ପିଟର ଓ ସର୍ବେଶ୍ବରଙ୍କୁ ହେବ ମୁହାଁମୁହିଁ ଜେରା
ପରେ ପ୍ରଦୀପଙ୍କୁ ଅଣାଯାଇପାରେ

Advertisment

ଭୁବନେଶ୍ୱର : ଟାଟା ମୋଟର୍ସର ନକଲି ଏମ୍‌ଡି ସାଜି କୋଟି କୋଟି ଟଙ୍କା ଠକେଇ କରିଥିବା ଆକାଶ ପାଠକଙ୍କୁ ଆସନ୍ତାକାଲି(ଶୁକ୍ରବାର)ଠାରୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏହି ମାମଲାରେ ଅଧିକ ଖୋଳତାଡ଼ ପାଇଁ ଆକାଶଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଝାରପଡ଼ା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯିବ। ଏହା ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

ପ୍ରଦୀପ-ଆକାଶ-ସର୍ବେଶ୍ବର ସିଣ୍ଡିକେଟର ପର୍ଦାଫାଶ କରିବ ତଦନ୍ତକାରୀ ଟିମ୍। କେମିତି ଏହି ଠକେଇ ସିଣ୍ଡିକେଟ୍ ତିଆରି ହୋଇଥିଲା? କେମିତି ପ୍ରାର୍ଥୀ ଯୋଗାଡ଼ କରା ଯାଉଥିଲା? ଗୋପାଳପୁର ଏବଂ ବ୍ରହ୍ମପୁର ଅଞ୍ଚଳରୁ ପ୍ରଦୀପ କେତେଜଣ ପ୍ରାର୍ଥୀଙ୍କ ଚାକିରି ପାଇଁ ତାଙ୍କ ପାଖକୁ ବାୟୋଡାଟା ପଠାଇଥିଲେ? କାହିଁକି ପ୍ରଦୀପ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ? କେମିତି ତିଆରି ହେଉଥିଲା ଜାଲ୍ ନିଯୁକ୍ତି ପତ୍ର? ସବୁ କାଗଜପତ୍ରରେ ଦସ୍ତଖତ କରୁଥିବା ସିନିୟର ଏଚଆର ମ୍ୟାନେଜର ଅରୁଣ ଫୁଲେରା କିଏ? ଆକାଶଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଡେଭିଡ୍‌ ପିଟରଙ୍କ ବୟାନ ଅନୁସାରେ ତାଙ୍କ ପ୍ରମୁଖ ବ୍ୟକ୍ତିଗତ ସଚିବ ଥିଲେ ଘୋଡ଼ପଡ଼େ। ଏହି ଘୋଡ଼ପଡ଼େ କିଏ? ଅରୁଣ ଫୁଲେରା ଓ ଘୋଡ଼ପଡ଼େ କେଉଁଠି ରହୁଛନ୍ତି? କାଗଜପତ୍ର କେଉଁଠି ତିଆରି କରା ଯାଇଥିଲା? କେମିତି ଟାଟା ମୋଟର୍ସ ଲୋଗୋକୁ ନକଲ କରାଗଲା? ଚାକିରି ପାଇଁ ଚୂଡ଼ାନ୍ତ ତାଲିକାରେ ଥିବା ପ୍ରାର୍ଥୀମାନେ କେମିତି ଟଙ୍କା ଦେଉଥିଲେ? ଓଡ଼ିଶା, ପାଟନା, ପୁନେ, ମୁମ୍ବାଇ ବାଦ୍ ଆଉ କେଉଁଠି ଠକେଇ କରାଯାଇଛି? ଏ ସବୁ ରହସ୍ୟ ଜାଣିବାକୁ ଆକାଶଙ୍କୁ ମାରାଥନ୍ ଜେରା କରାଯିବ।

ପିଟର ସହ ଆକାଶଙ୍କର ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି। ଟାଟା ମୋଟର୍ସରେ ଠକେଇ ସଂକ୍ରାନ୍ତରେ ପିଟର ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛି ତାକୁ ନେଇ ଜେରା କରାଯିବ। ଠକେଇ ସଂକ୍ରାନ୍ତରେ ଅଧିକରୁ ଅଧିକ ପ୍ରମାଣ ସଂଗ୍ରହ କରିବ ତଦନ୍ତକାରୀ ଟିମ୍। ପ୍ରାର୍ଥୀଙ୍କ କନଫରମେସନ୍ ଲେଟରରେ ଆକାଶଙ୍କର ଯେଉଁ ଦସ୍ତଖତ ରହିଛି ତାହାକୁ ପ୍ରମାଣ କରିବା ଲାଗି ଫରେନସିକ୍ ଲାବରେଟୋରିକୁ ପଠାଯିବ। ରିମାଣ୍ଡ ଅବଧି ସମୟରେ ଆକାଶଙ୍କ ଦସ୍ତଖତ ସଂଗ୍ରହ କରାଯାଇ ତାହାକୁ ମେଳ କରାଯିବ। ଏହା ଏକ ବଡ ସିଣ୍ଡିକେଟ୍ ହୋଇଥିବାରୁ ଅଭିଯୁକ୍ତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଭି.ସର୍ବେଶ୍ବର ରାଓଙ୍କୁ ମଧ୍ୟ ଜେରା କରିବ କ୍ରାଇମବ୍ରାଞ୍ଚ। ଏହି ସମୟ ମଧ୍ୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଜେରା କରିପାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ଗତ ନଭେମ୍ବର ୨୭ ତାରିଖରେ ଗିରଫ ହେବା ପରେ ଜେଲ୍ ଯାଇଥିଲେ। ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ସ୍କାଏ କିଙ୍ଗ ଟ୍ରାଭେଲ୍ସ ଏଜେନ୍ସିରୁ ଚାର୍ଟର ବିମାନ ଭଡ଼ାରେ ଆଣି ୬୫ ଲକ୍ଷ ଟଙ୍କା ଠକେଇ କରିବା ନେଇ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚ ପରେ କମିସନରେଟ ପୁଲିସ ଏହି ମାମଲାରେ ଆକାଶଙ୍କୁ ରିମାଣ୍ଡରେ ନେବ।