ରାଜ୍ୟରେ ଗୋଟିଏ ବର୍ଷରେ ୧୩ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି

ଭୁବନେଶ୍ୱର : ୨୦୧୮ ତୁଳନାରେ ୨୦୧୯ ମସିହାରେ ୧୩.୧ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି। କଟକ ଜିଆରପିରେ ସର୍ବାଧିକ ୩୬.୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗଜପତିରେ ୩୨.୭, ଯାଜପୁରରେ ୩୧.୮ ଓ ଜଗତସିଂହପୁରରେ ୩୦.୪ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଭୁବନେଶ୍ବରରେ ୧୩.୯ ଓ କଟକରେ ୨୩.୮ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି। ସେହିଭଳି ଦେବଗଡ଼ରେ ପୂର୍ବବର୍ଷ ତୁଳନାରେ ୨୬ ପ୍ରତିଶତ ଅପରାଧ କମିଥିବା ରେକର୍ଡ କରାଯାଇଛି। ଏତଦ୍‌ବ୍ୟତିତ ବୌଦ୍ଧ ଓ କୋରାପୁଟ୍‌ରେ ମଧ୍ୟ କମିଥିବା ରେକର୍ଡ ହୋଇଛି। ଥାନାରେ ହୋଇଥିବା ମାମଲାକୁ ଆଧାର କରି ଏହି ପରିସଂଖ୍ୟାନ ସ୍ବରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ବିଧାନସଭାରେ ଉପସ୍ଥାପନ କରିଛନ୍ତି। ଅନେକ ମାମଲା ଥାନାରେ ରଫାଦଫା ହେଉଥିବା ବେଳେ କେତେକ କେବଳ ଷ୍ଟେସନ ଡାଏରିରେ ରହିଯାଉଛି।

ଅପରାଧଗୁଡ଼ିକ ମଧ୍ୟରେ ହତ୍ୟା, ଦୁଷ୍କର୍ମ, ଡକାୟତି ଓ ଚୋରି ଚର୍ଚ୍ଚାରେ ରହିଛି। ସୋନପୁର ଜିଲ୍ଲାରେ ହତ୍ୟା ଶତପ୍ରତିଶତ ବଢ଼ିଥିବା ବେଳେ କଟକ ଜିଆରପିରେ ୫୦ ପ୍ରତିଶତ, ମାଲାକାନାଗିରିରେ ୪୦ ପ୍ରତିଶତ, ଗଜପତି ଓ ନୟାଗଡ଼ରେ ୩୩ ପ୍ରତିଶତ ବୃଦ୍ଧି ପାଇଛି। ସେହିଭଳି ଅନୁଗୁଳରେ ୪୦.୩ ପ୍ରତିଶତ ହତ୍ୟାକାଣ୍ଡ କମିଥିବା ବେଳେ ଢେଙ୍କାନାଳରେ ୩୩ ପ୍ରତିଶତ, ବଲାଙ୍ଗୀରରେ ୨୮ ପ୍ରତିଶତ, ଭୁବନେଶ୍ବରରେ ୯.୩ ପ୍ରତିଶତ କମିଥିବା ରେକର୍ଡ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରେ ପୂର୍ବବର୍ଷ ତୁଳନାରେ ଡକାୟତି ୨୩୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବୌଦ୍ଧ ଓ ମାଲକାନାଗିରିରେ ୧୫୦ ପ୍ରତିଶତ, ସୋନପୁରରେ ୧୩୩.୩, ନୂଆପଡ଼ା, କଟକ କମିସନରେଟ୍‌ ପୁଲିସ ଓ ବାଲେଶ୍ବରରେ ଶହେ ପ୍ରତିଶତ ଡକାୟତି ମାମଲା ବୃଦ୍ଧି ପାଇଛି। ଭୁବନେଶ୍ବର କମିସନରେଟ୍‌ ପୁଲିସରେ ମଧ୍ୟ ୮୧ ପ୍ରତିଶତ ମାମଲା ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି।

ସେହିଭଳି ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କଟକ ଜିଆରପି ଥାନାରେ ୪ଶହ ପ୍ରତିଶତ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଛି। ବ୍ରହ୍ମପୁରରେ ୭୪.୧ ପ୍ରତିଶତ ଦୁଷ୍କର୍ମ ମାମଲା ବୃଦ୍ଧି ପାଇଥିବା ବେଳେ କଳାହାଣ୍ଡିରେ ୬୧.୬ ପ୍ରତିଶତ, ଯାଜପୁରରେ ୪୫.୬ ପ୍ରତିଶତ ବୃଦ୍ଧି ପାଇଛି। ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୨୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଟକରେ ୫ ପ୍ରତିଶତ କମ୍‌ ମାମଲା ରୁଜୁ ହୋଇଛି।

ସେହିଭଳି ମାଲକାନାଗିରି ଜିଲ୍ଲାରେ ପୂର୍ବବର୍ଷ ତୁଳନାରେ ୨୦୧୯ ମସିହାରେ ୧୩୨ ପ୍ରତିଶତ ଚୋରି ମାମଲା ବୃଦ୍ଧି ପାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ୧୧୫ ପ୍ରତିଶତ ଅଧିକ ମାମଲା ପଞ୍ଜୀକୃତ ହୋଇଛି। ଭୁବନେଶ୍ବର କମିସନରେଟ୍‌ ପୁଲିସରେ ୨୨ ପ୍ରତିଶତ ବଢ଼ିଥିବା ବେଳେ କଟକରେ ୯.୫ ପ୍ରତିଶତ ବୃଦ୍ଧି ପାଇଛି। ଦେଓଗଡ଼ରେ ୨୦୧୮ ତୁଳନାରେ ୨୦୧୯ରେ ୩୮ ପ୍ରତିଶତ କମ୍‌ ମାମଲା ପଞ୍ଜିକୃତ ହୋଇଛି। ସେହିଭଳି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ଭଦ୍ରକରେ ୯ଶହ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ରେ ୨ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୨୦ଟି ମାମଲା ରୁଜୁ ହୋଇଛି। ମହିଳାଙ୍କ ଉପରେ ଏସିଡ୍‌ ଆକ୍ରମଣ ୨୦୧୮ରେ ରାଜ୍ୟରେ ୧୪ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୩ଟି ମାମଲା ରୁଜୁ ହୋଇଛି। ୨୦୧୮ ମସିହାରେ ୩୪୨୪ଟି ଅପହରଣ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୪୦୮୯ଟି ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର