ମୋମୋ ଚ୍ୟାଲେଞ୍ଜ ଗେମ୍‌ : ଅଭିଭାବକଙ୍କୁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ସାରା ବିଶ୍ୱରେ ଘାତକ ସାଜିଥିବା ଇଣ୍ଟରନେଟ୍‌ ଗୋମ୍‌ ମୋମୋ ଚ୍ୟାଲେଞ୍ଜକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହାଇ ଆଲର୍ଟ ଜାରି କରାଯିବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅଭିଭାବକମାନଙ୍କୁ ସତର୍କ କରାଯାଇଛି। କେମିତି ପିଲାମାନଙ୍କୁ ଏହି ବିପଜ୍ଜନକ ଖେଳଠାରୁ ଦୂରେଇ ରଖିହେବ ସେ ନେଇ କ୍ରାଇମ୍‌ବ୍ରାଞ୍ଚ ଏକ ଆଡଭାଇଜାରି ଇସ୍ୟୁ କରିବ ବୋଲି ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଖୁବ୍‌ ଶୀଘ୍ର ସମସ୍ତ ଜିଲ୍ଲା ଏସ୍‌ପି, କମିସନରେଟ୍‌ ପୁଲିସର ଦୁଇ ଡିସିପିଙ୍କୁ ଗାଇଡ୍‌ ଲାଇନ୍‌ ପଠାଯିବ।

ଏଡିଜି କହିଛନ୍ତି, ଘରେ ଥିବା କମ୍ପ୍ୟୁଟର, ଲାପଟପ୍‌ରେ ପାରେଣ୍ଟାଲ୍‌ କଣ୍ଟ୍ରୋଲ ସଫ୍ଟଓ୍ଵାର ଲୋଡ୍‌ କରନ୍ତୁ। ଏହି ସଫ୍ଟଓ୍ଵାର ମାଧ୍ୟମରେ କମ୍ପ୍ୟୁଟର ଓ ଲାପଟପ୍‌କୁ କୌଣସି କ୍ଷତିିକାରକ ଗେମ୍‌ ଆସିଲେ ତାହା ଅଭିଭାବକ ଜାଣି ପାରିବେ। ଅଭିଭାବକମାନେ ପିଲା ବ୍ୟବହାର କରୁଥିବା କମ୍ପ୍ୟୁଟର ଓ ଲାପଟପକୁ ପ୍ରତିଦିନ ଯାଞ୍ଚ କରନ୍ତୁ। କୌଣସି ସଫ୍ଟଓ୍ଵାର ଉପରେ ପାସଓ୍ଵାର୍ଡ ଦେଇଥିଲେ ତାକୁ ଆପଣଙ୍କ ସମ୍ମୁଖରେ ଖୋଲିବାକୁ କୁହନ୍ତି।

ଯଦି ପିଲା ସ୍ମାର୍ଟଫୋନ୍‌ ବ୍ୟବହାର କରୁଛି, ଆପଣ ମୋବାଇଲ୍‌ ଫୋନ୍‌ର କଲ ଲଗ୍‌, ସର୍ଚ ହିଷ୍ଟ୍ରି, ଫେସବୁକ୍‌, ହ୍ଵାଟସଆପ୍‌ ଆଦି ଯାଞ୍ଚ କରନ୍ତୁ। ଅଯଥା ଓ ଅଦରକାରୀ ଆପ୍‌ ଓ ବିଭିନ୍ନ ଗେମ୍‌କୁ ଡାଉନ୍‌ଲୋଡ୍‌ ନକରିବାକୁ ସଚେତନ କରାନ୍ତୁ। ପିଲାମାନେ ଏହି ଗେମ୍‌ ଖେଳିବା ଆରମ୍ଭ କରି ଦେବା ମାତ୍ରେ ତାର ବ୍ୟବହାରରେ ଅନେକ ପରିବର୍ତନ ଆସିଯିବ। ସାଙ୍ଗସାଥୀ ଓ ପରିବାର ଲୋକଙ୍କ ସହିତ ମିଶିବା, କଥାବାର୍ତା ଆଦି ବନ୍ଦ କରି ଦେବ। ସବୁବେଳେ ଅନ୍ୟମନସ୍କ ରହିବା ସହିତ ଚିଡ଼ଚିଡ଼ା ସ୍ୱଭାବର ହୋଇ ଯିବ। ଖାଇବା ଓ ଶୋଇବାରେ ଅନିୟମିତତା ଦେଖା ଦେବ। ହଠାତ୍‌ ଛୋଟଛୋଟ କଥାରେ ରାଗି ଯାଇ ଚିହିଁକି ଉଠିବ। କିଛି କାରଣ ନ ଥାଇ କାନ୍ଦିବ। ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହା ଛଡ଼ା ପିଲାକୁ କିଛି ଦିନ କମ୍ପ୍ୟୁଟର, ଲାପଟପ୍‌ ଓ ସ୍ମାର୍ଟଫୋନ୍‌ଠାରୁ ଦୂରେଇ ଛୁଟି କାଟିବାକୁ ବାହାରକୁ ଚାଲିଗଲେ ଭଲ। ଶେଷରେ ଏହି ଗେମ୍‌ର ଭୟବହତା ନେଇ ନିଜ ପିଲାଙ୍କ ସହିତ ଆଲୋଚନା କଲେ ସବୁଠୁ ଉତ୍ତମ ହେବ।
ବ୍ଲୁ ହେ୍ଵଲ ଗେମ୍‌ ପରେ ମୋମୋ ଚ୍ୟାଲେଞ୍ଜ ଗେମ୍‌ ଏବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର