ଅନୁଗୁଳ: ବିଗିଡ଼ିବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି। ଆଇନ କାନୁନ୍ ବ୍ୟବସ୍ଥାକୁ ଆଉ ଡରୁ ନାହାନ୍ତି ଅପରାଧୀ। ସାମାନ୍ୟ କଥାରେ ଆଇନକୁ ହାତକୁ ନେଉଛନ୍ତି। ଅନୁଗୁଳ ଜିଲ୍ଲାରେ ଚଳିତବର୍ଷର ଆପରାଧିକ ରେକର୍ଡ ଏହା ହିଁ ବୟାନ କରୁଛି। ସରକାରୀ ପରିସଂଖ୍ୟାନ କହୁଛି, ଅନୁଗୁଳ ଜିଲ୍ଲାରେ ସପ୍ତାହରେ ଗୋଟିଏ ହତ୍ୟାକାଣ୍ଡ ହେଉଥିଲା ବେଳେ ମାସକୁ ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଚୋରି, ଡକାୟତି ବି କମ୍ ନୁହେଁ। କଣିହାଁ ଅଞ୍ଚଳର ଜଣେ ଛାତ୍ରୀ ଭୁବନେଶ୍ବର ଯିବା ବାଟରେ ତାଙ୍କୁ ଜଣେ ଅଟୋଚାଳକ ଅପହରଣ କରି ଦୁଷ୍କର୍ମ କଲା। ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ଜଙ୍ଗଲରେ ଫିଙ୍ଗି ଚାଲିଗଲା। ଏପଟେ ଏଇ ମାସରେ ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଗାଁ ପାଖ ନାଳରୁ ମିଳିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଝିଅକୁ କେହି ଦୁଷ୍କର୍ମ ପରେ ହତ୍ୟା କରିଛି। କେବଳ ଏହି ଦୁଇ ଘଟଣା ନୁହେଁ, ଏମିତି ଏକାଧିକ ଘଟଣା ଅନୁଗୁଳକୁ ବଦନାମ କରିଛି। ଏପଟେ ସରକାରୀ ତଥ୍ୟ କହୁଛି, ଚଳିତବର୍ଷ ଆରମ୍ଭରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାରେ ୩୩ଟି ହତ୍ୟାକାଣ୍ଡ ଘଟିଛି। ଅର୍ଥାତ୍ ମାସକୁ ୫ ଜଣ ହତ୍ୟାର ଶିକାର ହେଉଛନ୍ତି। ଗତ ବର୍ଷ ଅନୁଗୁଳ ଜିଲ୍ଲାରେ ସମୁଦାୟ ୩୪ଟି ହତ୍ୟାକାଣ୍ଡ ଘଟିଥିଲା ବେଳେ ଏଥର ୭ମାସରେ ୩୩ଟି ହତ୍ୟାକାଣ୍ଡ ସ୍ବାଭାବିକ ଭାବେ ପୁଲିସର ଚିନ୍ତା ବଢ଼ାଇଛି। ଖାଲି ହତ୍ୟା ଘଟଣା ବଢ଼ିଛି ତା ନୁହେଁ, ଦୁଷ୍କର୍ମ ଓ ଅନ୍ୟ ଅପରାଧ ବି ଉପରମୁହାଁ ହୋଇଛି। ଚଳିତବର୍ଷ ଜୁଲାଇ ସୁଦ୍ଧା ଅନୁଗୁଳରେ ୪୭ଟି ଦୁଷ୍କର୍ମ ମାମଲା ଥାନାକୁ ଆସିଛି। ଅର୍ଥାତ୍ ମାସକୁ ୭ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଏହି ୭ ମାସରେ ୧୦ଜଣଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ଗୋଟିଏ ଗଣଦୁଷ୍କର୍ମ ଘଟଣା ଘଟିଛି। ସେହିପରି ୬୧ଟି ଡକାୟତି, ୮୭ଟି ଘରେ ପଶି ଚୋରି ଓ ୩୩୬ଟି ଚୋରି ହୋଇଛି।
ଅପରପକ୍ଷରେ ୨୦୨୪ ମସିହାରେ ୮୮ଟି ଦୁଷ୍କର୍ମ ହୋଇଥିଲା ବେଳେ ୬ଟି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଥିଲା। ଏହା ବାଦ୍ ଗୋଟିଏ ଗଣଦୁଷ୍କର୍ମ ବି ରହିଥିଲା। ସେହିପରି ୧୦୯ଟି ଡକାୟତି, ୧୬୫ଟି ଘରେ ପଶି ଚୋରି ଓ ୫୦୨ଟି ଚୋରି ଅଭିଯୋଗ ପୁଲିସ ପାଖରେ ପହଞ୍ଚିଥିଲା। ତେବେ ଏହି ସବୁ ଘଟଣା ଭିତରୁ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ୨୦୨୪ରେ ୩୪ଟି ହତ୍ୟା ମାମଲାରେ ୪୨ ଜଣ ଗିରଫ ହୋଇଥିଲା ବେଳେ ଚଳିତବର୍ଷ ୩୩ ହତ୍ୟା ମାମଲାରେ ୨୨ ଜଣ ଗିରଫ ହୋଇଛନ୍ତି। ସେହିପରି ଦୁଷ୍କର୍ମ ମାମଲାରେ ୯୬ ଜଣ, ଡକାୟତି ମାମଲାରେ ୭୯ ଜଣ, ଘରେ ପଶି ଚୋରି ମାମଲାରେ ୧୬୫ ଜଣଙ୍କୁ ଗିରଫ କରିଛି ପୁଲିସ।
ଏପଟେ ଗତବର୍ଷ ଜୁନ୍ରୁ ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ଆପରାଧିକ ଗ୍ରାଫ୍ ଦେଖିଲେ, ଏହି ସମୟରେ ୫୪ଟି ହତ୍ୟାକାଣ୍ଡ ଘଟିଛି। ୮୭ଟି ଦୁଷ୍କର୍ମ ହୋଇଥିଲା ବେଳେ ୩୮ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ୧୪ଟି ଯୌତୁକଜନିତ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଏପଟେ ଯୌତୁକ ନିର୍ଯାତନା ସହି ନ ପାରି ୩ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ବର୍ଷକ ଭିତରେ ୧୯୨ ଜଣ ମହିଳା ଯୌତୁକ ନିର୍ଯାତନାର ଶିକାର ହେଲେଣି। ସେହିପରି ୪୧୭ ଜଣ ମହିଳା ବିଭିନ୍ନ କାରଣ ପାଇଁ ନିର୍ଯାତନା ପାଇଥିବା ଅଭିଯୋଗ କରିଛନ୍ତି।