ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲା: ୨ ଅଟକ, ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବହୁଚର୍ଚ୍ଚିତ ବିଜେପି ମଣ୍ତଳ ସଭାପତି ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ ପୁଲିସ୍‌କୁ ଏକ ବଡ଼ସଫଳତା ମିଳିଛି। ଏହି ଘଟଣାରେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖିଥିବା ସହ ସେମାନଙ୍କ ଠାରୁ ହତ୍ୟାକାଣ୍ତ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହାସହ ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଛି। ଟିମ୍ ସହ କ୍ରାଇମ୍ ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଆଜି ଖୋର୍ଦ୍ଧା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରବିବାର ବିଳମ୍ବିତ ରାତିରେ ବିଜେପି ପ୍ରାର୍ଥୀ କାଳୁଚରଣ ଖଣ୍ତାୟିତରାୟଙ୍କ ସମ୍ମୁଖରେ ତାଙ୍କର ସହଯୋଗୀ ତଥା ୯ ନମ୍ବର ଜୋନ ବିଜେପି ମଣ୍ତଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ତ ପଛର ପ୍ରମୁଖ କାରଣ ରାଜନୈତିକ ବୋଲି ପୁଲିସ୍‌ ପୂର୍ବରୁ ସୂଚନା ଦେଇସାରିଛି। ତେବେ କାଳୁ ଖଣ୍ତାୟିତରାୟଙ୍କ ଘରେ ଲାଗିଥିବା ସିସିଟିଭିରୁ କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ସାହିର ଅନ୍ୟ ବାସଗୃହରେ ଲାଗିଥିବା ସିସିଟିଭି ଫୁଟେଜ୍ ଗୁଡ଼ିକ ଯାଞ୍ଚ କରାଯାଇଛି। କେବଳ ଏହା ନୁହେଁ ଘଟଣାଦିନ ସେହି କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ କଲ୍ ରେକର୍ଡ ଯାଞ୍ଚ କରାଯିବା ସହ ସେହି ଅଞ୍ଚଳର କଲ୍ ଟ୍ରାନ୍ସମିସନ ମଧ୍ୟ ଯାଞ୍ଚ କରାଯାଇଛି ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ କରିବାର ୨୪ ଘଣ୍ଟା ମଧ୍ୟରେ ପୁଲିସ ୨ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଜି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସମ୍ବନ୍ଧିତ ଖବର