ମଝି ସମୁଦ୍ରରେ କ୍ରାଇମ୍‌ବ୍ରାଞ୍ଚ ଅଫିସରଙ୍କୁ ତାଲିମ

ରିମୋଟରେ ନିୟନ୍ତ୍ରଣ ହେବ ପୁଲିସ କୁକୁର , ବାଗଦାଦିକୁ ନିପାତ କରିଥିବା ପ୍ରଜାତି କୁକୁର ଆଣିବ ଓଡ଼ିଶା ପୁଲିସ

କଟକ : ରାଜ୍ୟ ପୁଲିସ ବିଭାଗରେ ତାଲିମପ୍ରାପ୍ତ ପୁଲିସ କୁକୁର ଏଣିକି ରିମୋଟ୍‌ ଦ୍ବାରା ପରିଚାଳିତ ହେବେ। ଅପରାଧିକ ମାମଲା କିମ୍ବା ନକ୍ସଲ୍‌ ଅପରେସନ୍‌ରେ ସାମିଲ ପୁଲିସ କୁକୁରଙ୍କ ପଛରେ ମାଷ୍ଟର ଦୂର ବାଟ ଯାଏ ଏଣିକି ଦୌଡ଼ି ଯିବେ ନାହିଁ। କୁକୁର ବେକରେ ଲାଗିଥିବା ଯନ୍ତ୍ର ଓ କ୍ୟାମେରା ମାଧ୍ୟମରେ ଦୂରରେ ରହି ମାଷ୍ଟର ଡିସ୍‌ପ୍ଲେ’ରେ କୁକୁରର ଗତିବିଧି ଓ ତଥ୍ୟ ପ୍ରମାଣ ସମ୍ପର୍କରେ ସୂଚନା ପାଇପାରିବେ। ରିମୋର୍ଟ ମାଧ୍ୟମରେ କୁକୁରକୁ ଦୂରରେ ଥାଇ କମାଣ୍ତ ଦେବେ। ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ କାର୍ଯ୍ୟକାରୀ ହେବାକୁ ଯୋଜନା ଚାଲିଛି। ତା’ ସହିତ ସଡ଼କ ପଥରେ ଅପରାଧୀଙ୍କ ପିଛା କରୁଥିବା ଏବ˚ ପ୍ରମାଣ ଠାବ କରୁଥିବା କୁକୁର ଜଳ ପଥରେ ବି ଅପରାଧିକ କାର୍ଯ୍ୟକଳାପର ମୁକାବିଲା କିଭଳି କରିବ, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚର ପୁଲିସ ଅଫିସରଙ୍କୁ କେରଳ ପୁଲିସ ଏକାଡେମି ପକ୍ଷରୁ ମଝି ସମୁଦ୍ରରେ ତାଲିମ ଦିଆଯାଉଥିବା ସୂଚନା ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ଆଇଏସ୍‌ଆଇଏସ୍‌ର ମୁଖ୍ୟ ଅବୁ ବକ୍‌ର ଅଲ୍‌-ବାଗଦାଦିର ନିଧନରେ ସାମିଲ ହୋଇଥିବା ‘ବେଲ୍‌ଜିଆନ୍‌ ମେଲିନୋଇସ୍‌’ ବା ‘ବେଲ୍‌ଜିଆନ୍‌୍‌ ସେଫର୍ଡ’ ପ୍ରଜାତିର କୁକୁର ଓଡ଼ିଶା ପୁଲିସ କିଣିବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅର୍ଥ ମଞ୍ଜୁରିକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚର କେ-୯(ଡଗ୍‌ ସ୍କ୍ବାଡ୍‌)ରେ ଆଲ୍‌ସାଟିନା, ଡୋବର‌୍‌ମ୍ୟାନ୍‌, ଜର୍ମାନ୍‌ ସେଫର୍ଡ, ଗୋଲଡେନ୍‌ ରେଟ୍ରାଇଭର‌୍‌ ଭଳି କୁକୁର ବ୍ରିଡ୍‌ ବ୍ୟବହାର କରାଯାଉଥିଲା। ନିକଟରେ ୩ଟି ରଟ୍‌ଵିଲର‌୍‌ ଭଳି ସବୁଠାରୁ ହି˚ସ୍ର ପ୍ରଜାତିର କୁକୁରଙ୍କୁ ସାମିଲ କରାଯାଇଛି। ଏବେ ଦୁଇଟି ‘ବେଲ୍‌ଜିଆନ୍‌୍‌ ସେଫର୍ଡ’ କିଣାଯାଇ କଟକରେ ଥିବା କେ-୯ ସ୍କ୍ବାଡ୍‌ରେ ସାମିଲ କରାଯିବ। କେସିଆଇ ପଞ୍ଜିକୃତ ସ˚ସ୍ଥାରୁ କୁକୁର କିଣାଯିବାକୁ ଥିବା ବେଳେ ପ୍ରତି କୁକୁର ପିଛା ୭୦ ହଜାର ଟଙ୍କାର ଖର୍ଚ୍ଚ କରିବ କ୍ରାଇମ୍‌ବ୍ରାଞ୍ଚ। ଏହି ପ୍ରଜାତିର କୁକୁର ଆବୁ ବକ୍‌ର ଆଲ୍‌ ବାଗଦାଦିର ନିଧନରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି। ଆମେରିକୀୟ ସେନା ପକ୍ଷରୁ ‘ବେଲ୍‌ଜିଆନ୍‌୍‌ ସେଫର୍ଡ’ ପ୍ରଜାତିର କୁକୁର ବାଗଦାଦିକୁ ସୁଡ଼ଙ୍ଗ ଭିତରେ ପିଛା କରିବାକୁ ଛଡ଼ା ଯାଇଥିଲା। ଏଭଳି ପ୍ରଜାତିର କୁକୁରଙ୍କୁ ନକ୍ସଲ୍‌ ଅପରେସନ୍‌ ଏବ˚ ଓଡ଼ିଶାରେ ଦେଖାଯାଉଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯିବାକୁ ଚିନ୍ତା କରାଯାଉଛି।

ଅନ୍ୟପଟେ ତାଲିମପ୍ରାପ୍ତ ପୁଲିସ କୁକୁରଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ମାଷ୍ଟରଙ୍କୁ ଯେଭଳି ଅଧିକ ସହଜ ହେବ, ସେଥିପାଇଁ କୁକୁର ବେକରେ ଅତ୍ୟାଧୁନିକ ଯନ୍ତ୍ର ଲାଗିବା ଯୋଜନା କରାଯାଉଛି। ପ୍ରତି ମେସିନ୍‌ ପିଛା ପାଖାପାଖି ୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି। ମାଷ୍ଟର ହାତରେ ରିମୋଟ ରହିବ। କୁକୁରକୁ ଘଟଣା ସ୍ଥଳକୁ ଛଡ଼ାଯିବା ପରେ ଅପରାଧୀକୁ ଖୋଜିବାକୁ କୁକୁର ଏଣିକି ଏକୁଟିଆ ଯିବ। ରିମୋଟ ଚିପିଲେ କୁକୁରକୁ କରେଣ୍ଟ ଲାଗିବ। କରେଣ୍ଟ ମାଧ୍ୟମରେ ବିଭିନ୍ନ ପ୍ରକାର କମାଣ୍ତ କୁକୁରକୁ ମାଷ୍ଟର ଦୂରରେ ଥାଇ ଦେଇପାରିବେ। ଘଞ୍ଚ ଜ˚ଗଲ ଭିତରେ ନକ୍ସଲଙ୍କ ଆଡ୍ଡାରେ ଯେଉଁଠି ପୁଲିସ ଯିବାକୁ ଅସୁରକ୍ଷିତ ମନେ କରୁଛି, ସେଠାକୁ ପୁଲିସ କୁକୁର ପହଞ୍ଚି କ୍ୟାମେରା ମାଧ୍ୟମରେ ଫଟୋ ସ˚ଗ୍ରହ କରିପାରିବ।

ଏହାସହିତ ଓଡ଼ିଶା ପୁଲିସ ବିଭାଗର କୁକୁରଙ୍କୁ ଅତ୍ୟାଧୁନିକ ତାଲିମ ଯୋଗାଇବାକୁ କେରଳର ଥ୍ରିସୁରରେ ଥିବା ପୁଲିସ ଏକାଡେମିକୁ କ୍ରାଇମ୍‌ବ୍ରାଞ୍ଚର ଚାରି ଜଣ ଅଫିସର ଗଲା ୨୫ ତାରିଖରୁ ଯାଇଛନ୍ତି। ଏକ ସପ୍ତାହ କୁକୁରଙ୍କ ପାଇଁ ଥିବା ଟ୍ରାକି˚, ନାର୍କୋଟିକ୍‌, ଏକ୍ସପ୍ଲୋସିଭ୍‌, ସର୍ଚ ଆଣ୍ତ ରେସ୍‌କ୍ୟୁ ବିଭାଗ ସମ୍ପର୍କରେ ତାଲିମ ଦିଆଯାଉଛି। ଏକାଡେମି ପକ୍ଷରୁ ଜାହାଜରେ ସମୁଦ୍ର ଭିତରକୁ ଯାଇ ପୁଲିସ ଅଫିସରଙ୍କୁ ତାଲିମ ଦିଆଯାଉଛି। ସମୁଦ୍ରପଥରେ ଆସୁଥିବା ଅନ୍ତଃରାଜ୍ୟ ଅପରାଧୀଙ୍କୁ କିଭଳି କୁକୁର ବ୍ୟବହାର କରି ମୁକାବିଲା କରାଯିବ ଓ ଠାବ କରାଯିବ, ସେ ସମ୍ପର୍କରରେ ଅଫିସରଙ୍କୁ ତାଲିମ ଦିଆଯାଉଛି। ଅଫିସରମାନେ ତାଲିମ ନେଇ ଓଡ଼ିଶା ଫେରିବା ପରେ ଓଡ଼ିଶାରେ ଥିବା କେ-୯ ସ୍କ୍ବାଡ୍‌ର କୁକୁରଙ୍କୁ ତାଲିମ ଯୋଗାଇବେ। ଓଡ଼ିଶାର ୪୮୦ କିମି ଉପକୂଳ ଅଞ୍ଚଳରେ କୁକୁରଙ୍କୁ ବ୍ୟବହାର କରି ଅପରାଧୀକ କାର୍ଯ୍ୟକଳାପକୁ ଦମନ କରାଯିବା ଯୋଜନା ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର