ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ମାଡ଼ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଏସ୍‌ଡିପିଓ ମାଡ଼ ମାରିବା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ବିଧାନସଭାରେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। କ୍ରାଇମବ୍ରାଞ୍ଚର ଜଣେ ଆଇଜି ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଆଦିବାସୀ ମହିଳାଙ୍କୁ ଏସଡିପିଓ ମାଡ଼ ମାରିବା ଘଟଣା ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇଥିଲା। ଗୃହରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ନାରାବାଜି କରିଥିଲେ।

ବିଧାନସଭା ଶୂନ୍ୟକାଳରେ ଆଜି କଂଗ୍ରେସ ବିଧାୟକମାନେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ମୁତାବକ ମାଲକାନଗିରିର ଆରଏସସି-୧୩ ଗ୍ରାମରେ ଗତ ଜୁନ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳାମାନଙ୍କୁ ମାଡ ମାରିଥିଲା। କୌଣସି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ପୁଲିସ ମାଡ ମାରିଥିଲା। କଂଗ୍ରେସ ସଦସ୍ୟମାନେ ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଥିଲେ। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି କହିଥିଲେ ଯେ, ପୁଲିସ କର୍ମଚାରୀମାନେ ମଦ ପିଇ ଆତଙ୍କରାଜ କରିଥିଲେ ।

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା’କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଦୁଇ ଜଣ ସାମ୍ବାଦିକଙ୍କ ସହ କଂଗ୍ରେସର ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି। ତୁରନ୍ତ ଏସଡ଼ିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଥିଲେ ବିଧାୟକ ସନ୍ତୋଷ ସିଂ ସାଲୁଜା। ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏହା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ। ସେହିପରି ବିଜେପି ସଦସ୍ୟ ମଧ୍ୟ ଫଟୋ ଦେଖାଇ ଉଦବେଗ ପ୍ରକାଶ କରିଥିଲେ। ପୋଡିଅମ ନିକଟକୁ ଯାଇ ବିଜେପି ସଦସ୍ୟ ମୋହନ ମାଝି ପ୍ରତିବାଦ କରିଥିବାବେଳେ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ଏହି ଘଟଣାକୁ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଯିଏ ଦୋଷୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର