କ୍ରାଇମ୍‌ବ୍ରାଞ୍ଚରେ ‘ବିଚାର ପ୍ରକ୍ରିୟାର ଆହ୍ଵାନ’ କର୍ମଶାଳା : ପୁଲିସ୍‌ ଓ ପିପିଙ୍କ ମଧ୍ୟରେ ସମନ୍ଵୟକୁ ଗୁରୁତ୍ୱ

କଟକ : ରାଜ୍ୟରେ ବିଭିନ୍ନ ଅପରାଧ ଘଟଣାରେ ଦୋଷୀ ସାବ୍ୟସ୍ତ ହାର ବଢାଇବାକୁ ହେବ। ଏଥିପାଇଁ ପବ୍ଲିକ୍‌ ପ୍ରସିକ୍ୟୁଟର (ପିପି) ମାନଙ୍କୁ ଅଧିକ ପାରଙ୍ଗମ ହେବାକୁ ପଡ଼ିବ। ଏହାକୁ ନଜରରେ ରଖି ପିପିମାନଙ୍କୁ ଜ୍ଞାନକୌଶଳ ଓ ଉପସ୍ଥାପନା କୌଶଳ ସଂକ୍ରାନ୍ତରେ ଅଧିକ ଦକ୍ଷ ହେବାକୁ ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ‘ବିଚାର ପ୍ରକ୍ରିୟାର ଆହ୍ଵାନ’ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଛି। ପୁଲିସ୍‌ ଡିଜି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କର୍ମଶାଳାକୁ ଉଦ୍‌ଘାଟନ କରିଥିଲାବେଳେ ଉଭୟ ତଦନ୍ତକାରୀ ଅଧିକାରୀ ଓ ପିପିଙ୍କ ମଧ୍ୟରେ ଉଚିତ୍‌ ସମନ୍ଵୟ ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

ମାମଲାର ବିଚାରବେଳେ ତଦନ୍ତକାରୀ ଅଧିକାରୀ ଓ ପିପିମାନେ ଏକାଠି ହୋଇ ପ୍ରମାଣ ଯୋଗାଡ଼ କରିବା ଓ ସେଗୁଡ଼ିକୁ ଠିକ୍‌ ଢଙ୍ଗରେ ଉପସ୍ଥାପନା କରିବାରେ ଧ୍ୟାନ ଦେବା ଆବଶ୍ୟକ ରହିଛି। ଜିଲ୍ଲା, ସବ୍‌ ଡିଭିଜନ୍‌ ସ୍ତରରେ ଫିଲ୍ଡ ଅଫିସରମାନେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ପିପିମାନଙ୍କ ସହ ନିରନ୍ତର ସଂଯୋଗରେ ରହିବା ଉଚିତ୍‌। ଏଭଳି ଆଚଚରଣ ହେଲେ ଦୋଷ ସାବ୍ୟସ୍ତ କରିବାରେ ପୂର୍ବାପେକ୍ଷା ସହଜ ହେବ। ବର୍ତ୍ତମାନ ସ୍ଥିତିରେ ଦୁଷ୍କର୍ମ ଘଟଣା କିମ୍ବା ରେଡ୍‌ ଫ୍ଲାଗ୍‌ ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଛି। ଏପ୍ରକାର ଉଦ୍ୟମ ହେଲେ ଆଗକୁ ମଧ୍ୟ ଦୋଷୀ ସାବ୍ୟସ୍ତ ହାର ଢେର୍‌ ବୃଦ୍ଧି ପାଇବ ବୋଲି ଡିଜି ଡାକ୍ତର ଶର୍ମା କହିଛନ୍ତି। ସେହିପରି ପୁଲିସ୍‌ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ଦିଗରେ ଡାକ୍ତର ଶର୍ମା କହିଛନ୍ତି ଯେ, କୌଣସି ମାମଲାରେ ତଦନ୍ତ ହେଉଛି ତାହାର ମୂଳଦୂଆ। ଯଦି ତଦନ୍ତକାରୀ ଅଧିକାରୀଙ୍କ ସଂଖ୍ୟା ଅଧିକ ନଥିବ ତାହେଲେ ଅନ୍ୟମାନଙ୍କ ଉପରେ ଚାପ ଅଧିକ ପଡ଼ିବ। ତେଣୁ ଯେକୌଣସି ମାମଲା ତଦନ୍ତରେ ବାଧା ଆସିବା ସ୍ୱଭାବିକ୍‌। ତେଣୁ ଖାଲି ପଦବି ପୂରଣ କରିବା ଦିଗରେ ବିଭାଗ ପକ୍ଷରୁ ଚେଷ୍ଟା କରାଯାଉଥିବା ଡିଜି ସୂଚନା ଦେଇଛନ୍ତି।

ସେହିପରି ମାମଲା ଗୁଡ଼ିକର ତଦନ୍ତବେଳେ ବୈଷୟିକ ଜ୍ଞାନ କୌଶଳକୁ କିପରି ଅଧିକ ବିନିଯୋଗ କରାଯିବ ତାହା ଉପରେ ଗୁତୁତ୍ୱ ଦିଆଯାଉଥିବା କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ସିିସିଟିଏନ୍‌ଏସ୍‌କୁ ଜେଲ୍‌ ସହିତ ଯୋଡ଼ାଯିବ। ସବୁ ଅପରାଧିକ ଗତିବିଧିକୁ ନେଇ ଏକ ଡାଟାବେସ୍‌ ସୃଷ୍ଟି କରାଯିବ। ଟ୍ରାଏଲ୍‌ ସମୟରେ ଯେପରି ଭିଡିଓ କନ୍‌ଫରେନ୍ସିଂରେ ଅଭିଯୁକ୍ତର ବୟାନ ନିଆଯାଉଛି, ସେହିପରି ଅନ୍ୟ ଜ୍ଞାନକୌଶଳରେ ବିଚାର ପ୍ରକ୍ରିୟାକୁ ସରଳ କରିବା ପାଇଁ ଚିନ୍ତା କରାଯାଉଥିବା ଶ୍ରୀ ଉପାଧ୍ୟାୟ କହିଛନ୍ତି। ଏହି ଅବସରରେ ଗୁଣାତ୍ମକ ତଦନ୍ତ ସହ ଦଳଗତ ଭାବେ ଭଲ ପ୍ରଦର୍ଶନ କରିଥିବା ଅଧିକାରୀ ଏବଂ ବିଚାର ପ୍ରକ୍ରିୟାରେ ଦୋଷୀ ସାବ୍ୟସ୍ତ କରିବାରେ ସହାୟକ ହୋଇଥିବା ପିପିମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବଲାଙ୍ଗୀର ଏସ୍‌ପି କେ.ଶିବ ସୁବ୍ରମଣି, ଆଇଆଇସି ଜ୍ଞାନେନ୍ଦ୍ର କୁମାର ସାହୁ, ଅତିରିକ୍ତ ପିପି ଗଦାଧର ପଣ୍ଡା, କୃଷ୍ଣଚନ୍ଦ୍ର ସେନାପତି, ଦିଲ୍ଲୀପ କୁମାର ବେହେରା, କରୁଣାକର ମୁର୍ମୁ, ବିଜୟ କୁମାର ବିହାରୀ, ରମେଶ ଚନ୍ଦ୍ର ପରିଡ଼ା, ବିକ୍ରମ କେଶରୀ ଜେନା, ଦୁଷ୍ମନ୍ତ କୁମାର ନାଏକ, ସରୋଜକାନ୍ତ ବେହେରା, ପ୍ରଭାତ କୁମାର ବିଶ୍ୱାଳ, ଅନିରୁଦ୍ଧ ରାଉତ, ଅର୍ପିତା ଖଟୁଆ, ହାଡ଼ିବନ୍ଧୁ ଗର୍ତିଆ, କେ.ରାଜେନ୍ଦ୍ର ସ୍ୱାମୀ, ପ୍ରଭୂକଲ୍ୟାଣ ଆଚାର୍ଯ୍ୟ, ସଙ୍ଗମିତ୍ରା ମହାନ୍ତି, ବାବା ଶଙ୍କର ସରାଫ, ତାପସ ଚନ୍ଦ୍ର ପ୍ରଧାନ, ଶ୍ୟାମଘନ ବେହେରା, ପ୍ରତିଭା ମଞ୍ଜରୀ ସାହୁ, ରାମେଶ କୁମାର ମାହାନା, ରବି ନାରାୟଣ ଭଞ୍ଜ, ସ୍ୱତନ୍ତ୍ର ପିପି ପ୍ରଣବ କୁମାର ପଣ୍ଡା, ଅଜିତ କୁମାର ପଟ୍ଟନାୟକ, ନିଦର୍ଶିନୀ ରଥ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ସମ୍ବର୍ଦ୍ଧନା ଦ୍ୱାରା କର୍ମକ୍ଷେତ୍ରରେ ଅଧିକ ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥିବା ବଲାଙ୍ଗୀର ଏସ୍‌ପି କେ.ଶିବ ସୁବ୍ରମଣି କହିଛନ୍ତି।

ପୁଲିସ୍‌ ମୁଖ୍ୟାଳୟରେ ‘ଡାସ୍‌ବୋର୍ଡ’ର ଶୁଭାରମ୍ଭ

କଟକ : ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ପାଇଁ ‘ଡାସ୍‌ବୋର୍ଡ’ ସଫ୍ଟଓୟାରର ଶୁଭାରମ୍ଭ ହୋଇଛି। ପୁଲିସ୍‌ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଯୋଜନାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟର ଅନ୍ୟାନ୍ୟ ଥାନା ଗୁଡ଼ିକ ଉପରେ ନଜର ରଖିବା, ମାମଲାର ତଦନ୍ତ, ତଦନ୍ତକାରୀ ଅଧିକାରୀଙ୍କ ପ୍ରଦର୍ଶନ ଉପରେ ଡାସ୍‌ବୋର୍ଡ ମାଧ୍ୟମରେ ନୀରିକ୍ଷଣ କରାଯାଇପାରିବା ସହିତ ସେମାନଙ୍କୁ ତଦନ୍ତ ସମ୍ପର୍କିତ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଦିନର ଅପରାଧିକ ବିବରଣୀ ସଂକ୍ରାନ୍ତରେ ଜିଲ୍ଲା ଏସ୍‌ପିମାନେ ନିଜ କାର୍ଯ୍ୟାଳୟରେ ଥାଇ ସବୁକିଛି ଜାଣିପାରିବେ। ଏହାଦ୍ୱାରା ତଥ୍ୟଗୁଡ଼ିକ ସୁରକ୍ଷିତ ରହିବା ସହ ଲିକ୍‌ ହେବାର କୌଣସି ସମ୍ଭାବନା ରହିବନାହିଁ ବୋଲି କୁହାଯାଇଛି। ଡାସ୍‌ବୋର୍ଡର ଉଦ୍‌ଘାଟନୀ ବେଳେ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି, ଏସ୍‌ସିିଆର୍‌ବି ନିର୍ଦ୍ଦେଶକ ଏସ୍‌.ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର