ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିବା ପାରଳାଖେମୁଣ୍ଡିର ଯୁବ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏହି ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଡିଜିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ସବୁ ଦିଗରୁ ତଦନ୍ତ ଆରମ୍ଭ କରିବ।
ସେ କହିଛନ୍ତି, ଏଥିଲାଗି ୬ ଜଣିଆ ସାଇଣ୍ଟିଫିକ ଟିମଙ୍କୁ ଏଥିରେ ନିଯୁକ୍ତି କରାଯିବ। ଏହି ୬ ଜଣିଆ ଫରେନସିକ ଟିମରେ ଫିଜିକ୍ସ, କେମେଷ୍ଟ୍ରି ଟିମ ,ଫିଙ୍ଗରପ୍ରିଣ୍ଟ, ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଫାୟାର ଡିପାର୍ଟମେଣ୍ଟର ଅଫିସରେ ଏହି ଟିମରେ ରହିବେ। କ୍ରାଇମବ୍ରାଞ୍ଚ ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ। ଏହି ଘଟଣାରେ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଯେଉଁ ଯେଉଁ ଦିଗକୁ ନେଇ ଅଭିଯୋଗ ଆସିଛି, ସେହି ଦିଗରୁ ତଦନ୍ତ କରାଯିବ ବୋଲି ଏଡିଜି କହିଛନ୍ତି।

ସୂଚନାଯୋଗ୍ୟ, ଏହି ଘଟଣାକୁ ଆଜି ମାସେ ପୂରିଲା। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତରେ ଜଟିଳତା କାରଣରୁ ପାରଳା ପୁଲିସକୁ ତଦନ୍ତରେ ସହଯୋଗ ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌କୁ ମଧ୍ୟ ପଠାଗଲା। ହେଲେ ଏହି ଘଟଣାର ରହସ୍ୟ ଉପରୁ ଏବେ ବି ପରଦା ହଟି ପାରିଲାନି। ମାସକର ତଦନ୍ତ କାଳରେ ଏହା ଦୁର୍ଘଟଣାଜନିତ ନା ସୌମ୍ୟଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗ ପ୍ରକାରେ ଏକ ସୁଚିନ୍ତିତ ହତ୍ୟା ଘଟଣା, ସେ ନେଇ କିଛି ପୁଲିସ ସ୍ପଷ୍ଟ କରିପାରିନି।
ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଣ ଜଣ କରି ୧୬ ଜଣଙ୍କୁ ପୁଲିସ ବିଭିନ୍ନ ପର୍ଯ୍ୟାୟରେ ଜେରା କରିସାରିଛି। ୫୦ ଜଣଙ୍କ ବୟାନ ବି ରେକର୍ଡ଼ କରିଛି। ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ୍‌ ସ୍ବତନ୍ତ୍ର ଟିମ୍‌ ଓ ବୈଷୟିକ ଟିମ୍‌ ଛାନ୍‌ଭିନ୍‌ କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ସମେତ ଅନ୍ୟାନ୍ୟ ବୈଷୟିକ ରିପୋର୍ଟ ମଧ୍ୟ ଆସି ସାରିଛି। ତଥାପି ଏ ପର୍ଯ୍ୟନ୍ତ ଘଟଣାର ରହସ୍ୟ ହଟାଇବାରେ ପୁଲିସ ସମର୍ଥ ହୋଇନାହିଁ।
ଗତ ଜୁଲାଇ ମାସ ୧୨ ତାରିଖ ରାତ୍ର ୮.୩୦ ସମୟରେ ପାରଳାଖେମୁଣ୍ଡି ଡିଏଫ୍ଓ ବଙ୍ଗଳା ନିକଟରେ ଥିବା ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନରେ ତାଙ୍କ ଦେହରେ ନିଆଁ ଲାଗିଥିବା ଘଟଣା ଖବର ପ୍ରଚାରିତ ହୋଇଥିଲା। ୧୩ ତାରିଖ ସକାଳ ପ୍ରାୟ ୭ଟା ସମୟରେ ଏସିଏଫ୍ ମହାପାତ୍ରଙ୍କର କଟକ ଏସ୍‌ସିବିରେ ମୃତ୍ୟୁ ଘଟିଥିଲା। ମୃତ୍ୟୁର କିଛି ଘଣ୍ଟା ପରେ ତାଙ୍କ ପରିବାର ଏହା ଏକ ହତ୍ୟା ବୋଲି ଅଭିଯୋଗ ଆଣିଥିଲେ। ଏହା ଆଧାରରେ ପୁଲିସ ଦଫା ୩୦୨ ଓ ୧୨୦(ବି) ଅନୁସାରେ ହତ୍ୟା ମାମଲା ରୁଜୁ କରିଥିଲା। ଇତି ମଧ୍ୟରେ ତତ୍କାଳୀନ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କାର୍ଯ୍ୟରୁ ଅବସର ଗ୍ରହଣ କରିସାରିଛନ୍ତି।
ଅନ୍ୟ ପଟେ ଘଟଣାକୁ ଚପାଇ ଦେବା ପାଇଁ ପ୍ରୟାସ ଚାଲିଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୌମ୍ୟଙ୍କ ପରିବାର। ଗତ କିଛି ଦିନ ହେଲା ସୌମ୍ୟଙ୍କ ପିତା ଏବ˚ ମାମୁ ସିବିଆଇ ତଦନ୍ତ ଦାବି କରିବା ସହ ଘଟଣାର ତଦନ୍ତ କରୁଥିବା ଅଧିକାରୀ ମାନଙ୍କୁ ପରିବର୍ତ୍ତନ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ପ୍ରମୁଖ ସାକ୍ଷୀ ସ୍ବର୍ଗତ ସୌମ୍ୟରଞ୍ଜନଙ୍କ ଧର୍ମପତ୍ନୀ ବିଦ୍ୟାଭାରତୀଙ୍କୁ ପୁଲିସ ତଦନ୍ତକାରୀ ଦଳ ଦୁଇ ଦୁଇଥର ପଚରାଉଚରା କରିଛି।

ସମ୍ବନ୍ଧିତ ଖବର