ବାହାନଗା: ବର୍ଦ୍ଧିତ ଜନସଂଖ୍ୟା, ଆଇନଶୃଙ୍ଖଳା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୪ଟି ଜିଲ୍ଲାରେ ଆଉ ୩୬ଟି ନୂଆ ପୁଲିସ ଥାନା ଖୋଲିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଥିବା ବେଳେ ବାଲେଶ୍ବର ବାହାନଗା ବ୍ଲକର ଗୋପାଳପୁର ଓ ସୋର ବ୍ଲକର ଅନନ୍ତପୁରଠାରେ ନୂତନ ଥାନା ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ଅନୁମୋଦିତ ହୋଇଛି। ତେବେ ଗୋପାଳପୁର ଏବଂ ଅନନ୍ତପୁରଠାରେ ଦୁଇଟି ଫାଣ୍ଡି ଚାଲିଥିବା ବେଳେ ତାର ରୂପାନ୍ତରୀକରଣ ହୋଇ ଥାନା କରାଯିବ ବୋଲି ଜଣାଯାଇଛି।
ସୂଚନା ଥାଉକି, ବାଲେଶ୍ବର ସଦର ମହକୁମାରୁ ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ଯାଇଥିବା ସଲ୍ଟ ରୋଡ଼ରେ ତିନିଟି ପୁଲିସ ଫାଣ୍ଡି ରହିଛି। ଗୋଟିଏ ସଦର ଥାନା ଅଧୀନ ଜୟଦେବକସବା ଫାଣ୍ଡି, ଦ୍ବିତୀୟଟି ଖନ୍ତାପଡ଼ା ଥାନା ଅଧୀନ ଗୋପାଳପୁର ଫାଣ୍ଡି ଏବଂ ତୃତୀୟଟି ସୋର ଥାନା ଅଧୀନ ଅନନ୍ତପୁର ଫାଣ୍ଡି। ତେବେ ଦିନକୁଦିନ ଏହି ଅଞ୍ଚଳରେ ଜନସଂଖ୍ୟା ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଫାଣ୍ଡିଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ରହିଥିଲା। ଅଧିକାଂଶ ସମୟରେ ଫାଣ୍ଡିକୁ ଗଲେ ପୁଲିସ ସମସ୍ୟାର ସମାଧାନ କରିପାରୁନଥିଲା। ଯେଉଁଥି ପାଇଁ ଜନସାଧାରଣଙ୍କୁ ବହୁ ଦୂରରେ ଥିବା ଥାନା ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା। ଅନ୍ୟପକ୍ଷରେ ଫାଣ୍ଡିଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ରହିଥିବାରୁ ଅନେକ ଅଞ୍ଚଳକୁ ପୁଲିସ ପାଟ୍ରୋଲିଂ ଠିକ୍ ଭାବେ ହେଉ ନଥିଲା। ଫଳରେ ଅପରାଧୀଙ୍କ ଚରାଭୂଇଁ ପାଲଟିଥିଲା ସଲ୍ଟରୋଡ଼। ପ୍ରତିଦିନ ରାତି ଦୂରର କଥା ଦିନ ଦ୍ବିପ୍ରହରରେ ଚୋରି, ଡକାୟତି, ରାହାଜାନି ସମେତ ଅସ୍ତ୍ରଶସ୍ତ୍ର ଆକ୍ରମଣରେ ଲୋକେ ଶିକାର ହେଉଥିଲେ। ଲଗାତାର ଭାବେ ଏହି ଅଞ୍ଚଳରେ ଥିବା ବ୍ୟାଙ୍କ୍, ଏଟିଏମ୍, ବ୍ୟବସାୟିକ ପ୍ରତିଷ୍ଠାନ, ଲୋକଙ୍କ ଘରୁ ଚୋରି ଓ ଡକାୟତି ବୃଦ୍ଧି ପାଉଥିବା ଯୋଗୁ ଜନଜୀବନ ଅସୁରକ୍ଷିତ ଥିଲା। ଏପରିକି ବାଲେଶ୍ବର ଜିଲ୍ଲାରୁ ବାହାର ଜିଲ୍ଲାକୁ ସଲ୍ଟରୋଡ଼ ଦେଇ ମାଫିଆମାନେ ବେଆଇନ୍ ମଦ, ଗଞ୍ଜେଇ, ବାଉନସୁଗାର ଆଦି ନିଶାଦ୍ରବ୍ୟ ସମେତ ଗୋବଂଶ ସମେତ ସାମୁଦ୍ରିକ ଜୀବଜନ୍ତୁ ଏବଂ ଜଙ୍ଗଲଜାତ ଦ୍ରବ୍ୟ ଅବାଧ ଭାବେ ଚାଲାଣ କରୁଥିବା ନଜିର ଥିଲା।
ଏତଦ୍ବ୍ୟତୀତ ଜିଲ୍ଲାରେ ୮୦ କିଲୋମିଟରରୁ ଅଧିକ ସମୁଦ୍ର ବେଳାଭୂମି ରହିଥିବା ବେଳେ ସଦର ବ୍ଲକ ଚାନ୍ଦିପୁରଠାରୁ ଭୋଗରାଇ ବ୍ଲକ ଉଦୟପୁର ପର୍ଯ୍ୟନ୍ତ ପାଖାପାଖି ୫୦ କିଲୋମିଟର ପର୍ଯ୍ୟନ୍ତ ୪ଟି ଥାନା (ଚାନ୍ଦିପୁର, ବଳରାମଗଡ଼ି, କଷାଫଳ ଓ ତାଳସାରୀ) ରହିଥିବା ବେଳେ ସଦର, ବାହାନଗା ଓ ସୋର ବ୍ଲକ ପର୍ଯ୍ୟନ୍ତ ୩୫ କିଲୋମିଟର ଦୂରତା ମଧ୍ୟରେ ରହିଥିବା ଉପକୂଳ ଅଞ୍ଚଳରେ ଥାନା ନଥିଲା। ଯଦିଓ ଗୋପାଳପୁର, ଜୟଦେବକସବା ଏବଂ ଅନନ୍ତପୁରଠାରେ ୩ଟି ଫାଣ୍ଡି ଥିଲା ସେଠାରେ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ଲୋକଙ୍କୁ ଉତ୍ତମ ପୁଲିସ ସେବା ମିଳୁନଥିଲା। ଏବେ ଗୋପାଳପୁର ଏବଂ ଅନନ୍ତପୁରଠାରେ ଥାନା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ପରେ ସେହି ସମସ୍ୟା ଦୂର ହେବ। ଏ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏଣିକି ଉପରୋକ୍ତ ଅଞ୍ଚଳରେ ଉତ୍ତମ ପୁଲିସ ସେବା ମିଳିବା ସହ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ବୁଦ୍ଧିଜୀବୀ, ଜନ ପ୍ରତିନିଧି ଏବଂ ଜନସାଧାରଣ ମତପ୍ରକାଶ କରିଛନ୍ତି।