ଭୁବନେଶ୍ୱର : ସାରା ରାଜ୍ୟରେ ଏବେ ଏଟିଏମ୍ ଲୁଟେରା ସକ୍ରିୟ ହୋଇ ଉଠିଛନ୍ତି। କିଛି ଦିନ ଅନ୍ତରରେ ରାଜ୍ୟର ଗୋଟିଏ ଗୋଟିଏ ସହରକୁ ଟାର୍ଗେଟ କରୁଛି ଏହି ଗ୍ୟାଙ୍ଗ୍। ଗୋଟିଏ ଗୋଟିଏ ରାତିରେ ଏଟିଏମ୍ କାଟି ବୋହି ନେଉଛନ୍ତି ଲକ୍ଷାଧିକ ଟଙ୍କା। ୭ ମାସ ମଧ୍ୟରେ ଏହି ଗ୍ୟାଙ୍ଗ୍ ପାଖାପାଖି ୨ କୋଟି ଟଙ୍କା ଖାଲି କରି ସାରିଲେଣି। ଏପରିକି ପୁଲିସ ପାଇଁ କୌଣସି ପ୍ରମାଣ ମଧ୍ୟ ଛାଡି ଯାଉନାହିଁ ଏହି ଗ୍ୟାଙ୍ଗ୍। ସିସି କ୍ୟାମେରାକୁ ନଷ୍ଟ କରି ଦେଉଛନ୍ତି, ନଚେତ ହାର୍ଡଡିସ୍କକୁ ସାଥିରେ ନେଇ ଯାଉଛନ୍ତି। ରାଜ୍ୟ ବାହାରୁ ଆସିଥିବା ଏହି ଲୁଟେରା ଗ୍ୟାଙ୍ଗ୍ ଓଡ଼ିଶା ପୁଲିସକୁ ଚିନ୍ତାରେ ପକାଇ ଦେଇଛିି। କିଛି ଦିନ ତଳେ ଏହି ଗ୍ୟାଙ୍ଗ୍କୁ ଧରିବା ଲାଗି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କ୍ରାଇମ୍ବ୍ରାଞ୍ଚ ଏଡିଜିଙ୍କୁ ନିର୍ଦେଶ ଦେଇଥିଲେ। ଡିଜି ଶର୍ମାଙ୍କ ଏଭଳି ନିର୍ଦେଶକୁ ଏକ ମାସ ବିତି ଗଲାଣି। କିନ୍ତୁ ଲୁଟେରା ଗ୍ୟାଙ୍ଗ୍କୁ ଏଯାଏ କାବୁ କରିବାରେ ସକ୍ଷମ ହୋଇ ପାରିନାହିଁ ଓଡ଼ିଶା ପୁଲିସ। କେବଳ ରାଜ୍ୟ ପୁଲିସ କାହିଁକି ଏହି ଗ୍ୟାଙ୍ଗ୍କୁ ତାମିଲନାଡୁ, ପଶ୍ଚିମବଙ୍ଗ ଓ ଗୁଜୁରାଟ ପୁଲିସ ମଧ୍ୟ ଖୋଜୁଛି।
ଗତକାଲି ରାତିରେ ବାରିପଦା ସହରକୁ ଟାର୍ଗେଟ କରିଥିଲା ଏହି ଗ୍ୟାଙ୍ଗ୍। ଝଡ଼ ବର୍ଷାର ଭରପୁର ଫାଇଦା ଉଠାଇ ସହରରେ ଥିବା ୪ଟି ଏଟିଏମ୍ କାଟି ଲୁଟି ନେଇଛନ୍ତି ୨୫ରୁ ୩୦ ଲକ୍ଷ ଟଙ୍କା। ଏହା ପୂର୍ବରୁ ଏହି ଗ୍ୟାଙ୍ଗ୍ ଭଦ୍ରକରେ ଏଟିମ୍ ଭାଙ୍ଗି ୩୦ ଲକ୍ଷ ଟଙ୍କା, କଟକ ଗଣ୍ଡରପୁରରେ ଏଟିଏମ୍ ମେସିନ୍ କାଟି ୧୬ ଲକ୍ଷ ଟଙ୍କା ଲୁଟ। ରାଉରକେଲାରେ ୮ ଲକ୍ଷ ଟଙ୍କା ଓ ବ୍ରହ୍ମପୁରରୁ ଏଭଳି ଢ଼ଙ୍ଗରେ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏହା ପୂର୍ବରୁ ବାଲେଶ୍ୱରରେ ମଧ୍ୟ ଏଟିଏମ୍ ଭାଙ୍ଗି ଲୁଟେରା ବୋହି ନେଇଥିଲେ ୨୦ ଲକ୍ଷ ଟଙ୍କା। ଏଟିଏମ୍ ଭାଙ୍ଗି ଏଭଳି ସରିଜ୍ ଲୁଟପାଟ କରିବା ସାରା ରାଜ୍ୟରେ ପ୍ରଥମ। ବେଳକୁ ବେଳ ଘଟଣା ସଂଘାତିକ ଆକାର ଧରିଲାଣି। ଲୁଟେରାମାନେ ଜନଗହଳୀପୂର୍ଣ ଅଞ୍ଚଳରେ ଏଟିଏମ୍ କାଟି ଲକ୍ଷଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ପୁଲିସ ଏନେଇ ତିଳେ ମାତ୍ର ସୂଚନା ପାଉନାହିଁ। ଯାହାକି ରାଜ୍ୟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଭଳି ସ୍ଥିତିରେ କିଛି ଦିନ ତଳେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏଟିଏମ୍ ଲୁଟ ଘଟଣାର ପ୍ରତ୍ୟେକ୍ଷ ସମୀକ୍ଷା କରିଥିଲେ। ସମୀକ୍ଷା ପରେ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ନିର୍ଦେଶ ଦେଇଥିଲେ, ଘଟଣାର ତଦାରଖ କରିବାକୁ। ଡିଜିଙ୍କ ନିର୍ଦେଶ ପରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ରାଉରକେଲା ଓ ଅନ୍ୟ ଏକ ଟିମ୍ ବ୍ରହ୍ମପୁର ଯାଇଥିଲା। କିନ୍ତୁ ସେ ଟିମ୍ କ’ଣ ତଦନ୍ତ କଲା ତାହା ଏଯାଏ ଜଣାପଡ଼ିନାହିଁ।
ଏ ସମ୍ପର୍କରେ ଡିଜି ଶ୍ରୀ ଶର୍ମା କହିଛନ୍ତି, ଏହା ଏକ ଅନ୍ତଃଦେଶୀୟ ଗ୍ୟାଙ୍ଗ୍। ଏହି ଗ୍ୟାଙ୍ଗ୍ ପୂର୍ବରୁ ପଶ୍ଚିମବଙ୍ଗ, ତାମିଲନାଡୁ ଓ ଗୁଜୁରାଟରେ ଏଭଳି ଏଟିଏମ୍ ତାଡ଼ି ଲୁଟପାଟ କରିବା ପରେ ଓଡ଼ିଶା ଆସିଛନ୍ତି। ସେମାନେ ଗ୍ୟାସ କଟର ଓ ଅନ୍ୟାନ୍ୟ କୌଶଳରେ ଏଟିଏମ୍ ମେସିନ ଖୋଲି ଟଙ୍କା ଖାଲି କରି ଦେଉଛନ୍ତି। ସମସ୍ତ ଘଟଣାରେ ପୁଲିସ ସାଇଣ୍ଟିଫିକ୍ ଟିମ ସହିତ ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କ ଫିଙ୍ଗରପ୍ରିଣ୍ଟ ମଧ୍ୟ ସଂଗ୍ରହ ହୋଇଛି। ଖୁବ୍ ଶୀଘ୍ର ଏହି ଗ୍ୟାଙ୍ଗ୍ର ପର୍ଦାଫାସ ହେବ। ଅନ୍ୟପଟେ ସମସ୍ତ ଏସ୍ପି ଓ ରେଞ୍ଜ ଡିଆଇଜିମାନଙ୍କୁ କୁହାଯାଇଛି କି ସେମାନଙ୍କ ଅଞ୍ଚଳରେ ରାତି ସମୟରେ କଡ଼ା ପାଟ୍ରୋଲିଂ କରିବାକୁ। ଯେହେତୁ ଲୁଟେରାମାନେ ଲୁଟପାଟ ପୂର୍ବରୁ ସିସିଟିଭି ହାର୍ଡଡିସ୍କ ନେଇ ଯାଉଛନ୍ତି। ତେଣୁ ଏଟିଏମ୍ରେ ଲାଗିଥିବା ସିସି କ୍ୟାମେରାକୁ ପୁଲିସ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରିବାକୁ ସମସ୍ତ ଜିଲ୍ଲା ଏସ୍ପିଙ୍କୁ କୁହାଯାଇଛି।