ଖୋର୍ଦ୍ଧା ଜିଲ୍ଲାରେ ବୃଦ୍ଧି ପାଉଛି ଅପରାଧିକ ମାମଲା, ହ୍ରାସ ପାଉଛି ଦଣ୍ତବିଧାନ ହାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଅପରାଧିକ ମାମଲା ସଂଖ୍ୟାରେ ବୃଦ୍ଧି ଘଟୁଛି। ଅନ୍ୟପକ୍ଷରେ, ଅପରାଧିକ ମାମଲାରେ ଗିରଫ ଓ ଦୋଷୀ ସାବ୍ୟସ୍ତ ସଂଖ୍ୟା ବା ଦଣ୍ତବିଧାନ ହାର ହ୍ରାସ ପାଉଥିବାରୁ ପୁଲିସର ସ୍ବଚ୍ଛତା ଓ ମାମଲାର ତଦନ୍ତରେ ଦୁର୍ବଳତା ଆଡ଼କୁ ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଅପରାଧିକ ସମୀକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୯ ଜାନୁଆରି ୧ରୁ ଡିସେମ୍ବର ୩୧ ମଧ୍ୟରେ ଜିଲ୍ଲାରେ ମୋଟ ୨୪୩୮ଟି ମାମଲା ରୁଜୁ ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୨୧୪୪ରେ ପହଞ୍ଚିଛି। ଅନ୍ୟପକ୍ଷରେ, ୨୦୧୯ରେ ଜିଲ୍ଲାରେ ୨୧୪୪ଟି ପଞ୍ଜୀକୃତ ମାମଲାରେ ୩୦୧୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ଥିଲା ୩୩୨୪। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ୨୦୧୮ ତୁଳନାରେ ୨୦୧୯ରେ ଅଧିକ ମାମଲା ରୁଜୁ ହେବା ପଛରେ ଜିଲ୍ଲାରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦିଗକୁ ଖୋଦ୍‌ ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ଅସ୍ବୀକାର କରିଛନ୍ତି। ତାଙ୍କର ମତ ହେଲା, ପୁଲିସ୍‌ ଅଭିଯୋଗ ଉପରେ ଅଧିକ ତତ୍ପରତା ଦେଖାଇ ମାମଲା ରୁଜୁ କରିଛି। ଯଦିଓ ଜିଲ୍ଲାରେ ବିଭିନ୍ନ ଅପରାଧିକ ମାମଲା ପୂର୍ବ ବର୍ଷ ତୁଳନାରେ ହ୍ରାସ ପାଇଛି କିନ୍ତୁ ଦୋଷୀ ସାବ୍ୟସ୍ତ ହେବା ସଂଖ୍ୟା ହ୍ରାସ ପାଇଛି।

୨୦୧୯ରେ ମୋଟ ୨୪୩୮ଟି ମାମଲାରେ କେବଳ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୨୦ ଥିଲା। ଏହି ଦିଗକୁ ଅନୁଧ୍ୟାନ କଲେ ଅପରାଧିକ ମାମଲାରେ ପୁଲିସର ତଦନ୍ତରେ ଦୁର୍ବଳତା ସ୍ପଷ୍ଟ ଭାବେ ପଦାରେ ପଡ଼ିଛି। ନିକଟରେ ୨୦୧୯ରେ ନିର୍ବାଚନ ସମୟରେ ବିଜେପି ନେତା ମଙ୍ଗୁଳି ଜେନା ଓ ଗତ ମାସରେ ଡାକ୍ତର ମାନସ ଦାସ ଗୁଳିକାଣ୍ତ ମାମଲାରେ ଅପରାଧୀ ଧରାପଡ଼ିବା କଥା ଦୂରରେ ଥାଉ, ଅପରାଧ ଘଟାଇଥିବା ବ୍ୟକ୍ତିର ଟେର୍‌ ମଧ୍ୟ ପାଇ ପାରିନାହାନ୍ତି। ମିଳିଥିବା ସୂଚନାନୁସାରେ, ଜିଲ୍ଲାର ଭୁବନେଶ୍ବର କମିସନ୍‌ରେଟ୍ ବ୍ୟତିତ ବାଲୁଗାଁ ଓ ଖୋର୍ଦ୍ଧା ପୁଲିସ୍‌ ସବ୍ ଡିଭିଜନ୍ ଅଧୀନରେ ୧୦ଟି ଥାନା ରହିଥିବା ବେଳେ ୯ଟି ଆଉଟ୍‌ ପୋଷ୍ଟ ରହିଛି। ଖୋର୍ଦ୍ଧାର ଏହି ୧୦ଟି ଥାନାରେ ୨୦୧୯ ବର୍ଷରେ ମୋଟ ୩୫ ହତ୍ୟା, ୧୮ ଡକାୟତି, ୫୭ ଲୁଟ, ୮୮ ସିନ୍ଧି ଚୋରି, ୧୮୫ ଚୋରି, ୬୯ ଠକାମି, ୩୭ ଦଙ୍ଗା, ୨୭୫ ମୋଟର ଯାନ ମାମଲା, ୪୬ ଧର୍ଷଣ ମାମଲା ରୁଜୁ ହୋଇଛି। ସେହିଭଳି ଅନ୍ୟାନ୍ୟ ମାମଲା ୧୬୨୮ଟି ରୁଜୁ ହୋଇଥିଲା। ୨୦୧୮ ପରିସଂଖ୍ୟାନରେ ଜିଲ୍ଲାରେ ମୋଟ ୨୧୪୪ଟି ମାମଲା ରୁଜୁ ହୋଇଥିବାବେଳେ ହତ୍ୟା ୩୨, ଡକାୟତି ୨୦, ଲୁଟ ୭୨, ସିନ୍ଧି ଚୋରି ୭୭, ଚୋରି ୧୬୧, ଠକାମି ୫୧, ଦଙ୍ଗା ୫୧, ମୋଟର ଯାନ ୨୭୨, ଧର୍ଷଣ ୫୪ ଓ ଅନ୍ୟାନ୍ୟ ୧୩୫୪ଟି ମାମଲା ରୁଜୁ ହୋଇଛି।

୨୦୧୮ ଓ ୨୦୧୯ରେ ଘଟିଥିବା ଅପରାଧ ମାମଲାଗୁଡ଼ିକର ତୁଳନା କରାଗଲେ, ଜିଲ୍ଲାରେ ହତ୍ୟା, ଠକାମି ମୋଟରଯାନ ଆଇନ ଖିଲାପ ଓ ଚୋରି ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଅନ୍ୟ ଅପରାଧିକ କାର୍ଯ୍ୟକଳାପର ସଂଖ୍ୟା ହ୍ରାସ ପାଇଛି। ତେବେ ଏକଦା ୧୬ ନମ୍ବର ଜାତୀୟ ରାଜପଥ ଲୁଟେରାଙ୍କ ସ୍ବର୍ଗ ଥିବାବେଳେ ୨୦୧୮ ତୁଳନାରେ ୨୦୧୯ରେ ଏହା ୨୦ରୁ ୧୮କୁ ହ୍ରାସ ପାଇଛି। ସେହିଭଳି ୨୦୧୮ରେ ମୋଟ ୩୩୨୪ଜଣଙ୍କୁ ବିଭିନ୍ନ ଅପରାଧିକ ଘଟଣାରେ ଗିରଫ କରାଯାଇଥିବା ବେଳେ ଏହା ମଧ୍ୟରୁ ୪୧୧ଜଣ ମହିଳା ଥିଲେ। କିନ୍ତୁ ୨୦୧୯ରେ ୩୦୧୨ଜଣଙ୍କୁ ଗିରଫ କରାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩୧୦ଜଣ ମହିଳା ଅଛନ୍ତି। ଅର୍ଥାତ୍ ମହିଳା ଅପରାଧୀଙ୍କ ସଂଖ୍ୟାରେ ମଧ୍ୟ ଆପାତତଃ ହ୍ରାସ ଘଟିଛି।

ସମ୍ବନ୍ଧିତ ଖବର