ବାଲେଶ୍ବର: ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମଦାହ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍ବ୍ରାଞ୍ଚ। ଏହି ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ଦୃଷ୍ଟିରୁ କ୍ରାଇମ୍ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ. ବି. ଖୁରାନିଆ। କ୍ରାଇମ୍ବ୍ରାଞ୍ଚ ସାନି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କ୍ରାଇମ୍ବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ରଙ୍କ ତତ୍ତ୍ବାବଧାନରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାର ଆଇଜି ଏସ୍. ସାଇନିଙ୍କୁ ମାମଲା ହସ୍ତାନ୍ତର କରାଯାଇଛି। ତାଙ୍କ ନେତୃତ୍ବରେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରାଯିବ। କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଇମାନ୍ କଲ୍ୟାଣ ନାୟକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପୂର୍ବ ମାମଲାକୁ କ୍ରାଇମ୍ବ୍ରାଞ୍ଚ ପୁଣି ଥରେ ପଞ୍ଜୀକରଣ କରି ତଦନ୍ତ କରିବ ବୋଲି ଡିଜି ଶ୍ରୀ ଖୁରାନିଆ କହିଛନ୍ତି।
ଛାତ୍ରୀ ଆତ୍ମାହୁତି ଉଦ୍ୟମ ପରେ କ୍ରାଇମ୍ବ୍ରାଞ୍ଚର ଦୁଇଜଣିଆ ଟିମ୍ ଦୁଇ ଦିନ ଧରି କଲେଜରେ ତନାଘନା କରିବା ସହିତ କଲେଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସଦସ୍ୟଙ୍କୁ ଜେରା କରିଥିଲେ। ଏବେ କ୍ରାଇମ୍ବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହେବା ପରେ ମାମଲାରେ ସଂପୃକ୍ତ ସମସ୍ତଙ୍କର ଛାତି ଥରିବା ଆରମ୍ଭ କରିଛି। ଛାତ୍ରୀଜଣଙ୍କ ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା ଛାତ୍ରଙ୍କୁ ନେଇ ନୂଆ ଖବର ସାମନାକୁ ଆସିଛି। ଛାତ୍ରୀ ମୃତ୍ୟୁ ମାମଲାରେ ସହଦେବଖୁଣ୍ଟା ଥାନା ପୁଲିସ ଉଦ୍ଧାରକାରୀ ଛାତ୍ରଙ୍କୁ ମାମଲା ପରିସରଭୁକ୍ତ କରି ଘଟଣାଦିନ ତାଙ୍କ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି।
ଗୁରୁତର ଆହତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ର ଜ୍ୟୋତିପ୍ରକାଶ ବିଶ୍ବାଳ ଘଟଣା ପରଠାରୁ କଟକ ଏସ୍ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ସେ ଆଇସିୟୁରେ ଭର୍ତ୍ତି ହୋଇଥିବାରୁ କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି। ଫଳରେ ପୁଲିସ ତାଙ୍କୁ ପଚରାଉଚରା କରିପାରି ନାହିଁ। ଛାତ୍ର ଶ୍ରୀ ବିଶ୍ବାଳଙ୍କ ପ୍ରତି ସାମାଜିକ ଗଣମାଧ୍ୟମରେ ସମବେଦନାର ସୁଅ ଛୁଟୁଥିବା ବେଳେ ବାସ୍ତବରେ ଘଟଣା କିଛି ଭିନ୍ନ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଜନୈକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଛାତ୍ରୀଜଣଙ୍କ ପୋଡ଼ି ହୋଇଯାଉଥିବା ବେଳେ ଜ୍ୟୋତିପ୍ରକାଶ ପ୍ରଥମେ ମୋବାଇଲ୍ରେ ଭିଡିଓ ରେକର୍ଡିଂ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ସାର୍ଟ ଖୋଲି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ଯାହା କଲେଜ ସିସିଟିଭିରେ ରେକର୍ଡ ହୋଇଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ସେ ଭିଡିଓ ରେକର୍ଡିଂ କରୁଥିଲେ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ ଆହତ ଛାତ୍ରଙ୍କ ଭୂମିକା, ମାମଲାରେ ଲୁଚିଥିବା ଅନେକ କଥା ଓ ସନ୍ଦିଗ୍ଧଙ୍କୁ ସାମନାକୁ ଆଣିବା ପାଇଁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/17/daggdagdzvvc-2025-07-17-01-25-11.jpg)