ଭାବମୂର୍ତ୍ତି ସଂକଟରେ କ୍ରାଇମ୍‌ ବ୍ରାଞ୍ଚ: ଦୋରାଙ୍କ ପରେ ଜୀବନାନନ୍ଦଙ୍କୁ ନେଇ ଚର୍ଚ୍ଚା

ସମ୍ବଲପୁର : ସଙ୍ଗିନ୍‌ ଅଭିଯୋଗ ଥିବା କେତେକ ବିବାଦୀୟ ପୁଲିସ ଅଧିକାରୀ ଏବେ କ୍ରାଇମ୍‌ ବ୍ରାଞ୍ଚରେ। ସେମାନଙ୍କ ପାଇଁ ରାଜ୍ୟ ପୁଲିସର ଏହି ପ୍ରମୁଖ ବିଭାଗ ଏବେ ଭାବମୂର୍ତ୍ତି ସଂକଟରେ। ଏପରିକି ଯେଉଁମାନଙ୍କ ବିରୋଧରେ ସଂଗିନ ଅଭିଯୋଗ ରହିଛି, ସେମାନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ବ ଦିଆଯିବା ପରେ ଲୋକଙ୍କ ମଧ୍ୟରେ ଭିନ୍ନ କଥା ଚର୍ଚ୍ଚା ହେଉଛି।

କେନ୍ଦ୍ର ସରକାରଙ୍କ ସିବିଆଇ ଭଳି ଓଡ଼ିଶାରେ କ୍ରାଇମ୍ ବ୍ରାଞ୍ଚ ବଡ଼ ବଡ଼ ଅପରାଧର ତଦନ୍ତ କରୁଛି। ସିବିଆଇ ଭଳି କ୍ରାଇମ୍‌ ବ୍ରାଞ୍ଚ ଉପରେ ମଧ୍ୟ ଲୋକଙ୍କ ଆସ୍ଥା ରହିଥାଏ। ‌ସାଧାରଣ ପୁଲିସ ଯେଉଁ ମାମଲାଗୁଡ଼ିକ ତଦନ୍ତ କରିବାରେ ବିଫଳ ହୋଇଥାଏ କିମ୍ବା ତଦନ୍ତରେ ସ୍ବଚ୍ଛତା ଓ ନିରପେକ୍ଷତା ରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଥାଏ, ସେଭଳି ମାମଲାଗୁଡ଼ିକୁ ସରକାର କ୍ରାଇମ୍‌ ବ୍ରାଞ୍ଚକୁ ଦେଇଥାନ୍ତି। ଅପରାଧ ତଦନ୍ତ କ୍ଷେତ୍ରରେ ଭଲ ରେକର୍ଡ ଥିବା ଅଫିସରମାନଙ୍କୁ କ୍ରାଇମ୍‌ ବ୍ରାଞ୍ଚରେ ନିଯୁକ୍ତି ଦିଆଯିବା କଥା। ଏବେ କିନ୍ତୁ କେତେକ ବିବାଦୀୟ ଅଧିକାରୀ ଓଡ଼ିଶା ପୁଲିସର ଏହି ଶୀର୍ଷ ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଞ୍ଚରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଓଡ଼ିଶା ସରକାରଙ୍କ ସବୁଠାରୁ ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ କ୍ରାଇମ୍‌ ବ୍ରାଞ୍ଚ ପକ୍ଷରୁ ଯେଉଁ ୩ଟି ଟିମ୍ ଗଠନ କରାଯାଇଛି, ସେଥିରୁ ପ୍ରଥମ ଟିମ୍‌ର ନେତୃତ୍ବ ନେଉଛନ୍ତି ଡିଏସ୍‌ପି ରମେଶ ଦୋରା। କ୍ରାଇମ୍ ବ୍ରାଞ୍ଚକୁ ଯିବା ପୂର୍ବରୁ ଶ୍ରୀ ଦୋରା ସମ୍ବଲପୁର ଟାଉନ୍ ଥାନାରେ କାର୍ଯ୍ୟରତ ଥିବା‌ ସମୟରେ ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଅଭିଯୋଗ ଆସିଥିଲା। ତାଙ୍କ ସମୟରେ ଏହି ଥାନା ଅଂଚଳର କେତେକ ମାମଲାର ତଦନ୍ତକୁ ନେଇ ଲୋକେ ବି ପ୍ରଶ୍ନ ଉଠାଇଥିଲେ। ଏହା ସତ୍ତ୍ବେ କ୍ରାଇମ୍ ବ୍ରାଞ୍ଚରେ ତାଙ୍କୁ ନିଯୁକ୍ତି ଦିଆଯାଇଛି।

ସେହିଭଳି ଅନ୍ୟ ଜଣେ ବିବାଦୀୟ ଅଧିକାରୀ ହେଉଛନ୍ତି ଇନ୍‌ସପେକ୍ଟର ଜୀବନାନନ୍ଦ ଜେନା। ତାଙ୍କ ନାମର ସଂଗିନ ଅଭିଯୋଗ ରହିଛି। ପୁରୀ ବାସେଳି ସାହି ଥାନାରେ ହାଜତ ମୃତ୍ୟୁ ଏବଂ ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣାର ଇନ୍‌ସପେକ୍ଟର ଜୀବନାନନ୍ଦ ଜେନାଙ୍କ ସମୟରେ ଘଟିଥିଲା। ଉଭୟ ମାମଲା ଏବେ ଏନ୍‌ଏଚ୍‌ଆର୍‌ସିରେ ବିଚାରାଧୀନ ରହିଛି। ସେହିପରି ବାସେଳି ସାହି ଥାନାରେ ଶ୍ରୀ ଜେନା କାର୍ଯ୍ୟରତ ଥିବା ସମୟରେ ଜଣେ ମହିଳାଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଥିଲା। ବେଆଇନ ଭାବେ ଥାନାରେ ଅଟକ ରଖାଯିବା ଘଟଣାରେ ସଂପୃକ୍ତ ମହିଳାଙ୍କୁ ଓଡ଼ିଶା ପୁଲିସ ପକ୍ଷରୁ ନ୍ୟାୟ ପ୍ରଦାନ‌ରେ ବିଳମ୍ବ ହେବାରୁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏହି ମାମଲା ଏବେ ବିଚାରାଧୀନ ରହିଛି। ସେହିପରି ଅଭୟଚାନ୍ଦପୁର ଥାନାର ଜଣେ ପୁଲିସ ଏସ୍‌ଆଇଙ୍କୁ ମାଡ଼ମାରି ତାଙ୍କଠାରୁ ପିସ୍ତଲ ଛଡ଼ାଇ ନିଆଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କଠାରୁ ଇନ୍‌ସପେକ୍ଟର ଶ୍ରୀ ଜେନା ପୁଷ୍ପଗୁଚ୍ଛ ଗ୍ରହଣ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ‌ହୋଇଥିଲା। ଏଭଳି ବିବାଦୀୟ ଅଧିକାରୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଭଳି ସଂସ୍ଥାରେ ନିଯୁକ୍ତି ଦିଆଯିବା କେବଳ କ୍ରାଇମ୍ ବ୍ରାଞ୍ଚର ଭାବମୂର୍ତ୍ତି କେବଳ କ୍ଷୁର୍ଣ୍ଣ କରୁନାହିଁ, ଜନସାଧାରଣ ଆସ୍ଥା ବି ହରାଉଛି। କେବଳ ଏହି ଦୁଇ ଅଧିକାରୀ ନୁହନ୍ତି, ଅନ୍ୟ କେତେକ ବିବାଦୀୟ ଅଧିକାରୀ ଓ କର୍ମଚାରୀ ବି ଏହି ସଂସ୍ଥାରେ କାର୍ଯ୍ୟରତ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର