ବୟାନ ବଦଳାଉଛନ୍ତି ପୁଲିସ ବାବୁ : ଅଦାଲତରୁ ଖସି ଯାଉଛନ୍ତି ଅଭିଯୁକ୍ତ, ଏପିପିଙ୍କ ସହିତ ସମନ୍ଵୟ ରଖିବାକୁ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ନିର୍ଦ୍ଦେଶ

କଟକ : ଗୁରୁତ୍ୱପୂର୍ଣ୍ଣ ମାମଲାରେ ସରକାରୀ ସାକ୍ଷୀ ଭାବେ ପୁଲିସ ବାବୁମାନେ କୋର୍ଟରେ ବୟାନ ବଦଳାଇ ଦେଉଛନ୍ତି। ସେମାନେ ଜବତ ତାଲିକାରେ ଦସ୍ତଖତ କରିଥିବା ସତ୍ତ୍ୱେ କିଛି ଜାଣିନଥିବା କହୁଛନ୍ତି। ପୁଲିସ ବିଭାଗରେ ଏ ପ୍ରକାର ଅଡ଼ୁଆ ପରିସ୍ଥିତି ପାଇଁ ଅପରାଧୀମାନେ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ୍‌ ହେବାକୁ ପରୋକ୍ଷରେ ସୁଯୋଗ ସୃଷ୍ଟି କରାଯାଉଛି। ଏନ୍‌ଡିପିଏସ୍‌, ପୋସ୍‌କୋ ଏବଂ ଟ୍ରାଇବାଲ୍‌ କେସ୍‌ରେ ଅପରାଧୀ ଅପରାଧରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ଜବତ ସମୟରେ ଜବତ ତାଲିକାରେ ସାକ୍ଷୀ ପଡ଼ୁଥିବା ପୁଲିସ ବାବୁଙ୍କୁ ଜବତ ସାମଗ୍ରୀ ସମ୍ପର୍କରେ ସ୍ପଷ୍ଟ ଭାବେ ଅବଗତ କରାଇବା ଜରୁରୀ। ସାଧାରଣତଃ ସରକାରୀ ସାକ୍ଷୀ ଭାବେ କନେଷ୍ଟବଳ, ହୋମଗାର୍ଡ ଏବଂ ଗ୍ରାମରକ୍ଷୀଙ୍କ ଦସ୍ତଖତ ତଦନ୍ତକାରୀ ଅଧିକାରୀମାନେ ନେଉଛନ୍ତି। କିନ୍ତୁ ସେମାନଙ୍କୁ ଜବତ ସାମଗ୍ରୀ ସମ୍ପର୍କରେ ଅନେକ ସମୟର ଅବଗତ କରାଯାଉ ନଥିବାରୁ କୋର୍ଟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ କ୍ରାଇମ୍‌ବ୍ରାଞ୍ଚ ଜିଲ୍ଲା ଓ୍ଵାରି ତଦନ୍ତକାରୀ ଅଧିକାରୀଙ୍କ ଖାମ୍‌ଖିଆଲି କାର୍ଯ୍ୟକଳାପ ଉପରେ କ୍ଷୁବ୍ଧ ହୋଇଛି।

ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଆଜି ଜିଲ୍ଲା ଏସ୍‌ପି/ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତ। ସେ ଦର୍ଶାଇଛନ୍ତି ଯେ, ଜିଲ୍ଲାରେ ତଦନ୍ତକାରୀ ଅଧିକାରୀ ବଦଳି ସଂକ୍ରାନ୍ତ କୌଣସି ତଥ୍ୟ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ନିୟମିତ ବ୍ୟବଧାନରେ ରହୁନାହିଁ। ଯଦ୍ୱାରା ପୂର୍ବରୁ ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ଅଧିକାରୀଙ୍କ ମାମଲାର ପ୍ରମାଣଭିତ୍ତିକ ଦସ୍ତାବିଜ୍‌ ତାଙ୍କ ବଦଳି ପରେ କୋର୍ଟରେ ଠିକ୍‌ ସମୟରେ ଦାଖଲ ହୋଇପାରୁ ନାହିଁ। ପ୍ରମାଣ ଦାଖଲ ନହେବାରୁ ବର୍ଷ ବର୍ଷ ଧରି ମାମଲା କୋର୍ଟରେ ପଡ଼ିରହୁଥିବା କ୍ରାଇମ୍‌ବ୍ରାଞ୍ଚ ଏକ ସମୀକ୍ଷାରୁ ଜାଣିବାକୁ ପାଇଛି। ଏଣିକି ପ୍ରତ୍ୟେଜ ଜିଲ୍ଲାର ତଦନ୍ତକାରୀ ଅଧିକାରୀଙ୍କ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ ଆଇଡି ତୁରନ୍ତ [email protected] ରେ ଦାଖଲ କରିବାକୁ କୁହାଯାଇଛି। କୌଣସି ତଦନ୍ତକାରୀ ଅଧିକାରୀଙ୍କ ଜିଲ୍ଲା ବାହାରକୁ ବଦଳି ହେଲେ, ସେ ସଂକ୍ରାନ୍ତରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚକୁ ତୁରନ୍ତ ଅବଗତ କରାଯିବ। ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ସ୍ଥାନରେ ଅନ୍ୟ କେଉଁ ଅଫିସର୍‌ ନିଯୁକ୍ତ ହେଲେ, ସେ ସଂକ୍ରାନ୍ତରେ ମଧ୍ୟ ଅବଗତ କରିବାକୁ କୁହାଯାଇଛି। ଯଦ୍ୱାରା କୋର୍ଟରେ ମାମଲାର ସାକ୍ଷ୍ୟ ପ୍ରମାଣ ଠିକ ସମୟରେ ଦାଖଲ ସହିତ ଅଭିଯୁକ୍ତଙ୍କ ବିରୋଧରେ ତ୍ୱରିତ ଶୁଣାଣି କରାଯାଇପାରିବ। ସିସିଟିଏନ୍‌ଏସ୍‌(କ୍ରାଇମ୍‌ ଆଣ୍ଡ କ୍ରିମିନାଲ୍‌ ଟ୍ରାକିଂ ନେଟ୍‌ଓ୍ଵାର୍କ ଆଣ୍ଡ ସିଷ୍ଟମ୍‌) ମାଧ୍ୟମରେ ମାମଲା ରୁଜୁ ସମୟରେ ତଦନ୍ତକାରୀ ଅଧିକାରୀ ବ୍ୟକ୍ତିଗତ ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି ଲେଖିବା ବାଧ୍ୟତାମୂଳକ। ଅନ୍ୟପଟେ ଚଳିତ ବର୍ଷ ରାଜ୍ୟର ବିଭିନ୍ନ କୋର୍ଟରେ ୧୪୮ ଜଣ କ୍ୟାଡର୍‌ ଏପିପି ନିଯୁକ୍ତ ହୋଇଛନ୍ତି। କୋର୍ଟରେ ମାମଲାର ଶୁଣାଣି ସମୟରେ ସାକ୍ଷ୍ୟ ପ୍ରମାଣ ଦାଖଲ ପାଇଁ ତଦନ୍ତକାରୀ ଅଧିକାରୀମାନେ ସମ୍ପୃକ୍ତ ଏପିପିଙ୍କ ସହିତ ନିୟମିତ ବ୍ୟବଧାନରେ ସମନ୍ଵୟ ରକ୍ଷା କରିବେ। ପ୍ରତ୍ୟେକ ମାସରେ ମୋଟ ଦୁଇ ଥର ସେମାନଙ୍କ ସହିତ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଜିଲ୍ଲା ଏସ୍‌ପି ଏବଂ ଏସ୍‌ଡିପିଓମାନେ ଅନୁଧ୍ୟାନ କରିବା ସହିତ ସୁନିଶ୍ଚିତ କରିବେ। ମାମଲାର ଶୁଣାଣି ସମୟରେ କୋର୍ଟରେ ତଦନ୍ତକାରୀ ଅଧିକାରୀମାନେ କେଉଁ ତାରିଖରେ ହାଜର ହେବେ, ସେ ସମ୍ପର୍କରେ ଏସ୍‌ପି/ଏସ୍‌ଡିପିଓମାନେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରାଇବା ସହିତ କୋର୍ଟର ଧାର୍ଯ୍ୟ ତାରିଖ ଅନୁଯାୟୀ ହାଜର ହେଉଛନ୍ତି କି ନାହିଁ, ତା’ ଉପରେ ମଧ୍ୟ ନଜର ରଖାଯିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର