ରାୟଗଡ଼ା/ଭୁବନେଶ୍ବର/କଟକ : ଉତ୍କଳ ଭାରତ ଦଳ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ବାଇଁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ପୁଲିସ୍‌ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ଫେରାର୍‌ ଥିବାବେ‌ଳେ ମୁଖ୍ୟ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ରିମାଣ୍ଡରେ ଆଣିଛି। ଅନ୍ୟପକ୍ଷରେ, ଶ୍ରୀ ସ୍ବାଇଁଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଏସ୍‌ପିମାନଙ୍କ ଉଦ୍ଦେଶ୍ୟରେ ଏକ ସର୍କୁଲାର ଜାରି କରିଛନ୍ତି।

Advertisment

ମିଳିଥିବ ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଆଜି ରାୟଗଡ଼ାର କାଶୀପୁରରେ ପହଞ୍ଚିଛି। ଏହି ଟିମ୍‌ରେ ଦୁଇ ଜଣ ଏସଆଇ ଏବଂ ଜଣେ ଏଏସ୍‌ଆଇ ରହିଛନ୍ତି। ସେହିଭଳି ଘଟଣାର ଅଧିକ ତଦନ୍ତ ପାଇଁ ମୁଖ୍ୟ ଅଭିଯୁକ୍ତ ସୁମନ୍ତ ନାୟକଙ୍କୁ ପୁଲିସ ରିମାଣ୍ଡରେ ନେଇଛି। ଆଜି କୋର୍ଟରେ କାଶୀପୁର ପୁଲିସ ଅଭିଯୁକ୍ତକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ତେବେ ମାନ୍ୟବର ଏସଡିଜେଏମ କୋର୍ଟ ତିନି ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଏହାପରେ ପୁଲିସର ଏକ ସ୍ବତନ୍ତ୍ର ଟିମ ରାୟଗଡ଼ା ଜେଲରୁ ଅଭିଯୁକ୍ତ ସୁମନ୍ତଙ୍କୁ ନେଇଥିବା ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି। ଏଥିସହିତ, ଏହି ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ଜଣକ ପି. ଗୋବିନ୍ଦ ରାଓ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ, ଉତ୍କଳ ଭାରତ ସଭାପତି ଖାରବେଳ ସ୍ବାଇଁଙ୍କୁ ରାୟଗଡ଼ାର କାଶୀପୁରରେ ଆକ୍ରମଣ ହେବା ପରେ ତାଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି ଓ ଏସପିମାନଙ୍କ ଉଦ୍ଦେଶ୍ୟରେ ଏକ ସର୍କୁଲାର ଜାରି କରିଛନ୍ତି। ଏହା ଛଡ଼ା ସେ ଆବେଦନ କଲେ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଯୋଗାଇ ଦିଆଯାଇପାରେ।

ଏଠାରେ ପ୍ରକାଶଥାଉକି ଉତ୍କଳ ଭାରତ ପାର୍ଟି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେଉଥିବାବେଳେ ଖାରବେଳ ୩ ଜାଗାରେ ଆକ୍ରମଣର ଶିକାର ହୋଇ ସାରିଲେଣି। ଏହା ପୂର୍ବରୁ ତାଙ୍କ ଉପରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳିରେ ମଧ୍ୟ ଆକ୍ରମଣ ହୋଇଥିଲା।