ବୁର୍ଲା : ବ୍ରଜରାଜନଗର ଗାନ୍ଧୀ ଛକ ଗୁଳିମାଡ଼ ଘଟଣାରେ ଆହତ ହୋଇ ଭିମ୍‌ସାରରେ ଚିକିତ୍ସିତ ହେଉଥିବା ଜୀବନ ନାଏକଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ୍‌ ଟିମ୍‌ । ବହୁ ସମୟ ଧରି ତାଙ୍କୁ ପଚରାଉଚରା କରାଯାଇଛି। ଘଟଣାଦିନ ସେ ପିନ୍ଧିଥିବା ଲୁଗା ଜବତ ସହିତ ଟିମ୍‌ ମଧ୍ୟ ତାଙ୍କ ଡାକ୍ତରୀ ରିପୋର୍ଟ ନେଇଛି। ଜୀବନ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ। କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଜଣେ ପ୍ରମୁଖ ସାକ୍ଷୀ ଭାବେ କୋର୍ଟରେ ଉପସ୍ଥାପନ କରିବାକୁ ଥିବାରୁ ଜୀବନଙ୍କ ବୟାନ ବେଶ୍‌ ଗୁରୁତ୍ବବହନ କରୁଛି।

Advertisment

ଶୁକ୍ରବାର ଅପରାହ୍‌ଣରେ ଡିଏସ୍‌ପି ଅନାଦୀ ସେଠୀ, ଡିଏସ୍‌ପି ବାସୁଦେବ ସ୍ବାଇଁଙ୍କ ସହିତ ଅନ୍ୟ ତିନି ଜଣ ଅଧିକାରୀଙ୍କୁ ନେଇ ଗଠିତ ପାଞ୍ଚଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ ଭିମ୍‌ସାର୍‌ରେ ପହଞ୍ଚିଥିଲେ। ଏହି ଟିମ୍ ଭିମ୍‌ସାର୍‌ର ଇଏନ୍‌ଟି ବିଭାଗକୁ ଯାଇ ସେଠାରେ ଭର୍ତ୍ତି ହୋଇଥିବା ଜୀବନଙ୍କୁ ଭେଟିଥିଲେ। ସେଦିନ ଘଟଣା ସ୍ଥଳରେ କ’ଣ ଓ କେମିତି ଘଟିଥିଲା ସେ ବିଷୟରେ ବିସ୍ତୃତ ଭାବେ ପଚାରିବା ସହିତ ଜୀବନଙ୍କ ୧୬୧ ବୟାନ ମଧ୍ୟ ରେକର୍ଡ କରିଥିଲେ। ପରବର୍ତ୍ତୀ ସମୟରେ ଘଟଣା ଦିନ ଜୀବନ ପିନ୍ଧିଥିବା ଲୁଗା ଜବତ୍ କରିଥିଲେ।

ଟିମ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କୁ ପଚାରିବା ସହିତ ଜୀବନଙ୍କ ଡାକ୍ତରୀ ରିପୋର୍ଟ (ଆଘାତ ରିପୋର୍ଟ)ର ଏକ କପି ମଧ୍ୟ ସଂଗରେ ନେଇଛନ୍ତି। ଅପର ପକ୍ଷେ ଆଜି ଜୀବନଙ୍କ ଷ୍ଟିଚ୍ ଡ୍ରେସିଂ କରାଯାଇଛି। ତାଙ୍କର ଘା ଆସ୍ତେ ଆସ୍ତେ ଶୁଖିବାରେ ଲାଗିଛି। ସୋମବାର ଜୀବନଙ୍କ ଷ୍ଟିଚ୍ ଖୋଲାଯିବା ପରେ ତାଙ୍କୁ ଡାକ୍ତରଖାନାରୁ ଛୁଟି ଦିଆଯିବ ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ସୌଭାଙ୍ଗିନୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଗତ ରବିବାର ଦିନ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ବେଳେ ଜଣେ ଦଳୀୟ ସମର୍ଥକ ଜୀବନ ନାଏକଙ୍କ ବେକ ପଛପଟେ ଏକ ଗୁଳି ଘଷି ହୋଇ ଚାଲିଯାଇଥିଲା। ଜୀବନଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭିମ୍‌ସାର୍‌କୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଅସ୍ତ୍ରୋପଚାର କକ୍ଷରେ ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟ ସୌଭାଙ୍ଗିନୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସହକାରୀ ପ୍ରଫେସର ସୁଜାତା ପଣ୍ଡା, ନିଶ୍ଚେତକ ବିଭାଗର ଡାକ୍ତର ଏବଂ ପିଜି ଛାତ୍ରମାନେ ପରୀକ୍ଷାନିରୀକ୍ଷା କରିଥିଲେ। ବେକରେ ଗୁଳିର କୌଣସି ଅଂଶ ନ ଥିବା ସ୍ପଷ୍ଟ ହୋଇଥିଲା।