ଜିଲ୍ଲା ଏସ୍‌ପିଙ୍କୁ କ୍ରାଇମ୍‌ବ୍ରାଞ୍ଚର ଚିଠି

ତଦନ୍ତକାରୀ ଅଫିସରଙ୍କୁ ପିଓସି ପାଳନ ନିର୍ଦେଶ

ଭୁବନେଶ୍ୱର: ପ୍ରଥମେ ଅନ୍‌ ଲାଇନ୍‌ ଠକେଇ ପରେ ଭାଇରାଲ ଭିଡିଓ, କୁନ୍ଦୁଲି ଗଣ ଦୁଷ୍କର୍ମ, ବଲାଙ୍ଗୀର ପାର୍ସଲ ବୋମା ବିସ୍ଫୋରଣ, ଅନୁଗୁଳ ବ୍ୟାଙ୍କ ଡକାୟତି ଭଳି କେତେକ ସମ୍ବେଦନଶୀଳ ମାମଲାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଚିନ୍ତାରେ। ଏ ସମସ୍ତ ଘଟଣାରେ ତଦନ୍ତକାରୀ ପୁଲିସ ଅଫିସରଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କ୍ରାଇମ୍‌ବ୍ରାଞ୍ଚ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତଦନ୍ତ ପ୍ରକି୍ରୟାକୁ ଅଧିକ କ୍ରିୟାଶୀଳ ଓ ମୁଜଭୁତ କରିବା ଲାଗି ୬ ସୂତ୍ରୀ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ତଦନ୍ତକାରୀ ଅଫିସରମାନଙ୍କୁ କୁହାଯାଇଛି। ଯାହାର ନାଁ ପୁଲିସ ଭାଷାରେ ପିଓସି( ପ୍ଲାନ୍‌ ଅଫ୍‌ ଆକ୍ସନ୍‌)। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏହି ୬ ସୂତ୍ରୀ ପିଓସିକୁ ରାଜ୍ୟର ସମସ୍ତ ଜିଲ୍ଲା ଏସ୍‌ପି ଓ ଡିସିପି ଦ୍ୱୟଙ୍କୁ ପଠାଇ ଦିଆଯାଇଛି। ଚିଠିରେ କୁହାଯାଇଛି ଜିଲ୍ଲା ଏସ୍‌ପିମାନେ ସେମାନଙ୍କ ଜିଲ୍ଲାରେ ଥିବା ସମସ୍ତ ଇନ୍ସପେକ୍ଟର, ଏସ୍‌ଆଇ ଓ ଏଏସ୍‌ଆଇମାନଙ୍କୁ ଏ ସମ୍ପର୍କରେ ତାଲିମ ଦେବେ। କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟର କୌଣସି ସ୍ଥାନରେ କିଛି ବି ହାଇପ୍ରୋଫାଇଲ୍‌ ଘଟଣା ଘଟିଲେ ପ୍ରଥମେ ତାର ତଦନ୍ତ ସ୍ଥାନୀୟ ଥାନା ପୁଲିସ କରୁଛି। ସ୍ଥାନୀୟ ଥାନା ପୁଲିସର ତଦନ୍ତକୁ ନେଇ ସନ୍ଦେହ ଉପୁଜିବା ପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଉଛି। ସେତେବେଳକୁ ଘଟଣାକୁ ଦୁଇ ସପ୍ତାହରୁ ଦେଢ଼ ମାସ ବିତି ଯାଇ ସାରୁଛି। ଏଭଳି ପରିସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରୁଛି। ତେବେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏଭଳି ସ୍ଥଳରେ ତଦନ୍ତ ଆରମ୍ଭ କଲାବେଳେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଅନେକ ମାମଲା ଏହି କାରଣରୁ ରହସ୍ୟମୟ ହୋଇ ରହି ଯାଉଛି। ଯେହେତୁ ଅଧିକାଂଶ ମାମଲାର ତଦନ୍ତକାରୀ ଅଫିସର ଏସ୍‌ଆଇ ଓ ଏଏସ୍‌ଆଇ। ଠିକଣା ଢ଼ଙ୍ଗରେ ତାଲିମ୍‌ ନେଇ ନ ଥିବା କାରଣରୁ ସେମାନେ ସାଇବର ଅପରାଧ, ଭାଇରାଲ ଭିଡିଓ, ଇଣ୍ଟରନେଟ୍‌, ଅନଲାଇନ୍‌ ଠକେଇ ଓ ବ୍ୟାଙ୍କ ଠକେଇ ଭଳି ମାମଲା ତଦନ୍ତବେଳେ ସମସ୍ୟାରେ ପଡନ୍ତି। ଏହା ଛଡ଼ା ରାଜ୍ୟର ସମସ୍ତ ଅଞ୍ଚଳରେ ସାଇବର ଥାନା ମଧ୍ୟ ନାହିଁ। ତେଣୁ ଅଧିକାଂଶ ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରେ ନାହିଁ। ଏପରିକି ଅନେକ ମାମଲାରେ ଦେଖାଯାଇଛି ତଦନ୍ତକାରୀ ଅଫିସରମାନେ କୌଣସି ପ୍ରମାଣ ମଧ୍ୟ ଯୋଗାଡ କରି ପାରି ନାହାନ୍ତି। ଫଳରେ ପରବର୍ତୀ ସମୟରେ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଫିସରମାନେ ସମସ୍ୟାରେ ପଡ଼ନ୍ତି। ତେଣୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୬ ସୂତ୍ରୀ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ତଦନ୍ତକାରୀ ଅଫିସରମାନଙ୍କୁ କୁହାଯାଇଛି। ଯାହା ଫଳରେ ତଦନ୍ତରେ ଅନେକ ସହଯୋଗ ହେବା ସହିତ ସଫଳତା ମିଳିବ।

କ’ଣ ଏହି ୬ ସୂତ୍ରୀ ପିଓସି
ଅପରାଧ ସ୍ଥଳରୁ ସପ୍ତାହକ ମଧ୍ୟରେ ସିସିଟିଭି ଫୁଟେଜ ସଂଗ୍ରହ କରିବା
ଘଟଣାସ୍ଥଳରେ ପୀଡ଼ିତଙ୍କ ରକ୍ତ, ନଖ, ଚୁଟି ସଂଗ୍ରହ କରିବା ପରବର୍ତୀ ସମୟରେ ଅଭିଯୁକ୍ତ ଗିରଫ ହେବାବେଳେ ତାର ରକ୍ତ, ନଖ ଓ ଚୁଟି ସଂଗ୍ରହ କରିବା
ଘଟଣା ଦିନ ଘଟଣାସ୍ଥଳରୁ ଯଥା ସମ୍ଭବ ଫିଙ୍ଗରପ୍ରିଣ୍ଟ୍‌ ସଂଗ୍ରହ କରିବା
୩ରୁ ୭ ଦିନ ମଧ୍ୟରେ , ହତ୍ୟା ମାମଲା ହୋଇଥିଲେ, ଶବ ବ୍ୟବଚ୍ଛେଦ ରିପୋର୍ଟ, ଦୁଷ୍କର୍ମ ମାମଲା ହୋଇଥିଲେ ଡାକ୍ତର ମାଇନା ରିପୋର୍ଟ ସଂଗ୍ରହ କରିବା
ଘଟଣାସ୍ଥଳରୁ ଡିଜିଟାଲ ଜିନିଷ ଯେମିତିକି, ଲାପଟପ୍‌, କମ୍ପ୍ୟୁଟର, ମୋବାଇଲ୍‌ ଫୋନ୍‌, ପେନ୍‌ ଡ୍ରାଇଭ ଆଦି ଜବତ କରି ଯାଞ୍ଚ ପାଇଁ ତୁରନ୍ତ କ୍ରାଇମ୍‌ବ୍ରାଞ୍ଚର ସାଇବର ଫୋରେନ୍‌ସିକ୍‌ ଲାବୋରୋଟାରିକୁ ପଠାଇବା
ଦୁଇ ସପ୍ତାହ ମଧ୍ୟରେ କୌଣସି ମାମଲାର ବ୍ୟାଙ୍କର କାରବାର( ମନି ଟ୍ରେଲ୍‌)ର ଖୋଳତାଡ଼ କରିବା

ସମ୍ବନ୍ଧିତ ଖବର