ଝାରସୁଗୁଡ଼ା/ବ୍ରଜରାଜନଗର: ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା ଘଟଣାର ତଦନ୍ତ ଲାଗି ଝାରସୁଗୁଡ଼ା ଜିଲ୍ଲାର ବଡ଼ମାଳ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି। ଆଜିଠାରୁ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଟିମ୍ ଅଧିକ ଛାନଭିନ୍ କରିବ। ସିନ୍ ରିକ୍ରିଏସନ୍ ଲାଗି ଗୋପାଳ ଦାସଙ୍କୁ ଆଜି ଘଟଣାସ୍ଥଳକୁ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବଡ଼ମାଳ ଥାନାରେ ଥିବା ନବ ଦାସଙ୍କ କାରର ବି ଫରେନସିକ୍ ଯାଞ୍ଚ କରାଯାଉଛି। ଏହି କାରରୁ ବାହାରିବା ମାତ୍ରେ ଗୁଳିମାଡ଼ କରାଯାଇଥିଲା।
ସୂଚନାଯୋଗ୍ୟ, ଗତକାଲି ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ କରିଥିଲା। ଏଡିଜି ଅରୁଣ ବୋଥ୍ରା ନିଜେ ଅନୁଧ୍ୟାନ କରିଥିଲେ। କ୍ରାଇମବ୍ରାଞ୍ଚ ସହ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ ଲାଗି ଉପସ୍ଥିତ ଥିଲେ। କ୍ରାଇମସ୍ପଟରେ ଥ୍ରି-ଡି ଡିଜିଟାଲ ସ୍କାନର ଲଗାଯାଇଥିଲା। ଗତକାଲି ପୁଣି ଗୋଟାଏ ଖୋକା ମିଳିଥିଲା। ପୂର୍ବରୁ ଘଟଣାସ୍ଥଳରୁ ଗୋଟିଏ ଖାଲି ଖୋକା ଏବଂ ଅନ୍ୟ ତଥ୍ୟ ପ୍ରମାଣ ଜବତ କରାଯାଇଥିଲା।
ଏହି ଟିମ୍ ୯ ଏମଏମ ପିସ୍ତଲ, ୩ ରାଉଣ୍ଡ ଜୀବନ୍ତ ଗୁଳି, ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କ ଏକ ମୋବାଇଲ୍ ଫୋନ ଜବତ କରିଛି। ବନ୍ଧୁକ ଓ ଗୁଳିର ବାଲାଷ୍ଟିକ ପରୀକ୍ଷା ଏବଂ ମତ ପାଇଁ ଫରେନସିକ ଲାବରୋଟୋରିକୁ ପଠାଯାଇଛି।
ଏଣେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମଙ୍ଗଳବାର ତିନି ଦିନ ପୂରି ଯାଇଥିଲେ ମଧ୍ୟ ଗୋପାଳ ଦାସ କାହିଁକି ତାଙ୍କୁ ଗୁଳି କରି ହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି। ଘଟଣା ଦିନ ସନ୍ଧ୍ୟାରୁ ଆସି ତଦନ୍ତ ଜାରି ରଖିଥିଲେ ହେଁ କ୍ରାଇମବ୍ରାଞ୍ଚ ଏପର୍ଯ୍ୟନ୍ତ ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲିନାହିଁ। ଆଜି କ୍ରାଇମ ବ୍ରାଞ୍ଚ ଟିମ୍ ବ୍ରଜରାଜନଗରରେ ଘଟଣାସ୍ଥଳକୁ ଯାଇ ଦୀର୍ଘ ସମୟ ଧରି ଛାନଭିନ୍ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ। ଘଟଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା। ଏହି ହୋଟେଲରେ ହିଁ ହତ୍ୟାକାଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି। ସେପଟେ କ୍ରାଇମବ୍ରାଞ୍ଚ୍ର ଆଉ ଏକ ଟିମ୍ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇଛନ୍ତି। ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି। ଏଣୁ ଏହି ଚର୍ଚ୍ଚାକୁ ଆଜି ବଳ ମିଳିଛି।
ନବ ଦାସଙ୍କୁ ହତ୍ୟା ଘଟଣା: ବଡ଼ମାଳ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍, ଆଜି ହୋଇପାରେ ସିନ୍ ରିକ୍ରିଏସନ୍
/sambad/media/post_attachments/wp-content/uploads/2023/02/naba-dddd-723x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)