କଟକ: ଅନ୍ଲାଇନ୍ରେ ମହିଳା ଓ ଶିଶୁଙ୍କୁ ଯୌନଶୋଷଣ ପ୍ରସଂଗ ଏବେ ରାଜ୍ୟରେ ଉଦ୍ବେଗଜନକ ହୋଇଛି। ଏହାକୁ ରୋକିବା ପାଇଁ ରାଜ୍ୟର ପୁଲିସ ଅଧିକାରୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ୧୭ପୁଲିସ ଜିଲ୍ଲାର ମୋଟ ୭୨ଜଣ ପୁଲିସ କର୍ମଚାରୀଙ୍କୁ ୬ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ୟୁନିସେଫ୍ ସହ ମିଳିତ ସହଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ ‘ଶିଶୁଙ୍କ ବିରୋଧରେ ହେଉଥିବା ସାଇବର୍ ଅପରାଧ’ର ତଦନ୍ତ ପାଇଁ ଯନ୍ତ୍ରାଂଶ ଏବଂ କୌଶଳ ସମ୍ପର୍କିତ ଏକ କର୍ମଶାଳା ୭ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୭ରୁ ୯ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ କର୍ମଶାଳାରେ ଭୁବନେଶ୍ବର, କଟକ, କଟକ ଗ୍ରାମାଞ୍ଚଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେଓଗଡ଼ ଏବଂ ଢେଙ୍କାନାଳ ଜିଲ୍ଲା ପୁଲିସର ଏସ୍ଆଇ ଏବଂ ଉପର ପାହ୍ୟାର ପୁଲିସ ଅଧିକାରୀ ମୋଟ ୩୪ଜଣ ସାମିଲ ହୋଇଛନ୍ତି। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ କର୍ମଶାଳାରେ ୩୮ଜଣ ପୁଲିସ କର୍ମଚାରୀ ସାମିଲ ହେବେ।
ଦେଶରେ ସାଇବର୍ ଅପରାଧ ଦ୍ରୁତଗତିରେ ବୃଦ୍ଧି ପାଉଛି। ସେଥିପାଇଁ ସାଇବର୍ ଅପରାଧଜନିତ ମାମଲାର ତଦନ୍ତ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ସଂକ୍ରାନ୍ତରେ ଏହି କର୍ମଶାଳାରେ ତାଲିମ ଦିଆଯାଉଛି। ଅନ୍ଲାଇନ୍ରେ ଶିଶୁ ଓ ମହିଳାଙ୍କୁ ଯୌନ ଶୋଷଣ ଜନିତ ଅପରାଧ ବି ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ମାମଲାକୁ କିଭଳି ପରିଚାଳନା କରାଯିବ, ସେଥିପାଇଁ ସ୍ବତନ୍ତ୍ର କୌଶଳ ସଂକ୍ରାନ୍ତରେ ତାଲିମ ଦିଆଯାଉଛି। ଏହି ପର୍ଯ୍ୟାୟରେ ଯାନ୍ତ୍ରିକ କୌଶଳ, ଡିଜିଟାଲ୍ ଫରେନସିକ୍, ଆଇନଗତ ପ୍ରସଂଗ, ଅନ୍ୟ ଏଜେନ୍ସି ସହିତ ତଦନ୍ତ ସମୟରେ ତଥ୍ୟ ଆଦାନପ୍ରଦାନ, ପୀଡ଼ିତାଙ୍କୁ ସହାୟତା ଇତ୍ୟାଦି ସଂକ୍ରାନ୍ତରେ ତାଲିମ ଦିଆଯିବ। ଏହି ତାଲିମ କାର୍ଯ୍ୟକ୍ରମକୁ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଉଦ୍ଘାଟନ କରିଛନ୍ତି। ଏଥିରେ ଏଡିଜି ଅରୁଣ ବୋଥ୍ରା, କ୍ରାଇମବ୍ରାଞ୍ଚ ଆଇଜି ସେଫିନ୍ ଅହମ୍ମଦ କେ, ୟୁନିସେଫ୍ ଓଡ଼ିଶା ପକ୍ଷରୁ ଶିଶୁ ସୁରକ୍ଷା ବିଶେଷଜ୍ଞ ମାନ୍ନା ବିଶ୍ବାସ ପ୍ରମୁଖ ଉପସ୍ଥିତ ଥିଲେ।