ଶୁଳିଆପଦା: ଜାଲ ସାର୍ଟିଫିକେଟ୍ ଦେଇ ଚାକିରି ଅଭିଯୋଗ ପ୍ରମାଣିତ ହେବାର ୬ ମାସ ପରେ ମଧ୍ୟ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଘଟଣାରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଶୁଳିଆପଦା ବିଇଓ ଅଫିସରେ ଛାନ୍ଭିନ୍ କରିଛନ୍ତି। ଅଧିକାରୀ ଜଣକ ସୋମବାର ବିଇଓ ଅଫିସ୍ ଆସିଥିଲେ ବି ବିଇଓ ମାଳତୀ ଟୁଡୁଙ୍କ ଦେଖା ନପାଇ ଫେରି ଯାଇଥିଲେ। ମଙ୍ଗଳବାର ପୂର୍ବାହ୍ନରେ ଅଧିକାରୀ ଜଣକ ପୁଣି ଆସିଥିଲେ ଓ ଘଟଣା ସମ୍ପର୍କରେ ବିଇଓଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲେ।
ସୂଚନା ମୁତାବକ ଶୁଳିଆପଦା ବ୍ଲକ୍ କାଠଶୀର୍ଷି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପାତ୍ରଙ୍କ ବିରୋଧରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ତାଙ୍କର ବିଇଡି ସାର୍ଟିଫିକେଟ ଯାଞ୍ଚ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ପଠା ଯାଇଥିଲା ଓ ଯାଞ୍ଚ୍ ପରେ ତାହା ଜାଲ୍ ବୋଲି ଜଣାପଡିଥିଲା। ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ବିଇଓ ମାଳତୀ ଟୁଡୁଙ୍କୁ ଚିଠି ମାଧ୍ୟମରେ ଗତ ଜୁଲାଇ ମାସରୁ ଜଣାଇ ଦିଆଯାଇଥିଲା। ଇତି ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ବିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସିଆଇଡି ସ୍ପେସାଲ ବ୍ରାଞ୍ଚ ମାମଲାରେ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି।
ତେବେ ଏ ନେଇ ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ହେଲା ବିଇଓ ଅଫିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପଟେ ଏହି ତଦନ୍ତ ପରେ ଜାଲ୍ ସାର୍ଟିଫିକେଟଧାରୀ ଶିକ୍ଷକମାନେ ଏବେ ଛାନିଆ ହୋଇପଡିଛନ୍ତି। ସୂଚନାଯୋଗ୍ୟ; ଗତବର୍ଷ ଶୁଳିଆପଦାରେ ହୋଇଥିବା ସାର୍ଟିଫିକେଟ ଯାଞ୍ଚ୍ରେ ୫୦ରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟକୁ ନେଇ ସନ୍ଦେହ ଜାତ ହୋଇଥିଲା। ନିଜେ ବିଇଓ ସ୍ବତନ୍ତ୍ର ଭାବେ ୧୦ ଜଣଙ୍କର ସାର୍ଟିଫିକେଟ୍ର ପୁନଃଯାଞ୍ଚ ପାଇଁ ଚିଠି କରିଥିଲେ। ତେବେ ଏହାର ଫଳ କଣ ହେଲା ତାହା ଏ ଯାଏ ଅସ୍ପଷ୍ଟ ରହିଛି।