୫ ଦିନ ରିମାଣ୍ଡ୍‌ରେ ଟିଟୋ : ଏସ୍‌ଟିଏଫ୍‌ ଅଧିକାରୀଙ୍କ ଜେରା

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀକୁ ଆଜି ୫ ଦିନ ରିମାଣ୍ଡ୍‌ରେ ନେଇଛି କ୍ରାଇମ୍‌ବ୍ରାଞ୍ଚ ସ୍ପେସାଲ ଟାସ୍କଫୋସ୍‌ର୍ (ଏସ୍‌ଟିଏଫ୍‌)। ଟିଟୋକୁ ୧୦ ଦିନ ରିମାଣ୍ଡ୍‌ରେ ନେବାକୁ ଏସ୍‌ଟିଏଫ୍‌ ଗତକାଲି କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ଙ୍କ ନିକଟରେ ଆବେଦନ କରିଥିଲା। ଏସ୍‌ଡିଜେଏମ୍‌ ନିହାରରଂଜନ ସାହୁ ଆଜି ଆବେଦନର ବିଚାର କରି ଟିଟୋକୁ ୫ ଦିନ ରିମାଣ୍ଡ୍‌ରେ ନେବା ପାଇଁ ଅନୁମତି ଦେଇଛନ୍ତି। ଟିଟୋକୁ ଆଜି ସଂଧ୍ୟାରେ କେନ୍ଦ୍ରାପଡ଼ା ଉପକାରାଗାରରୁ ଭୁବନେଶ୍ୱର ନିଆଯିବା ପରେ ସେଠାରେ ଏସ୍‌ଟିଏଫ୍‌ ଅଧିକାରୀ ତାକୁ ଜେରା କରିଛନ୍ତି। ପାଞ୍ଚ ଦିନ ଭିତରେ ଟିଟୋର ଅପରାଧ ସାମ୍ରାଜ୍ୟ, ବ୍ୟବସାୟ, ଟେଣ୍ଡର ଫିକ୍ସିଂ, ଠିକାଦାରୀ ଓ ଅନ୍ୟ ସଂଗୀନ ଅପରାଧ ସମ୍ପର୍କରେ ଜେରା କରାଯିବ।

ଗତକାଲି ରାତିରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଟିଟୋକୁ ହାଜର କରାଯାଇଥିଲା। ତାକୁ ୧୦ ଦିନ ରିମାଣ୍ଡ୍‌ରେ ନେବାକୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ତଦନ୍ତକାରୀ ଅଫିସର ରାମଚନ୍ଦ୍ର ଥମ୍ବ ଆବେଦନ କରିଥିଲେ। ଏସ୍‌ଡିଜେଏମ୍‌ ଜାମିନ୍‌ ଆବେଦନକୁ ନାମଞ୍ଜୁର କରିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଜେଲ୍‌ ହାଜତରେ ରଖା ଯାଇଥିଲା। ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ବିଧୁଭୂଷଣ ମହାନ୍ତି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୧୦ ଦିନିଆ ରିମାଣ୍ଡ୍‌ ଆବେଦନକୁ ବିଚାରକୁ ନେବା ପାଇଁ ଆବେଦନ କରିଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ଟିଟୋ ବିରୋଧରେ ଆଇପିସିର ଧାରା ୩୯୯, ୪୦୨, ୩୦୭ ଓ ୨୫, ୨୭ ଆର୍ମସ୍‌ ଆକ୍ଟ୍‌ରେ ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଟିଟୋ ସହିତ ତା’ର ୬ ଜଣ ସହଯୋଗୀ ଗିରଫ ହୋଇଥିଲେ ବି ସେମାନଙ୍କୁ ରିମାଣ୍ଡ୍‌ରେ ନେବା ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯାଇନାହିଁ।।

ସମ୍ବନ୍ଧିତ ଖବର