ନିଶା ମାଫିଆର ୨କୋଟିର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ବର : କୁଖ୍ୟାତ ନିଶା ମାଫିଆ ଅନୀଲ କୁମାର ପାଣ୍ଡିର ୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ କୋଲକାତା ସ୍ଥିତ ଏନଡିପିଏସଙ୍କୁ ପତ୍ର ଲେଖିଛନ୍ତି କ୍ରାଇମବ୍ରାଞ୍ଚ୍ ଏସଟିଏଫ । ତାହାର ଏହି ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର ।  ଏହି କୋଠାର ଦାମ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅଟକଳ କରାଯାଇଛି । ତାହାର ମଧ୍ୟ ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଥିବା ଜଣାଯାଇଛି । କେବଳ ଏତିକି ନୁହେଁ, ଗୁଜୁରାଟ ଓ ମହାରାଷ୍ଟ୍ରରେ ତାହାର ସମ୍ପତ୍ତି ଥିବାର ସୁରାକ ମିଳିଛି ।

ଗତ ୨୦୨୧ ମସିହା ଅଗଷ୍ଟ ୧୩ରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା । ଏହା ଅନୀଲ ଦ୍ବାରା ଚାଲାଣ ହେଉଥିବା କୁହାଯାଉଛି । ଅନୀଲ ପାଣ୍ଡିର ଅପରାଧିକ ସାମ୍ରାଜ୍ୟ ଓଡିଶାରୁ ଗୁଜୁରାଟ ପର୍ଯ୍ୟନ୍ତ ଲମ୍ବିଛି । ପୂର୍ବରୁ ତାର ଭାଇ ସୁନୀଲ ପାଣ୍ଡି ଗୁଜୁରାଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଅନୀଲ ପାଣ୍ଡି ଏବେ ବି ଫେରାର ଅଛି । ତା ନାଁରେ କୋର୍ଟଙ୍କ ପକ୍ଷରୁ ଜାମିନ ବିହୀନ ପରଓ୍ବାନା ଜାରି କରାଯାଇଛି । ଗତ ବର୍ଷ ଅନୀଲ ସଂପର୍କରେ ସୂଚନା ଦେବାକୁ ଏସଟିଏଫ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଥିଲା ।

ସମ୍ବନ୍ଧିତ ଖବର