ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧ କାରବାର ଘଟଣାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚାରି ଦିନ ହେଲା ରାଜ୍ୟରେ ନକଲି ଔଷଧ କାରବାର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ଅସାଧୁ ବ୍ୟବସାୟୀମାନେ ରୋଗୀଙ୍କ ଜୀବନ ସହ ଖେଳୁଥିବାରୁ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କ ପକ୍ଷରୁ ଚଢ଼ଉ ଜାରି ରହିଛି। ଏହି କାରବାରର ଚେର ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ଲମ୍ବିଥିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହି କାରବାରର ପର୍ଦ୍ଦାଫାସ୍ କରି ପ୍ରକୃତ ଦୋଷୀ ପାଖରେ ପହଞ୍ଚିବା ଏବେ କ୍ରାଇମ୍ବ୍ରାଞ୍ଚ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି ହେବ। ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ରାଜ୍ୟ ବାହାରକୁ ଯାଇପାରେ ବୋଲି ଜଣାପଡ଼ିଛି।
ଗତ ଶୁକ୍ରବାର ଦିନ କଟକ କନିକା ଛକସ୍ଥିତ ଏକ ହୋଲ୍ସେଲ୍ ଔଷଧ ଗୋଦାମ ଉପରେ ଡ୍ରଗ୍ସ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ୭୦ ଲକ୍ଷ ଟଙ୍କା ମୂଲ୍ୟର ୭ ପ୍ରକାର ନକଲି ଔଷଧ ଜବତ କରାଯାଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଗତ ଶନିବାର ଠାରୁ ଡ୍ରଗ୍ସ କଣ୍ଟ୍ରୋଲ୍ ଓ ପୁଲିସ୍ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ତିନି ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ରାଜ୍ୟର ସବୁ ଡ୍ରଗ୍ସ ଇନ୍ସିପେକ୍ଟର୍ମାନଙ୍କୁ ନକଲି ଔଷଧ କାରବାର ଉପରେ କଡ଼ା ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର୍ ଅନ୍ନଦା ଶଙ୍କର ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଜବତ ହୋଇଥିବା ଫାଭିପିରାଭିର୍ ଔଷଧ ନକଲି ଅଟେ। ହରିୟାଣା ଓ ମହାରାଷ୍ଟ୍ର ସରକାର ଏହି ଔଷଧ ନକଲି ଥିବା ସୂଚନା ଦେବା ପରେ ଚଢ଼ଉ କରାଯାଇଥିଲା। ଏହି ଔଷଧରୁ ୪୦,୬୦୦ ଷ୍ଟ୍ରିପ୍ ଗୋୟାଲିଅର୍ ପଠାଯାଇଥିଲା ବେଳେ ବାକି ୧୭,୪୦୦ ଜବତ ହୋଇଛି। ସେଥିରୁ ୪୦୦ ଟେଷ୍ଟିଂ ପାଇଁ ପଠାଯାଇଛି। ମ୍ୟାକ୍ସ ରିଲିଫ୍ ହେଲ୍ଥ୍ କେୟାର କମ୍ପାନିର ଏହି ଔଷଧ ଥିଲା। ଏହା ବାଦ୍ ବାକି ଭିଟାମିନ୍-ସି ଓ ଆଜିଥ୍ରରମାଇସିନ୍ ଔଷଧ ପରି ୯ ପ୍ରକାର ଔଷଧ ବି ଜବତ ହୋଇଛି। ସବୁ ଔଷଧ ମ୍ୟାକ୍ସ ରିଲିଫ୍ ହେଲ୍ଥ କେୟାରର ହୋଇଥିବାରୁ ସନ୍ଦେହ ବଢ଼ୁଛି। ସେଥିପାଇଁ ତାକୁ ମଧ୍ୟ ଟେଷ୍ଟିଂ ପାଇ ପଠାଯାଇଛି। ନକଲି ଫାଭିପିରାଭିର ଔଷଧ ରାଜ୍ୟରେ ଗୋଟିଏ ବି ବ୍ୟବହାର ହୋଇନି। ଔଷଧ ଉପରେ ହିମାଚଳ ପ୍ରଦେଶ ନାମ ଲେଖାଯାଇଥିଲେ ବି ଆମେ ଖବର ପାଇଛୁ ଯେ ଏପରି କିଛି କମ୍ପାନି ହିମାଚଳ ପ୍ରଦେଶରେ ନାହିଁ। ଏହିସବୁ ଔଷଧ ହିମାଚଳ ପ୍ରଦେଶରୁ ଉତ୍ତର ପ୍ରଦେଶ ଦେଇ ଓଡ଼ିଶା ଆସିଛି। ଆମେ ରାଜ୍ୟର ୧୩ରୁ ୧୪ ଜିଲ୍ଲାରେ ଚଢ଼ଉ କରାଯାଇଛି। ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ଟିମ୍ ଯାଞ୍ଚ କରିବ।