ମାଲକାନଗିରି: ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ହତ୍ୟା ମାମଲାରେ ମାଲକାନଗିରି ଜିଲ୍ଲାରେ ଆଜି କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି। ଜଣେ ଡିଏସପିଙ୍କ ସମେତ ଦୁଇ ଜଣ ଇନସପେକ୍ଟର ପହଞ୍ଚି ପ୍ରଥମେ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ଘରକୁ ଯାଇ ପତ୍ନୀ ବନଜା ପଣ୍ଡାଙ୍କୁ ପଚରାଉଚରା କରିଥିଲେ। ଦୀର୍ଘ ସମୟ ଧରି ପଚରାଉଚରା କରିବା ପରେ ପତ୍ନୀ ବଜନା ପଣ୍ଡା ଗଣମାଧ୍ୟମ ଆଗରେ ସେସବୁର ବିବରଣୀ ରଖିଥିଲେ। ବନଜା ପଣ୍ଡାଙ୍କ ଅଭିଯୋଗ ହେଲା ପୁଣି ଜଣେ ଡିଏସପି ରେଙ୍କର ପୁଲିସ ଏହି ଘଟଣାର ତଦନ୍ତ କରିବା କେତେ ଯୁକ୍ତିଯୁକ୍ତ। ଜଣେ ଆଇପିଏସ ଏବଂ ଜଣେ ଆଇଏଏସଙ୍କୁ ଏମାନେ କିପରି ଜେରା କରିବେ ବୋଲି ସେ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ଏବଂ ତାଂକର ସହଯୋଗୀମାନେ ମୋ ସ୍ବାମୀକୁ ହତ୍ୟା କରିଛନ୍ତି। ତେଣୁ ଏହାର ତଦନ୍ତ ହେବା ଦରକାର।
ପ୍ରଥମେ ମାଲକାନଗିରିରେ ଏସାଇଟି ଗଠନ କରି ଜଣେ ଡିଏସପି ହିଁ ତଦନ୍ତ ଆରମ୍ଭ କରିଥିଲେ। ସେ ପ୍ରଥମରୁ ପୁଣି ଏହି ଘଟଣାର ଖୋଳତାଡ ଆରମ୍ଭ କରିଥିବା ବେଳେ ଆଜି ପୁଣି କ୍ରାଇମବ୍ରାଞ୍ଚର ଜଣେ ଜିଏସପି ରାଙ୍କର ଅଧିକାରୀ ଆସି ଏହି ଘଟଣାର ପ୍ରାଥମିକ ଯାଞ୍ଚ ଆରମ୍ଭ କରିଛନ୍ତି।କେତେ ଥର ଏଭଳି ପ୍ରଥମରୁ ତନଦ୍ତ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଜଣେ ଡିଆଇଜି ସ୍ତରୀୟ ଅଫିସର ଯଦି ଏହି ଘଟଣାର ତଦନ୍ତ କରିଥାନ୍ତେ ତେବେ ଏହାର ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ବନଜା ପଣ୍ଡା କହିଛନ୍ତି। ନଚେତ ସିବିଆଇକୁ ଏହି କେଶ ହସ୍ତାନ୍ତର କରାଯାଉ ବୋଲି ଦାବି ହୋଇଛି।
ମୋ ସ୍ବାମୀ ଆତ୍ମହତ୍ୟା କରିନାହାନ୍ତି ବୋଲି ପତ୍ନୀ ଦୃଢକ୍ତି ପ୍ରକାଶ କରି ପୁଲିସ ଉପରେ ଗର୍ଜିଛନ୍ତି। ପୁଲିସ ବାରମ୍ବାର ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି। ଯେତେଥର ବି ତଦନ୍ତ ଆରମ୍ଭ ହୋଇଛି ପ୍ରଥମରୁ ହିଁ ଆତ୍ମହତ୍ୟା ଘଟଣା ସଂପର୍କରେ କୁହନ୍ତୁ ବୋଲି ପଚରାଯାଉଛି। ମୋ ସ୍ବାମୀକୁ ହତ୍ୟା କରିବା ସମୟରେ ସମସ୍ତେ ଦେଖିଛନ୍ତି। କିନ୍ତୁ ଜଣେ ଜିଲ୍ଲାପାଳଙ୍କ ବିରୋଧରେ କେହି ମୁହଁ ଖୋଲୁନଥିବା ବନଜା ପଣ୍ଡା ଅଭିଯୋଗ କରିଛନ୍ତି। ତେଣୁ ଏହାର ତଦନ୍ତ ଜଣେ ଉଚ୍ଚପଦାଧିକାରୀ କରନ୍ତୁ ବୋଲି ଦାବି ହୋଇଛି।