ରାୟଗଡ଼ା: ରୁଷ୍ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ଟିମ୍ ଆଜି ପୁଣି ହୋଟେଲରେ ପହଞ୍ଚିଛି। ‌ଯେଉଁ ହୋଟେଲ୍ ସାଇ ଇଣ୍ଟରନ୍ୟାସ୍‌ନାଲରେ ସେମାନେ ରହୁଥିଲେ, ସେଠାରେ ପୁଣି ତଦନ୍ତ ଜାରି ରଖିଛି ଟିମ୍। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।ଗତକାଲି  ଯେଉଁ ରୁମରେ ବିଦେଶ ପର୍ଯ୍ୟଟକ ରହିଥିଲେ ଓ ଯେଉଁ ସ୍ଥାନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା, ସେ ସବୁ ସ୍ଥାନରେ ଫରେନସିକ୍ ଟିମ୍ ସହାୟତାରେ ତଦନ୍ତ କରାଯାଇଥିଲା। ରୁଷ ପର୍ଯ୍ୟଟକ ପାଭେଲ ଆଣ୍ଟୋଭଙ୍କ ଶେଷକୃତ୍ୟ ହୋଇଥିବା ଶ୍ମଶାନକୁ ଯାଇ ଆଜି ନମୂନା ସଂଗ୍ରହ କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଡିଏସ୍‌ପି ସରୋଜକାନ୍ତ ମହନ୍ତଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ୍‌ର ୧୨ ଜଣିଆ ଟିମ୍‌ ହୋଟେଲ୍ ସାଇ ଇଣ୍ଟରନ୍ୟାସ୍‌ନାଲରେ ପହଞ୍ଚିଥିଲେ। ଫରେନ୍ସିକ୍‌ ଟିମ୍‌ ମଧ୍ୟ ସାଙ୍ଗରେ ଥିଲେ। ହୋଟେଲ୍‌ ମ୍ୟାନେଜରଙ୍କ ସହ ଆଲୋଚନା ପରେ ସିସିଟିଭି ଫୁଟେଜ୍ ଯାଞ୍ଚ୍‌ କରିଥିଲେ ଟିମ୍। ଏହାପରେ ରୁଷ୍‌ ପର୍ଯ୍ୟଟକ ଓ ସାଂସଦ ରହୁଥିବା ରୁମ୍, ଟୁରିଷ୍ଟ୍‌ ଗାଇଡ୍‌ଙ୍କ ରୁମ୍ ଅନୁଧ୍ୟାନ ସହ ଘଟଣା ଘଟିଥିବା ସ୍ଥାନକୁ ଯାଇଥିଲେ। ତିନିମହଲା ଛାତ ଉପରକୁ ଟିମ୍ ଯାଇ ଆନ୍ଥେଭଙ୍କ ମୃତଦେହ ପଡ଼ିଥିବା ସ୍ଥାନକୁ ଦେଖିବା ପରେ ତଳକୁ ଓହ୍ଲାଇଥିଲେ ଫରେନ୍ସିକ୍‌ ଟିମ୍। ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫରେନ୍ସିକ୍‌ ଟିମ୍ ଘଟଣାସ୍ଥଳ‌କୁ ଯାଞ୍ଚ୍‌ କରିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ଦିଗକୁ ତଦନ୍ତ ପରିସରଭୁକ୍ତ କରିଥିଲେ। ଏଥିସହିତ, ଆଣ୍ଟେଭଙ୍କୁ ଶେଷଥର ପାଇଁ ଦେଖିଥିବା ହୋଟେଲ୍ କର୍ମଚାରୀ, ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା ହୋଟେଲ୍ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ୍‌ ଟିମ୍। ବିଦାନୋଭଙ୍କ ମୃତ୍ୟୁ ସମୟରେ ହୋଟେଲ୍ ରୁମ୍‌ରେ ପଡ଼ିଥିବା ମଦ ବୋତଲ, ଖାଦ୍ୟ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି।