ବୋଲଗଡ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବୋଲଗଡ ଥାନା ଅଞ୍ଚଳରେ ବର୍ତ୍ତମାନ ଚୋରୀ, ଛିନ୍‌ତାଇ, ଡକାୟତି, ବୋମାମାଡ ଓ ଖଣ୍ଡାରେ ହତ୍ୟା ଉଦ୍ୟମ ଘଟଣା ବଢି ବଢ଼ି ଚାଲିଛି। ଏହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ବୋଲଗଡ ଥାନା ପୁଲିସ କେବଳ ଥାନା ଫାଣ୍ଡିରେ ମାମଲା ରଫାଦଫା କରିବାକୁ ଉଦ୍ୟମ କରୁଥିବାରୁ ଅପରାଧୀମାନେ ଏଥିରେ ପ୍ରୋତ୍ସାହିତ ହେଉଥିବା ଅଭିଯୋଗ ହେଉଛି।

Advertisment

publive-image Odisha Sun Times

ପ୍ରକାଶ ଯେ,ଏହି ଥାନା ଅଞ୍ଚଳରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ଆତଙ୍କରାଜ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଗତ ସପ୍ତାହକ ମଧ୍ୟରେ ବୋଲଗଡ଼ ଥାନା ଅଞ୍ଚଳରେ ଲୁଟ୍, ବୋମାମାଡ଼, ଏବଂ ହତ୍ୟା ଉଦ୍ୟମ ଘଟଣା ଘଟିଥିବାବେଳେ ପୁଲିସ ହାତବାନ୍ଧି ବସିଛି । ଗତ ସପ୍ତାହରେ ଏକ ମାଇକ୍ରୋ ପାଇନାନ୍‌ସ କମ୍ପାନିର କଲେକ୍‌ସନ ଏଜେଣ୍ଟଙ୍କ ଠାରୁ ଖାଉଡପଲ୍ଲୀ ଛକରୁ ବନ୍ଧୁକ ଦେଖା ଦୁର୍ବୃତ୍ତମାନେ ୭୬ହଜାର ଟଙ୍କା ଲୁଟି ନେଇଥିଲେ। ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ବୋଲଗଡ ପୁଲିସ ଏହାର ଟେର ପାଇନାହିଁ। ଗତ ଶନିବାର ସନ୍ଧ୍ୟାରେ ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ବଣିଆସାହି ମୁଣ୍ଡରେ ଦୁଇଜଣ ଦୁର୍ବୁତ୍ତ ଅନ୍ଧାରର ସୁଯୋଗ ନେଇ କଳା ପଲସରରେ ଆସି ବୋମାମାଡ କରିବାରୁ ବସନ୍ତ ଜୟସିଂହ ନାମକ ସେନାବାହିନୀର ଜଣେ ଯବାନ ଆହତ ହୋଇଥିଲେ। ଏହି ଘଟଣା ପରେ ବୋଲଗଡ ସଦର ମହକୁମାରେ ଆତଙ୍କ ଖେଳିଯାଇଛି। ସେହିପରି ରବିବାର ଦିନ ବିଳମ୍ବିତ ରାତିରେ ବଡକୁମାରୀ ପଞ୍ଚାୟତ ଅନ୍ତର୍ଗତ ସାନକୁମାରୀ ମଙ୍ଗଳା ମନ୍ଦିର ପରିସରରେ ସାନକୁମାରୀ ଗ୍ରାମର ଡ୍ରାଇଭର ଖଣ୍ଡେଇଙ୍କ ପୁଅ ଲଣ୍ଡା ଖଣ୍ଡେଇ(୨୮)ଙ୍କୁ ରାତି ୨ଟା ସମୟରେ କେତେକ ଦୁର୍ବୃତ୍ତ ଖଣ୍ଡା ଭୁଜାଲିରେ ମରଣାତ୍ମକ ଆକ୍ରମଣ କରିଥିଲେ। ସେ ପ୍ରାଣ ବିକଳରେ ବୋଲବମ୍ ଶ୍ରାଦ୍ଧାଳୁଙ୍କ ମେଳରେ ପଶିଯାଇ ନିଜ ଜୀବନକୁ ରକ୍ଷା କରିଥିଲେ। ଏଥିରେ ତାଙ୍କର ମୁହଁ, ଡାହାଣ ହାତ ପାପୁଲି, ଡାହାଣ ହାତ କହୁଣୀ, ପିଠି ଓ ଗୋଡରେ ଖଣ୍ଡା ଚୋଟ ପଡିଥିଲା। ସେ ବର୍ତ୍ତମାନ ଭୁବନେଶ୍ୱର ଏମସରେ ଚିକିତ୍ସାଧିନ ଅଛନ୍ତି।

publive-image Convenience Group

ବୋଲଗଡ ଥାନା ପୁଲିସ ବୋମାମାଡ଼, ଲୁଟ୍‌ ପରି ଅପରାଧିକ ଘଟଣାରେ ଯେପରି ପଦକ୍ଷେପ ନେବା କଥା ସେପରି ନେଉ ନାହିଁ। ଫଳରେ ଅସାମାଜିକ ତତ୍ତ୍ୱମାନଙ୍କର ଦୌରାତ୍ମ୍ୟ ବଢି ବଢି ଚାଲିଛି। ପୂର୍ବରୁ ମଧ୍ୟ ହତ୍ୟା, ହତ୍ୟା ଉଦ୍ୟମ, ଚୋରି, ଗୁଳିମାଡ଼, ବୋମାମାଡ, ଛିନତାଇ ,ଲୁଟ୍ ଘଟଣାରେ ଆସାମୀ ମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇ ନାହିଁ। ବୋଲଗଡ ଥାନାରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥିଲାବେଳେ ପୁଲିସ କାହିଁକି ଆସାମୀମାନଙ୍କ ପ୍ରତି ନରମ ଭାବ ପ୍ରକାଶ କରୁଛନ୍ତି, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏ ନେଇ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହେଉଛି।