କ୍ରାଇମବ୍ରାଞ୍ଚର ରିପୋର୍ଟ ଜାରି: ଧର୍ତ୍ତବ୍ୟ ଅପରାଧରେ ଓଡ଼ିଶା ପଛୁଆ

କଟକ : ଜାତୀୟ ଅପରାଧ ନଥି ସଂସ୍ଥା(ଏନସିଆରବି) ଦ୍ବାରା ଜାରି ଜାତୀୟ ଅପରାଧ ପରିସଂଖ୍ୟାନ-୨୦୨୦ ଆଧାରରେ କ୍ରାଇମବ୍ରାଞ୍ଚ ଏକ ରିପୋର୍ଟ ଜାରି କରିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାର ୪୮୭.୮ ଥିବା ବେଳେ ଓଡ଼ିଶାରେ ଧର୍ତ୍ତବ୍ୟ ଅପରାଧ ହାର ମାତ୍ର ୨୯୫.୨ ରହିଛି। ଏହି ରିପୋର୍ଟ ହିଁ ଦର୍ଶାଉଛି ଯେ ସର୍ବଭାରତୀୟ ସ୍ତରରେ ଧର୍ତ୍ତବ୍ୟ ଅପରାଧ ହାରଠାରୁ ଓଡ଼ିଶାର ଅପରାଧ ହାର ବହୁତ କମ୍ ରହିଛି।

ସୂଚନା ଅନୁଯାୟୀ, ଅପରାଧ ହାର ଏକ ଲକ୍ଷ ଜନସଂଖ୍ୟା ଅନୁପାତରେ ଘଟୁଥିବା ଅପରାଧ ସଂଖ୍ୟାକୁ ସୂଚାଇଥାଏ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦିଲ୍ଲୀରେ ଧର୍ତ୍ତବ୍ୟ ଅପରାଧ ହାର ୧୩୦୯.୫ ଥିବା ବେଳେ ବିଜେପି ଶାସିତ ରାଜ୍ୟ ଗୁଜୁରାଟରେ ଅପରାଧ ହାର ୧୦୧୧.୪, ହରିୟାଣାରେ ଅପରାଧ ହାର ୬୫୮.୬, ମଧ୍ୟପ୍ରଦେଶରେ ଅପରାଧ ହାର ୫୧୧.୧ ରହିଛି। ସେହିଭଳି ଆନ୍ଧ୍ରପ୍ରଦେଶର ଅପରାଧ ହାର ୪୫୨.୭, ମହାରାଷ୍ଟ୍ରର ୪୩୫.୮, ତାମିଲନାଡ଼ୁର ୧୮୦୮.୮ ଏବଂ ତେଲେଙ୍ଗାନାର ୩୯୩.୦ ରହିଛି। ଓଡ଼ିଶାରେ ଅପରାଧିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର