କଟକ: ଅନଲାଇନ ପୁଞ୍ଜି ନିବେଶକଙ୍କ ପାଇଁ ଏବେ କାଳ ହୋଇଛନ୍ତି ସାଇବର୍ ଅପରାଧୀ। ଷ୍ଟକ ମାର୍କେଟ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଆଇପିଓରେ ଅର୍ଥ ନିବେଶ କରୁଥିବା ନିବେଶକାରୀଙ୍କୁ ଅବିଶ୍ବସନୀୟ ଲାଭର ପ୍ରତିଶ୍ରୁତି ଦେଇ ଦୁର୍ବୃତ୍ତ ଠକି ନେଉଛନ୍ତି କୋଟିକୋଟି ଟଙ୍କା। ୨୦୨୩ ଓ ୨୦୨୪ରେ ୨୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିନେଲେଣି ଏହି ସାଇବର ଠକ। ଏଭଳି କେଳେଙ୍କାରୀ ପଛର କାର୍ପଟଦାରମାନେ କାମ୍ବୋଡ଼ିଆ ଓ ହଂକଂରେ ରହି ଏହାକୁ ନିୟନ୍ତ୍ରଣ କରୁଛନ୍ତି। ସେମାନଙ୍କୁ ଧରିବା ଓ ହଡ଼ପ ଅର୍ଥ ଜବତ କରିବା ଏବେ କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଫଳରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏବେ ପୁଞ୍ଜିନିବେଶକାରୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Advertisment

ତଥ୍ୟ ଅନୁଯାୟୀ, ୨୦୨୩ ବର୍ଷରେ ୨୨ଟି ଅନ୍‌ଲାଇନ୍‌ ନିବେଶ ସଂକ୍ରାନ୍ତ ଠକେଇ ମାମଲା କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ରୁଜୁ ହୋଇଛି। ଏଥିରେ ପାଖାପାଖି ୮ କୋଟି ୫ ଲକ୍ଷ ଟଙ୍କାର ଅର୍ଥ ଠକେଇ ହୋଇଛି। କିନ୍ତୁ ଚଳିତ ବର୍ଷ ମାତ୍ର ୪ ମାସ ମଧ୍ୟରେ ୨୫ଟି ମାମଲା କ୍ରାଇମବ୍ରାଞ୍ଚରେ ରୁଜୁ ହୋଇସାରିଲାଣି। ଏଥିରେ ୧୭ କୋଟି ଟଙ୍କା ଠକେଇ ହୋଇଛି। ଠକେଇ ହେଇଥିବା ଅର୍ଥରୁ ବହୁତ କମ ଟଙ୍କା ଜବତ କରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି। ଅନେକ ଟଙ୍କା ଦେଶ ବାହାରକୁ ଚାଲିଯାଇଥିବାରୁ ଏହାକୁ ଜବତ କରିବା ସମ୍ଭବପର ହୋଇପାରିନାହିଁ। ଏହି ଧରଣର ଅପରାଧ କରୁଥିବା ସାଇବର୍ ଅପରାଧୀ ପ୍ରଥମେ ନିବେଶକଙ୍କୁ ହ୍ବାଟସଆପ୍ ଏବଂ ଟେଲିଗ୍ରାମ ଗ୍ରୁପରେ ଯୋଡ଼ିଥାନ୍ତି। ସେଠାରେ ସେମାନଙ୍କୁ ଅର୍ଥ ନିବେଶ କରି ଅଳ୍ପ ସମୟ ମଧ୍ୟରେ ଅଧିକ ଟଙ୍କା ଲାଭ ପାଇବାର ଲୋଭ ଦେଖାଇଥାନ୍ତି। ଏହି ଗ୍ରୁପରେ ଯେଉଁ ସଦସ୍ୟମାନେ ଥାନ୍ତି ସେମାନଙ୍କୁ ନିବେଶକ ଭାବେ ପରିଚୟ ଦିଆଯାଇଥାଏ। ସେମାନେ କିଭଳି ମୋଟା ଅଙ୍କର ଟଙ୍କା ନିବେଶ କରି ରୋଜଗାର କରୁଛନ୍ତି, ବିଶ୍ବାସ ବଢ଼ାଇବାକୁ ସେ ନେଇ ଉଦାହରଣ ବି ଦିଆଯାଇଥାଏ। ବାସ୍ତବରେ ସେହି ଗ୍ରୁପରେ ଥିବା ସଦସ୍ୟମାନେ ସାଇବର୍ ଅପରାଧୀଙ୍କ ସହଯୋଗୀ ଅଟନ୍ତି। ଯୋଜନାବଦ୍ଧ ଭାବେ ନିବେଶକଙ୍କୁ ଗ୍ରୁପରେ ଯୋଡ଼ି ସାଇବର୍ ଅପରାଧୀମାନେ ଫସାଇଥାନ୍ତି। ଯେତେବେଳେ ଟଙ୍କା ଉଠାଣ କରିବାକୁ ନିବେଶକ ଚାହିଁଥାନ୍ତି, ସେହି ସମୟରେ ଗ୍ରୁପ ମାଲିକଙ୍କ ଅସଲ ଖେଳ ଆରମ୍ଭ ହୋଇଥାଏ। ଲାଭ ଟଙ୍କାକୁ ଉଠାଇବାକୁ ହେଲେ ଆହୁରି ଟଙ୍କା ନିବେଶ କରିବାକୁ କୁହାଯାଇଥାଏ। ଏହି ଟଙ୍କା ନିବେଶ ପରେ ସାଇବର୍ ଅପରାଧୀ ପୂରା ଟଙ୍କା ହଡ଼ପ୍ କରିନେଇଥାନ୍ତି। ଯେଉଁ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଥାଏ, ଏଗୁଡ଼ିକ ସାଧାରଣତଃ ସାଇବର୍ ଅପରାଧୀମାନେ ଭଡ଼ାରେ ଆଣିଥାନ୍ତି। ନିବେଶକଙ୍କ ଟଙ୍କା ଲୁଟିବା ପରେ ଏହାକୁ ଆମେରିକୀୟ ଡଲାରକୁ ପରିବର୍ତ୍ତନ କରାଯାଇଥାଏ। ପରେ ଏହାକୁ ବିଟ୍‌ କଏନରେ ପରିବର୍ତ୍ତନ କରି ଦୁବାଇ, ଚାଇନା ଓ ହଂକଂରେ ଉଠାଣ କରାଯାଇଥାଏ।

ଏଭଳି ଠକେଇ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପରାମର୍ଶବଳୀରେ ଦର୍ଶାଯାଇଛି ଯେ ଯେତେବେଳେ ଅନ୍‌ଲାଇନ୍‌ରେ କୌଣସି ଅର୍ଥ ନିବେଶ କରୁଛନ୍ତି ତାହାର ବିଶ୍ବସନୀୟତା ଯାଞ୍ଚ କରାଯିବା ଆବଶ୍ୟକ। ଅନ୍‌ଲାଇନ୍‌ରେ ଅର୍ଥ ନିବେଶ କରିବା ପାଇଁ ସବୁବେଳେ ଭରସାଯୋଗ୍ୟ ଆପ୍ଲିକେସନ୍ ଓ ଵେବସାଇଟରେ ଯିବା ଆବଶ୍ୟକ। କୌଣସି ସନ୍ଦେହଜନକ ଲିଙ୍କ କିମ୍ବା ଫୋନ୍ କଲ୍ ପାଇଲେ କିମ୍ବା ଠକେଇର ଶିକାର ହେଲେ ତୁରନ୍ତ ଏ ସଂକ୍ରାନ୍ତରେ ଦେୟମୁକ୍ତ ଯୋଗାଯୋଗ ନମ୍ବର ୧୯୩୦ରେ ଯୋଗାଯୋଗ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।