ଖୋର୍ଦ୍ଧା: ସାଇବର ଠକାମୀର ଶିକାର ହୋଇ ୧୬ ଲକ୍ଷଟଙ୍କା ହରାଇ ଥିଲେ ବ୍ରଜବନ୍ଧୁ ସାହୁ ନାମକ ଜଣେ ବଢ଼େଇ । ଏତେ ଟଙ୍କାର କ୍ଷତି ତାଙ୍କ ପାଇଁ ଭରଣା କରିବା ଅସମ୍ଭବ ଥିଲା। ପୁଲିସ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ୨୦୨୧ ଜାନୁଆରି ୪ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କିରାସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣା ସେହି ଦିନ ସମଗ୍ର ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା। ସେହି ଦିନ ଠାରୁ ଆଜି ତିନି ବର୍ଷ ବିତିଯାଇଛି, ଖୋର୍ଦ୍ଧା ଗ୍ରାମାଞ୍ଚଳର ବିଭିନ୍ନ ଥାନାରେ ଏଭଳି ଏକାଧିକ ମାମଲା ରୁଜୁ ହୋଇଛି। ଏଥିରେ ବ୍ରଜବନ୍ଧୁ ଭଳି ଏକାଧିକ ବ୍ୟକ୍ତି ଠକାମୀର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି।

Advertisment

ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୨୨ ଜାନୁଆରୀ ଠାରୁ ଡିସେମ୍ବର ମାସ ମଧ୍ୟରେ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲା ଅଧୀନ ୯ଟି ଥାନାରେ ୧୫ଟି ସାଇବର ଅପରାଧ ମାମଲା ରୁଜୁ ହୋଇଥିଲା। ୨୦୨୩ ସେପ୍ଟମ୍ବର ୩୦ ତାରିଖ ସୁଦ୍ଧା ଅର୍ଥାତ୍‌ କେବଳ ୯ ମାସରେ ଏହି ସଂଖ୍ୟା ୩୨ରେ ପହଞ୍ଚିଛି। ଅର୍ଥାତ୍‌ ପୂର୍ବ ବର୍ଷ ଠାରୁ ମାମଲାରେ ୪୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨ରେ ମୋଟ ୧୫ଟି ମାମଲା ମଧ୍ୟରୁ ଖୋର୍ଦ୍ଧା ଟାଉନ ଥାନାରେ ୫ଟି ମାମଲା, ବାଘମାରୀରେ ଗୋଟିଏ, ବେଗୁନିଆରେ ଗୋଟିଏ, ବୋଲଗଡ଼ରେ ଗୋଟିଏ, ଟାଙ୍ଗୀରେ ୨ଟି, ବାଣପୁରରେ ୪ଟି ଓବାଲୁଗାଁରେ ଗୋଟିଏ ମାମଲା ରୁଜୁହୋଇଥିଲା। ୨୦୨୩ରେ ସେପ୍ଟମ୍ବର ଶେଷ ସୁଦ୍ଧା ରୁଜୁ ହୋଇଥିବା ମୋଟ ୩୨ଟି ମାମଲାରୁ ଖୋର୍ଦ୍ଧା ଟାଉନ ଥାନାରେ ୧୪ଟି ମାମଲା ରୁଜୁ ହୋଇଥିବା ବେଳେ ବେଗୁନିଆ, ବୋଲଗଡ଼, ଜଙ୍କିଆରେ ଗୋଟିଏ ଲେଖାଏଁ ମାମଲା, ନିରାକାରପୁରରେ ୩ଟି, ଟାଙ୍ଗୀରେ ୬ଟି, ବାଣପୁର, ବାଲୁଗାଁ ଓ ନାଚୁଣୀରେ ଦୁଇଟି ଲେଖାଏଁମାମଲା ରୁଜୁ ହୋଇଛି। ମାମଲା ସଂଖ୍ୟାରୁ  ଖୋର୍ଦ୍ଧା ଥାନା ଅଞ୍ଚଳ ସବୁଠାରୁ ଆ‌ଗରେ ଥିବା ବେଳେ ଚଳିତ ବର୍ଷ ସଦର ଓ ବାଘମାରୀ ଥାନାରେ କୌଣସି ସାଇବର ଅପରାଧ ମାମଲା ରୁଜୁ ହୋଇନାହିଁ। ‌ତେବେ ୨୦୨୨ବର୍ଷରେ ସଦର, ଜଙ୍କିଆ, ନିରାକାରପୁର- ତିନିଟି ଥାନାରେ କୌଣସି ମାମଲା ରୁଜୁ ହୋଇନଥିଲା।

ସାଇବର ଅପରାଧ ନେଇ ଡିଏସ୍‌ପି ମୀନାକ୍ଷୀ ଠାକୁର କହିଛନ୍ତି ଯେ ପୂର୍ବେ ଏଟିଏମ୍‌ କାର୍ଡ, ବ୍ୟାଙ୍କ ନଗଦ ଉଠାଣରେ ସ୍ବାକ୍ଷରରେ ଜାଲିଆତି ଆଦି ହେଉଥିଲା। ବର୍ତମାନ ଲୋକଙ୍କୁ ଠକିବାକୁ ଅପରାଧୀ ନୂଆ ନୂଆ ଉପାୟ ବାହାର କରୁଛନ୍ତି। ଏଥିପାଇଁ ଜଣେ ବ୍ୟକ୍ତି ପ୍ରଥମେ ନିଜକୁ ସଚେତନ କରିବା ଆବଶ୍ୟକ। ଦ୍ବିତୀୟତଃ, କୌଣସି ଅଜଣା କଲରେ କିମ୍ବା ମେସେଜରେ ପ୍ରଲୋଭିତ ହେବା ଉଚିତ ନୁହେଁ। ଏହି ସବୁ ସ‌ତ୍ବେ ଯଦି ଜଣେ ଠକାମୀର ଶିକାର ହୁଏ ତେବେ ଏଥିପାଇଁ ତିନିଟି ପ୍ରମୁଖ ମାଧ୍ୟମ ରହିଛି। ପ୍ରଥମତଃ ଏହା କେଉଁ ପ୍ରକାର ଠକାମୀ କିମ୍ବା ଅପରାଧ ନିର୍ଣ୍ଣୟ କରିବେ। ଯଦି ଆର୍ଥିକ ଓ ବ୍ୟାଙ୍କ ସମ୍ବନ୍ଧୀୟ ତେବେ ତୁରନ୍ତ ବ୍ୟାଙ୍କକୁ ଜଣାଇବେ। ଯଦି ଅନ୍‌ଲାଇନ୍‌ରେ ଠକାମୀ ଆଦି ପ୍ରସଙ୍ଗ ତେବେ ଜାତୀୟ ଟୋଲ୍‌ ଫ୍ରି ସହାୟତା ନମ୍ବର ୧୯୩୦ରେ ଫୋନ୍‌ କରି ସମସ୍ତ ବିଷୟ ସଠିକ୍‌ ତଥ୍ୟ ପ୍ରଦାନ କରିବେ। ଯଦି ଅନ୍‌ଲାଇନରେ ଅଶ୍ଳୀଳ ଫୋନ୍‌ ଆଦି ମାଧ୍ୟମରେ ବ୍ଲାକ୍‌ମେଲ୍‌, ପରିଚୟର ଜାଲିଆତି ଆଦିର ଶିକାର ହୁଅନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବା ଉଚିତ ବୋଲି ଡିଏସ୍‌ପି ମୀନାକ୍ଷୀ ଠାକୁର କହିଛନ୍ତି।