ଭୁବନେଶ୍ୱରକୁ ଆସିବ କ୍ରାଇମ୍‌ବ୍ରାଞ୍ଚ ଓ୍ଵାଇଲ୍ଡ ଲାଇଫ୍‌ ସେଲ୍‌

କଟକ : ଓଡ଼ିଶା ପୁଲିସର ଗୋଟିଏ ପରେ ଗୋଟିଏ ବିଭାଗକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଛି। ଫଳରେ ଅଳ୍ପ କିଛି ବର୍ଷ ଭିତରେ ରାଜ୍ୟ ପୁଲିସର ମୁଖ୍ୟାଳୟ ଏକପ୍ରକାର ନାମକୁମାତ୍ର କାର୍ଯ୍ୟ କରିବ। ମାତ୍ର ୭ ଦିନ ପୂର୍ବରୁ ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟ କଟକରୁ ଭୁବନେଶ୍ୱର ଉଠି ଯାଇଥିବା ବେଳେ ଏବେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚର ଓ୍ଵାଇଲ୍ଡ ଲାଇଫ୍‌ ସେଲ୍‌ କଟକ ପୁଲିସ ମୁଖ୍ୟାଳୟ ପରିସରରୁ ଉଠାଇ ନେବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ) କୋଠାରେ ଏହାର ନୂଆ କାର୍ଯ୍ୟାଳୟ ଖୋଲିବ। ଜୁଲାଇ ୨ ତାରିଖରୁ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ରେଳବାଇ ଆଇଜିଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ଦିଆଯାଇଥିବା ବେଳେ ଏବେ ସ୍ଥାନ ଅଭାବରୁ ଓ୍ଵାଇଲ୍ଡ ଲାଇଫ୍‌ ସେଲ୍‌କୁ ମଧ୍ୟ ସ୍ଥାନାନ୍ତର କରାଯିବାକୁ ଯୋଜନା ହେଉଛି।

୨୦୧୭, ଅକ୍ଟୋବର ୨୫ ତାରିଖରେ ଭୁବନେଶ୍ୱର ୟୁନିଟ୍‌-୫ରେ ଖୋଲିଥିବା ଏସ୍‌ଟିଏଫ୍‌ କୋଠାରେ ଏସ୍‌ଏପି(ସ୍ପେଶାଲ ଆର୍ମଡ୍‌ ଫୋର୍ସ) ସମେତ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଏବଂ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଥିଲ। କଳ୍ପନ ଛକରେ ଥିବା କ୍ରାଇମ୍‌ବ୍ରାଞ୍ଚର ଉକ୍ତ ଦୁଇଟି କାର୍ଯ୍ୟାଳୟ ଉଠିଯାଇଥିବା ବେଳେ କଟକ ବକ୍ସିବଜାରରେ ଥିବା ଏସ୍‌ଏପି ସ୍ଥାନାନ୍ତର ହୋଇଥିଲା। ଏବେ କଟକ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ସ୍ଥାନାଭାବ ଦର୍ଶାଇ ଓ୍ଵାଇଲ୍ଡ ଲାଇଫ୍‌ ସେଲ୍‌କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସେଲ୍‌ ଏବେ ଜଣେ ଡିଏସ୍‌ପିଙ୍କ ଦାୟିତ୍ୱରେ ଥିବାବେଳେ ତାଙ୍କ ଅଧୀନରେ ଜଙ୍ଗଲ ବିଭାଗରୁ ଡେପୁଟେସନ୍‌ରେ ଆସିଥିବା ଆସିଷ୍ଟାଣ୍ଟ କଞ୍ଜର୍ଭେର୍ଟର୍‌, ଜଣେ ଏଏସ୍‌ଆଇ ଏବଂ ଜଣେ କନେଷ୍ଟବଳ କାର୍ଯ୍ୟ କରୁଛନ୍ତି। ସେମାନେ ମଧ୍ୟ ଭୁବନେଶ୍ୱର ବଦଳି ହେବେ। ରାଜ୍ୟରେ ଓ୍ଵାଇଲ୍ଡ ଲାଇଫ୍‌ ସେଲ୍‌ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସେଲ୍‌ର ଭିତ୍ତିଭୂମି ସମ୍ପ୍ରସାରଣ କରାଯିବ। ସେହି ଉଦ୍ଦେଶ୍ୟରେ ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର