କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପିଙ୍କ ଜାତି ସଂପର୍କିତ ତଦନ୍ତ ରିପୋର୍ଟରେ ମାନହାନି ଅଭିଯୋଗ

ସୁବର୍ଣ୍ଣପୁର ଏସ୍‌ପିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର: ଏକ ମାମଲାର ତଦନ୍ତ କରି ସମ୍ବଲପୁରର ତତ୍କାଳୀନ ଅତିରିକ୍ତ ଏସ୍‌ପି (ବର୍ତ୍ତମାନର ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା) ଦେଇଥିବା ରିପୋର୍ଟ ତାଙ୍କ ଅଡ଼ୁଆ ବଢ଼ାଇଛି। ତଦନ୍ତ ରିପୋର୍ଟରେ ‌ସେ ଅଭିଯୋଗକାରୀଙ୍କ ବିରୋଧରେ ଦେଇଥିବା କେତେକ ମନ୍ତବ୍ୟ ଉପରେ ଆପତ୍ତି ଉଠାଇ ଅଦାଲତରେ ମାନହାନି ମୋକଦ୍ଦମା ହୋଇଥିଲା। ଅଭିଯୋଗକାରୀ ଆଇନଜୀବୀ ସୁରେନ୍ଦ୍ର ମହାପାତ୍ର ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ମାନହାନି ମାମଲା ରୁଜୁ କରିଥିଲେ ଓ ମାନହାନି ବାବଦରେ ଶ୍ରୀ ପଣ୍ଡାଙ୍କଠାରୁ କ୍ଷମା ପ୍ରାର୍ଥନା ସହ ତାଙ୍କ ଦରମାରୁ ୧ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତରେ ପ୍ରାର୍ଥନା କରିଥିଲେ। ତେବେ କୋର୍ଟ ଏହି ମାମଲାକୁ ଗୁରୁତ୍ବର ସହ ନେଇ ସ୍ଥାନୀୟ ଟାଉନ୍‌ ଥାନାକୁ ଦଫା ୪୯୯ ଓ ୫୦୦ରେ ମାମଲା ରୁଜୁ କରି ଏହାର ତଦନ୍ତ ପାଇଁ ପତ୍ର ସଂଖ୍ୟା ୨୦୭୩/୨୦.୦୭.୨୦୨୨ରେ ନିର୍ଦ୍ଦେଶ ଦେଇଛନ୍ତି।

ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଡିଏସ୍‌ପି ଭାବେ କଟକରେ ଅବସ୍ଥାପିତ ଥିବା ପୂର୍ବତନ ସମ୍ବଲପୁର ଟାଉନ୍‌ ଥାନା ଅଧିକାରୀ ରମେଶ ଦୋରାଙ୍କ ଜାତି ସଂପର୍କରେ ତଦନ୍ତ କରିବାକୁ ଗତବର୍ଷ ଓଡ଼ିଶା ହାଇକୋର୍ଟ ସମ୍ବଲପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଏସ୍‌ପି ତତ୍କାଳୀନ ଅତିରିକ୍ତ ଏସ୍‌ପି ଅମରେଶ ପଣ୍ଡାଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଥିଲେ। ମାମଲାର ତଦନ୍ତ କରି ଅତିରିକ୍ତ ଏସ୍‌ପି ଶ୍ରୀ ପଣ୍ଡା ଦେଇଥିବା ରିପୋର୍ଟରେ ରମେଶ ଦୋରାଙ୍କୁ ତାଙ୍କ ଜାତି ନେଇ କ୍ଲିନ୍‌ଚିଟ୍ ପ୍ରଦାନ କରିଥିଲେ। ତେବେ କଥା ଏତିକିରେ ସରି ନଥିଲା। ସେ ଶ୍ରୀ ମହାପାତ୍ରଙ୍କ ବିରୋଧରେ ମଧ୍ୟ ରିପୋର୍ଟରେ କେତେକ ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ। ଏହାକୁ ଆଧାର କରି ଅଭିଯୋଗକାରୀ ଶ୍ରୀ ମହାପାତ୍ର ପ୍ରଥମେ ଶ୍ରୀ ପଣ୍ଡାଙ୍କୁ ଓକିଲ ନୋଟିସ୍ ପଠାଇଥିଲେ। କିନ୍ତୁ ନୋଟିସ୍‌ର କୌଣସି ଉତ୍ତର ନ ମିଳିବାରୁ ସେ ଶ୍ରୀ ପଣ୍ଡାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।

ଉଲ୍ଲେଖଯୋଗ୍ୟ, ରିପୋର୍ଟରେ ଶ୍ରୀ ପଣ୍ଡା ଉଲ୍ଲେଖ କରିଥ‌ିଲେ ଯେ ଅଭିଯୋଗକାରୀ ଶ୍ରୀ ମହାପାତ୍ର ଜଣେ ବିଧବା ମହିଳାଙ୍କଠାରୁ ଟଙ୍କା ହଡ଼ପ କରି ତାଙ୍କୁ ନିର୍ଯାତନା ଦେଇଥିଲେ। ଏହି ମାମଲାରେ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଛି। ମାମଲା ବିଚାରାଧୀନ ରହିଛି। ଅଭିଯୋଗକାରୀ ଶ୍ରୀ ମହାପାତ୍ର ଜଣେ ବଦନାମ ବ୍ୟକ୍ତି। ସେ ସମ୍ବଲପୁର ଓକିଲ ସଂଘର ସଦସ୍ୟ ହୋଇଥିଲେ ବି ସକ୍ରିୟ ପେସାଦାର ନୁହନ୍ତି। ସେ ବିଭିନ୍ନ କୋର୍ଟ ପ୍ରସଂଗରେ ଲୋକଙ୍କୁ ଠକି ଥାଆନ୍ତି। ଟାଉନ୍ ଆଇଆଇସି ରମେଶ ଦୋରା ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଶ୍ରୀ ‌ଦୋରାଙ୍କ ଜାତିକୁ ନେଇ ଅଭିଯୋଗ ଆଣିଥିବା ଶ୍ରୀ ପଣ୍ଡା ‌ରିପୋର୍ଟରେ ଉଲ୍ଲେଖ କରିଥିଲେ।

ସୂଚନା ଅଧିକାର ଆଇନ ବଳରେ ଏହି ରିପୋର୍ଟ ପାଇବା ପରେ ଆଇନଜୀବୀ ଶ୍ରୀ ମହାପାତ୍ର ତାଙ୍କ ବିରୋଧରେ ଶ୍ରୀ ପଣ୍ଡାଙ୍କ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ମଧ୍ୟ ମାମଲା (ସିଆର୍‌ଏଲ୍‌ଏମ୍‌ପି ୪୯୨/୨୧) ରୁଜୁ କରିଛନ୍ତି। ଶ୍ରୀ ପଣ୍ଡା ଉଦ୍ଦେଶ୍ୟମୂଳକ ଭାବେ ଶ୍ରୀ ଦୋରାଙ୍କ ଜାତି ସଂପର୍କିତ ପ୍ରସଂଗର ଉପଯୁକ୍ତ ତଦନ୍ତ ନକରି ମୂଳ ପ୍ରସଂଗକୁ ଏଡ଼ାଇ ଯାଇ ଓଲଟା ଅଭିଯୋଗକାରୀଙ୍କ ଚରିତ୍ର ସଂହାର ଉଦ୍ୟମ କରିଥିବା ଆଇନ୍‌ଜୀବୀ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏ ସଂପର୍କରେ କୋର୍ଟଙ୍କ ନି‌ର୍ଦେଶ ତାଙ୍କର ହସ୍ତଗତ ହୋଇ ନଥିବା ଟାଉନ୍‌ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ କହିଛନ୍ତି। ସେହିପରି ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ସୁବର୍ଣ୍ଣପୁର ଏସ୍‌ପି ଅମରେଶ ପଣ୍ଡା ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର