କ୍ରାଇମ୍‌ବ୍ରାଞ୍ଚରେ ଚାରିଟି ମାମଲା ରୁଜୁ : ଦୁଇ ଡିଏସ୍‌ପିଙ୍କୁ ତଦନ୍ତ ଦାୟିତ୍ୱ

ଯାଞ୍ଚ ହେବ ସିସି କ୍ୟାମେରା, ରେକର୍ଡ ହେବ ବୟାନ

କଟକ : ଆଇନଜୀବୀ-ପୁଲିସ ବିବାଦ ଘଟଣାରେ ଆଜି କ୍ରାଇମ୍‌ବ୍ରାଞ୍ଚ ପୁଲିସ ଚାରିଟି ମାମଲା ରୁଜୁ କରିଛି। ଗତକାଲି ହାଇକୋର୍ଟର ନିର୍ଦ୍ଦେଶକ୍ରମେ ଚାଉଳିଆଗଞ୍ଜ ଥାନାରେ ପୂର୍ବରୁ ରୁଜୁ ହୋଇଥିବା ମାମଲାଗୁଡ଼ିକୁ କମିସନରେଟ୍‌ ପୁଲିସ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଦୁଇ ଜଣ ଡିଏସ୍‌ପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ସେହି ଆଧାରରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ଗତ ୨୮ ତାରିଖରେ ନୂଆବଜାର ଛକରେ ଦୁର୍ଘଟଣାକୁ ନେଇ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ଲୋକ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କୁ ପୁଲିସ କର୍ମଚାରୀ ମାଡ଼ ମାରିବାର ଭିଡିଓ ଭାଇରାଲ୍‌ ହେବା ପରେ ବିବାଦ ଉଗ୍ର ରୂପ ନେଇଥିଲା। ଅଗଷ୍ଟ ୨୯ ତାରିଖରୁ ଆଇନଜୀବୀମାନେ ଘଟଣାର ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଦୁଇଟି ମାମଲାର ଶୁଣାଣି କରି ଗତକାଲି ହାଇକୋର୍ଟ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ କ୍ରାଇମବ୍ରାଞ୍ଚ ଆଜିଠାରୁ ମାମଲାର ତଦନ୍ତ ଭାର ଗ୍ରହଣ କରିଛି।

ଆଇନଜୀବୀ ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀପ ସିଂହ, ଚାଉଳିଆଗଞ୍ଜ ଥାନାର ହାବିଲ୍‌ଦାର ପ୍ରସନ୍ନ କୁମାର ବେହେରା, କନଷ୍ଟେବଳ ଦିଲ୍ଲୀପ କୁମାର ସାମଲ, ଓଏପିଏଫ୍‌ ଉଦୟ କୁମାର ଭୂୟାଁ ଏବଂ ହୋମ୍‌ଗାର୍ଡ କିଶୋର ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଦିଲ୍ଲୀପ ସିଂହ ଏବଂ ଦୁର୍ଘଟଣା ଆହତ ହୋଇଥିବା ନାବାଳକଙ୍କ ବାପା ଗୌରାଙ୍ଗ ସାହୁଙ୍କ ଅଭିଯୋଗ ଆଧାରରେ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ଆଉ ଏକ ମାମଲା ହାବିଲ୍‌ଦାର ପ୍ରସନ୍ନ କୁମାର ବେହେରାଙ୍କ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କ ବିରୋଧରେ ରୁଜୁ ହୋଇଛି। କ୍ରାଇମ୍‌ବ୍ରାଞ୍ଚର ଦୁଇ ଡିଏସ୍‌ପି ଡିି.ବି. ମିଶ୍ର ଏବଂ ଏସ୍‌.ଏଲ୍‌. ପଟ୍ଟନାୟକ ଏହି ୪ଟି ମାମଲାର ତଦନ୍ତ କରିବେ। ଆଜି ଚାଉଳିଆଗଞ୍ଜ ଥାନାରୁ ମାମଲା ସଂକ୍ରାନ୍ତ ସମସ୍ତ ନଥିପତ୍ର ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ଚାରିଟି ମାମଲା ରୁଜୁ କରିଛି। ଆସନ୍ତାକାଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଚାଉଳିଆଗଂଜ ଥାନାକୁ ଯିବ। ସେଠାରେ ଘଟଣା ସମ୍ପର୍କରେ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚରା କରିବ। ଥାନାର ସିସି କ୍ୟାମେରା ଯାଞ୍ଚ କରାଯିବ। ପରେ ନୂଆବଜାରର ଯେଉଁ ଅଞ୍ଚଳରେ ୨୮ ତାରିଖରେ ଘଟଣା ଘଟିଥିଲା, ସେଠାରେ ଥିବା ଦୋକାନ ଏବଂ ଏଟିଏମ୍‌ କାଉଣ୍ଟର୍‌ର ମୋଟ ୧୨ଟି ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯିବ। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ୪ ଏତଲାକାରୀଙ୍କ ବୟାନ ରେକର୍ଡ କରିବ କ୍ରାଇମ୍‌ବ୍ରାଞ୍ଚ। ଅନ୍ୟପଟେ ଆଇନଜୀବୀଙ୍କୁ ପୁଲିସ କର୍ମଚାରୀ ବାଡ଼େଇବା ସମୟର ମୋବାଇଲ୍‌ ଭିଡିଓ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଜବତ କରିଛି। କେଉଁ ପରିସ୍ଥିତିରେ ତାଙ୍କୁ ପୁଲିସ କର୍ମଚାରୀ ବାଡ଼େଇଲେ, ପ୍ରଥମେ ସେ ଦିଗକୁ କ୍ରାଇମ୍‌ବ୍ରାଞ୍ଚ ଅନୁଧ୍ୟାନ କରିବାକୁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର