ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଗତକାଲି ରାତିରେ ଏଠାକୁ ଆସିଥିବା କ୍ରାଇମ୍ବ୍ରାଞ୍ଚ୍ର ଏକ ଟିମ୍ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କ ଝିଅକୁ ପଚରାଉଚରା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ସେଠାରେ ଉପସ୍ଥିତ ରହି ପଚରାଉଚରା କରିବା ସହିତ ଆଉ କିଛି ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି।
ବ୍ରହ୍ମପୁର ସହର ଉପକଣ୍ଠ ଜଳେଶ୍ବରଖଣ୍ଡି ହେଉଛି ଏଏସ୍ଆଇ ଗୋପାଳ ଦାସଙ୍କ ପୈତୃକ ଘର। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାରୀ ଗୋପାଳ ବୋଲି ଜଣାପଡ଼ିବା ପରେ ଗତ ୩୧ତାରିଖରେ କ୍ରାଇମ୍ବ୍ରାଞ୍ଚର ଡିଏସ୍ପି ଶିଶିର ମିଶ୍ରଙ୍କ ନେତୃତ୍ବରେ ଏକ ଟିମ୍ ବ୍ରହ୍ମପୁର ଆସିଥିଲେ। ୫ଦିନ ଧରି ବିଭିନ୍ନ ଦିଗ ଉପରେ ତଦନ୍ତ କରି ତଥ୍ୟ, ପ୍ରମାଣ ସଂଗ୍ରହ କରିବା ପରେ ଏହି ଟିମ୍ ଗତ ୫ତାରିଖ ଦିନ ବ୍ରହ୍ମପୁର ଛାଡ଼ିଥିଲେ । ଗତକାଲି ରାତିରେ କ୍ରାଇମବ୍ରାଞ୍ଚ୍ ପୁଣିଥରେ ଜଳେଶ୍ବରଖଣ୍ଡିରେ ପହଞ୍ଚିଥିଲେ। କ୍ରାଇମ୍ବ୍ରାଞ୍ଚର ଜଣେ ମହିଳା ଇନ୍ସ୍ପେକ୍ଟର୍ ବୈଦ୍ୟନାଥପୁର ଥାନା ପୁଲିସ ସହାୟତାରେ ଗୋପାଳଙ୍କ ଝିଅଙ୍କୁ ବିଭିନ୍ନ ଦିଗ ଉପରେ ପଚରାଉଚରା କରିଥିଲେ। ଏହିସମୟରେ ବ୍ରହ୍ମପୁର ପୁଲିସର ଜଣେ ମହିଳା ଡିଏସ୍ପି ଓ ମହିଳା ଏସ୍ଆଇ ମଧ୍ୟ ଉପସ୍ଥିତ ଥିଲେ।
ବିଭିନ୍ନ ଦିଗ ଉପରେ ପଚରାଉଚରା କରି ଗୋପାଳଙ୍କ ଝିଅର ବୟାନ୍ ରେକର୍ଡ କରିବାପରେ କ୍ରାଇମ୍ବ୍ରାଞ୍ଚର ମହିଳା ଇନ୍ସ୍ପେକ୍ଟର୍ ଗତରାତିରେ ହିଁ ଫେରି ଯାଇଛନ୍ତି। ସେ ଝାରସୁଗୁଡ଼ା ଯାଇଥିବା ଜଣାପଡ଼ିଛି। ଝିଅ ପାଖରୁ ମିଳିଥିବା ତଥ୍ୟକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ ଟିମ୍ ଝାରସୁଗୁଡ଼ାରେ ତଦନ୍ତ ଜାରି ରଖିଛି। ଝାରସୁଗୁଡ଼ାରୁ ଯାହା ବି ବ୍ରହ୍ମପୁର ଲିଙ୍କ୍ ମିଳିବ, ତା’ର ପରବର୍ତ୍ତୀ ତଦନ୍ତ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଆଗାମୀ ଦିନରେ ପୁଣିଥରେ କ୍ରାଇମ୍ବ୍ରାଞ୍ଚ ଟିମ୍ ବ୍ରହ୍ମପୁର ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ, ଗୋପାଳଙ୍କ ପତ୍ନୀ ଓ ବଡ଼ଭାଇ ସତ୍ୟନାରାୟଣ ଦାସ ଝାରସୁଗୁଡ଼ା ଅଭିମୁଖେ ଯାଇଥିବା ସୂଚନା ମିଳିଛି। ହେଲେ, ଏ ଦିଗରେ କେହି କିଛି ସ୍ପଷ୍ଟ କରୁ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/crime-branch-op.jpg)