଥା ଏହି ଗ୍ୟାଙ୍ଗ୍‌ର ନେଟ୍‌ଵର୍କ ଠାବ କରିବାକୁ ଉଦ୍ୟମ ଚାଲିଛି। ଅନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ ଓଡ଼ିଶା ଆଣିବା ପରେ ସେମାନଙ୍କଠାରୁ ଅନେକ ଠକେଇର ପର୍ଦ୍ଦାଫାସ ହୋଇପାରିବ। କୋଟିକୋଟି ଟଙ୍କା ଲାଭର ଲୋଭ ଦେଖାଇ ଏହି ଗ୍ୟାଙ୍ଗ୍‌ ଓଡ଼ିଶାରୁ  ଜଣେ ସରକାରୀ ଅଧିକାରୀଙ୍କ ଠାରୁ ୨ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ସରକାରୀ ଅଧିକାରୀଜଣକ ଟ୍ରେଡିଂ ଆପ୍‌ରେ ଯୋଡ଼ି ହେବା ପରେ ପ୍ରଥମେ ଭଲ ରିଟର୍ଣ୍ଣ ପାଇଥି‌ଲେ। ଲୋଭରେ ପଡ଼ି ସେ ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୨ କୋଟି ଟଙ୍କା ବିନିଯୋଗ କରିଥିଲେ। ମାତ୍ର ପରେ ସେ ଟଙ୍କା ଉଠାଇ ପାରିନଥିଲେ। ଠକାମିର ଶିକାର ହୋଇଥିବା ଜାଣିପାରି ସେ କ୍ର‌ାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ।